ବୋଉର ପଣତକାନିରେ ପ୍ରଥମ ରୋଜଗାର

ମୋର ଜନ୍ମ ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ। ନନା ଆର୍ତ୍ତବନ୍ଧୁ ମିଶ୍ର ଓ ବୋଉ ଶୈଳବାଳା ମିଶ୍ର। ତିନିଭାଇଙ୍କ ମଧ୍ୟରେ ମୁଁ ହେଲି ମଝିଆ। ତା’ସହିତ ଆମର ଗୋଟିଏ ବୋଲି ଭଉଣୀ। ମଧ୍ୟବିତ୍ତ ପରିବାରର ଆର୍ଥିକ ଅବସ୍ଥା ଦେଇ ମୋର କୈଶୋର ଜୀବନ ଅତିବାହିତ। ଜୀବନର ବିଭିନ୍ନ ପର୍ଯ୍ୟାୟରେ ଘାତ ପ୍ରତିଘାତ ଦେଇ ଶେଷରେ ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଅଧ୍ୟୟନ କଲି। ମୋ ପୂର୍ବରୁ ବଡ଼ ଭାଇ ସେହି କଲେଜରେ […] The post ବୋଉର ପଣତକାନିରେ ପ୍ରଥମ ରୋଜଗାର appeared first on Dharitri Odia News.

