ବୋଉ ଫୋନ୍ କରି କହିଲା…‘ହସ୍ପିଟାଲରେ ଆଖି ବୁଜି ଦେଲେ ତୋ ସ୍ତ୍ରୀ ଆଉ ପୁଅ’
ଦିଗପହଣ୍ଡି,୧୩। ୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁପୁତ୍ର ମୃତ୍ୟୁବରଣ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ମୃତକଜଣଙ୍କ ହେଲେ ସାନଖେମୁଣ୍ଡି ବ୍ଲକ କରାଖଣ୍ଡି ଗ୍ରାମର ରୋଜି ନାୟକ। ସୂଚନାନୁଯାୟୀ, ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁରର ରୋଜି ପ୍ରାୟ ବର୍ଷକ ପୂର୍ବେ କରାଖଣ୍ଡି ଗ୍ରାମର ବାବୁ ନାୟକଙ୍କୁ ବିବାହ କରିଥିଲେ। ବାବୁ […] The post ବୋଉ ଫୋନ୍ କରି କହିଲା…‘ହସ୍ପିଟାଲରେ ଆଖି ବୁଜି ଦେଲେ ତୋ ସ୍ତ୍ରୀ ଆଉ ପୁଅ’ appeared first on Dharitri Odia News.
ଦିଗପହଣ୍ଡି,୧୩। ୫(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ଏକ ନର୍ସିଂହୋମରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ପ୍ରସୂତି ଏବଂ ତାଙ୍କ ନବଜାତ ଶିଶୁପୁତ୍ର ମୃତ୍ୟୁବରଣ ଘଟଣାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ମୃତକଜଣଙ୍କ ହେଲେ ସାନଖେମୁଣ୍ଡି ବ୍ଲକ କରାଖଣ୍ଡି ଗ୍ରାମର ରୋଜି ନାୟକ।
ସୂଚନାନୁଯାୟୀ, ଡେଙ୍ଗାଓସ୍ତା ଗ୍ରାମ ନିକଟ ସିଙ୍ଗପୁରର ରୋଜି ପ୍ରାୟ ବର୍ଷକ ପୂର୍ବେ କରାଖଣ୍ଡି ଗ୍ରାମର ବାବୁ ନାୟକଙ୍କୁ ବିବାହ କରିଥିଲେ। ବାବୁ ଗୁଜୁରାଟର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ରୋଜି ଗର୍ଭବତୀ ହେବାପରେ ସିଙ୍ଗପୁର ଗ୍ରାମର ବାପଘରେ ରହୁଥିଲେ। ସେ ପ୍ରାୟ ୯ ମାସର ଗର୍ଭବତୀ ଥିଲେ। ରବିବାର ମଧ୍ୟାହ୍ନରେ ପେଟରେ ଯନ୍ତ୍ରଣା ହେବାରୁ ବାପଘର ଲୋକେ ତାଙ୍କୁ ଉକ୍ତ ନର୍ସିଂହୋମ ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଆଲଟ୍ରାସାଉଣ୍ଡ କରାଯାଇଥିଲା। ପରେ ତାଙ୍କ ଅଧିକ ପ୍ରସବ ବେଦନା ହେବାରୁ ଉପସ୍ଥିତ ନର୍ସିଂହୋମ କର୍ମଚାରୀ ବୃନ୍ଦ ତାଙ୍କ ପ୍ରସବ କରାଇବା ପାଇଁ ରୋଜିଙ୍କ ପରିବାର ଲୋକଙ୍କୁ କହିଥିଲେ। ସେଠାରେ ତାଙ୍କ ପ୍ରସବ କରାଯାଇଥିଲା। ଏକ ମୃତ ଶିଶୁପୁତ୍ର ଜନ୍ମ ହେବାପରେ ରାତି ପ୍ରାୟ ୧୦ଟାରେ ରୋଜିଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ନର୍ସିଂହୋମ କର୍ତ୍ତୃପକ୍ଷ ରୋଜିଙ୍କ ପରିବାରଲୋକଙ୍କୁ ନ ଜଣାଇ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଦର୍ଶାଇ ୧୦୨ ଆମ୍ବୁଲାନ୍ସ ଡ଼କାଇ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ। ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ତାଙ୍କୁ କରାଖଣ୍ଡି ଗ୍ରାମକୁ ନିଆଯାଇ ସୋମବାର ଗାଁ ଶ୍ମଶାନ ରେ ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ଜଣାପଡିଛି। ଘଟଣା ପରଠାରୁ ନର୍ସିଂହୋମ ବନ୍ଦ ରହିଛି। ଖବରପାଇ ରୋଜି ଙ୍କ ସ୍ବାମୀ ବାବୁ ଘରେ ପହଞ୍ଚିଥିଲେ। ସ୍ତ୍ରୀ ଙ୍କ ମୃତ୍ୟୁ ରେ ସେ ଗଭୀର ମର୍ମାହତ ହୋଇପଡ଼ିଥିଲେ। ତାଙ୍କ ମା’ ତାଙ୍କୁ ଫୋନ୍ କରି ସ୍ତ୍ରୀ ଏବଂ ପୁଅ ମୃତ୍ୟୁ ନେଇ ଜଣାଇଥିବା ସେ କହିଥିଲେ। ନର୍ସିଂହୋମରେ କୌଣସି ଡାକ୍ତରଙ୍କ ଅନୁପସ୍ଥିତିରେ ଅନଭିଜ୍ଞ କର୍ମଚାରୀଙ୍କ ଦାରା ତାଙ୍କ ସ୍ତ୍ରୀଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଥିବା କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ସେ ଦାବି କରିଛନ୍ତି।
ଅପରପକ୍ଷରେ ନର୍ସିଂହୋମ ପରିଚାଳକ ମଙ୍ଗୁଳୁ ପ୍ରଧାନଙ୍କୁ ଯୋଗାଯୋଗ କରିବାରୁ ଏଭଳି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଗର୍ଭବତୀ ରୋଜିଙ୍କୁ ପରିବାର ଲୋକେ ନର୍ସିଂହୋମ କୁ ଆଣିଥିଲେ। ତାଙ୍କ ଅଲଟ୍ରା ସାଉଣ୍ଡ କରାଯିବା ପରେ ପ୍ରସବ ବେଦନା ବଢିଥିଲା। ତାଙ୍କୁ କୌଣସି ସରକାରୀ ଡାକ୍ତରଖାନାକୁ ନେବାପାଇଁ ପରିବାରଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ସେମାନେ ନେଇ ନ ଥିଲେ। ପରେ ତାଙ୍କର ଏକ ମୃତ ଶିଶୁ ପୁତ୍ର ଜନ୍ମ ହୋଇଥିଲା।ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ପରିବାରଲୋକେ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ବୋଲି କହିଛନ୍ତି। ଏନେଇ ଦିଗପହଣ୍ଡି ଥାନା ଆଇଆଇସି ତଥା ଡିଏସ୍ପି ପ୍ରଶାନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ମଙ୍ଗଳବାର ସା ସୁଦ୍ଧା ଏନେଇ ଥାନାରେ କୌଣସି ଏତଲା ନ ଥିବା କହିଛନ୍ତି। ଅପରପକ୍ଷରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟଧିକାରୀ ଡ଼ା.ଭବାନୀ ଶଙ୍କର ମିଶ୍ରସ୍ଙ୍କୁ ଯୋଗାଯୋଗ କରିବାରେ ଘଟଣାର ତଦନ୍ତ ନିମନ୍ତେ ଜାତୀୟ ସ୍ବାସ୍ଥ୍ୟ ମିଶନ ଡିପିଏମ୍ ବୁଲୁନାଥ ସାହୁଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଥିବା କହିଛନ୍ତି।
The post ବୋଉ ଫୋନ୍ କରି କହିଲା…‘ହସ୍ପିଟାଲରେ ଆଖି ବୁଜି ଦେଲେ ତୋ ସ୍ତ୍ରୀ ଆଉ ପୁଅ’ appeared first on Dharitri Odia News.