ବୋଉର ପଣତକାନିରେ ପ୍ରଥମ ରୋଜଗାର

ମୋର ଜନ୍ମ ନୟାଗଡ଼ ଜିଲା ଓଡଗାଁ ବ୍ଲକ ଅନ୍ତର୍ଗତ କୁରାଳ ଗ୍ରାମରେ। ନନା ଆର୍ତ୍ତବନ୍ଧୁ ମିଶ୍ର ଓ ବୋଉ ଶୈଳବାଳା ମିଶ୍ର। ତିନିଭାଇଙ୍କ ମଧ୍ୟରେ ମୁଁ ହେଲି ମଝିଆ। ତା’ସହିତ ଆମର ଗୋଟିଏ ବୋଲି ଭଉଣୀ। ମଧ୍ୟବିତ୍ତ ପରିବାରର ଆର୍ଥିକ ଅବସ୍ଥା ଦେଇ ମୋର କୈଶୋର ଜୀବନ ଅତିବାହିତ। ଜୀବନର ବିଭିନ୍ନ ପର୍ଯ୍ୟାୟରେ ଘାତ ପ୍ରତିଘାତ ଦେଇ ଶେଷରେ ପୁରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଦ୍ୟାଳୟରେ ଅଧ୍ୟୟନ କଲି। ମୋ ପୂର୍ବରୁ ବଡ଼ ଭାଇ ସେହି କଲେଜରେ ପଢୁଥିଲେ। ତେଣୁ ଚଳିବାକୁ ମୋତେ ସେତେ ଅସୁବିଧା ନ ଥିଲା। ନନା ଚଳିବାକୁ ଏବଂ ହଷ୍ଟେଲ ଖର୍ଚ୍ଚ ବାବଦକୁ ମାସକୁ ତିନି ଶହ ଟଙ୍କା ଆମ ଗାଁ ଚପଳା ବସ୍‌ର କଣ୍ଡକ୍ଟର ହାତରେ ପୁରୀ ପଠାଇ ଦେଉଥିଲେ। ସେଥିରେ ଯେନତେନ ପ୍ରକାରେ ମାସିକ ଚଳିବାକୁ ହୁଏ। ତା’ସାଙ୍ଗକୁ କଲେଜରୁ ଛାତ୍ରବୃତ୍ତି ସେତେବେଳେ ପଚାଶ ଟଙ୍କା ମିଳୁଥାଏ। ପୁରୀରେ ଶାସ୍ତ୍ରୀ ଉତ୍ତୀର୍ଣ୍ଣ ପରେ ସାଗର ବିଶ୍ବବିଦ୍ୟାଳୟରେ ଏମ.ଏ ଏବଂ ଏମ୍‌.ଫିଲ୍‌ କଲି। ଆଉ ନନା ସେତେବେଳେ ପ୍ରାଥମିକ ଶିକ୍ଷକରୁ ଅବସର ନେଇଥାନ୍ତି। ଅବସର ପରେ ମଧ୍ୟ ସିଏ ମୋ ପାଖକୁ ମାସିକ ହଜାର ଟଙ୍କା ଲେଖାଏଁ ଡ୍ରାଫ୍ଟ କରି ପଠାଉଥିଲେ। ଏହିପରି ଭାବେ ପଢା ଶେଷ ହୋଇ ମୋତେ ଚାକିରି ମିଳେ। ପ୍ରଥମ ପୋଷ୍ଟିଂ ନବରଙ୍ଗପୁର ଜିଲାର ପାତ୍ରପୁଟରେ ହୁଏ। ନନା ମୋତେ ସାଥିରେ ନେଇ ସେଠାରେ ଜଏନ୍‌ କରାଇ ଦିଅନ୍ତି। ନନା ହିଁ ମୋର ଆଦର୍ଶ। ସେଥିପାଇଁ ଚାକିରିରୁ ଯେଉଁ ପ୍ରଥମ ଦରମା ପାଇଥିଲି ତାକୁ ନେଇ ପ୍ରଥମେ ନନାଙ୍କୁ ଦେଇଥିଲି ଆଉ ସେଥିରୁ ମାତ୍ର ପାଞ୍ଚ ଶହ ଟଙ୍କା କାଢ଼ି ବୋଉକୁ ଅଲଗା ଦେଇଥିଲି। ଚାକିରି ଜୀବନ ବ୍ୟତିତ ନନାଙ୍କ ପ୍ରେରଣା ମୋତେ ସାହିତ୍ୟ ପ୍ରତି ଅଧିକ ରୁଚିଶୀଳ କରାଇଥିଲା। ତେଣୁ ବୃତ୍ତିଗତ ଜୀବନରୁ ଟିକିଏ ସମୟ ପାଇଲେ ସାହିତ୍ୟ ସର୍ଜନାରେ ବସିଯାଏ। ସେତେବେଳେ ଖବରକାଗଜ କିମ୍ବା ପତ୍ରପତ୍ରିକା ସେତେ ଉପଲବ୍ଧ ନଥିଲା। ମୁଁ ନବରଙ୍ଗପୁରରୁ ଗାଁକୁ ଆସିଲାବେଳେ ଭବାନୀପାଟଣା ବସ୍‌ ଷ୍ଟାଣ୍ଡରୁ ପତ୍ରିକା କିଣୁଥିଲି। ଅମୃତାୟନ, ଝଙ୍କାର, ନବନୀତା ଏବଂ କଥା ପତ୍ରିକା ଆଦି ପୂଜା ବିଶେଷାଙ୍କ କିଣି ପଢୁଥିଲି। ତାକୁ ହିଁ ପଢି ପଢି କ୍ରମେ ଗଳ୍ପ ଲେଖିବାର ଶୈଳୀ ଜାଣିଗଲି। କ୍ରମେ ବିଭିନ୍ନ ପତ୍ରିକାକୁ ମୋର ଲେଖା ପଠାଇଲି; କିନ୍ତୁ ତାହା ପ୍ରକାଶିତ ହେଉଥିଲା କି ନାହିଁ ମୋତେ ଜଣା ନଥିଲା। ତେବେ ନବରଙ୍ଗପୁର ଜିଲା ଛାଡିବା ପରେ ଗଜପତି ଜିଲାରେ ସାହିତ୍ୟ ପ୍ରତି ଅଧିକ ମନୋନିବେଶ କଲି। ଏହା ଭିତରେ ମୋର ୯ଟି ପୁସ୍ତକ ପ୍ରକାଶିତ ହୋଇ ପାଠକୀୟତା ହାସଲ କରିସାରିଛି। ଯେମିତିକି ୪ଟି ଗଳ୍ପ ସଙ୍କଳନ ‘ପରିଣୀତା’, ‘ଜୀବନ ଜ୍ୟାମିତି’, ‘ମଧ୍ୟାହ୍ନର ଛାଇ’ ଓ ‘ବିଭାବରୀ କୃଷ୍ଣ ପଣତରେ’ ୧ଟି ଉପନ୍ୟାସ ‘ଅନ୍ଧ ଗଳିର ନାୟିକା’,୨ଟି ଆଧ୍ୟାତ୍ମିକ ସଂକଳନ ‘ଅମୃତ ଗଣ୍ଠିଲି’ ଓ ‘ଚେତନାର ଚଉହଦି’, ୧ଟି ଶିଶୁ ଗଳ୍ପ ସଂକଳନ ‘ମୋତେ ଏତିକି ଶିଖାଅ ସାଇଁ’ ଏବଂ ୧ଟି ପ୍ରବନ୍ଧ ସଙ୍କଳନ ‘ସୃଜନ ବେଣୁର ମେଘମହ୍ଲାର’। ଏଠାରେ କହି ରଖିବାକୁ ଚାହେଁ ଯେ, ମୋ ଧର୍ମପତ୍ନୀ ପ୍ରଣତି ଆଚାର୍ଯ୍ୟ ମିଶ୍ର ବି ଜଣେ ଲେଖିକା। ଆଉ ସେ ହିଁ ମୋ ଲେଖା ସବୁର ପ୍ରଥମ ପାଠିକା ଆଉ ମୋ ପ୍ରେରଣାଦାୟିନୀ।

The post ବୋଉର ପଣତକାନିରେ ପ୍ରଥମ ରୋଜଗାର appeared first on Dharitri Odia News.