ବ୍ରିଜ ଭୂଷଣଙ୍କୁ ହାଇକୋର୍ଟ ଝଟ୍‌କା, ଆବେଦନ ଖାରଜ

ମହିଳା ରେସ୍‌ଲର୍‌ଙ୍କ ଦ୍ୱାରା ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ବ୍ରିଜ ଭୂଷଣଙ୍କୁ ହାଇକୋର୍ଟ ଝଟ୍‌କା, ଆବେଦନ ଖାରଜ

ବିଜେପିର ପୂର୍ବତନ ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କୁ ବଡ଼ ଝଟ୍‌କା। ତାଙ୍କ ଅବେଦନକୁ ଖାରଜ କରିଦେଲେ ଦିଲ୍ଲୀ ହାଇକୋର୍ଟ। ମହିଳା ରେସ୍‌ଲର୍‌ଙ୍କ ଦ୍ୱାରା ତାଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ ସେ କରିଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ଯୌନ ନିର୍ଯାତନା ଅଭିଯୋଗରେ ମହିଳା ରେସ୍‌ରଲମାନେ କରିଥିବା ଏଫ୍‌ଆଇଆର୍‌, ଚାର୍ଜସିଟ୍‌ ଓ ନିମ୍ନ ଅଦାଲତ ଦ୍ୱାରା ଦଣ୍ଡ ନିର୍ଦ୍ଧାରିତ କରିବା ଆଦେଶକୁ ରଦ୍ଦ କରିବା ପାଇଁ ବ୍ରିଜ ଭୂଷଣ ସିଂହ ହାଇକୋର୍ଟରେ ଆବେଦନ କରିଥିଲେ। ଏହି ଆବେଦନର ଆଜି ଶୁଣାଣି କରି ଜଷ୍ଟିସ ନୀନା ବଂସଲ ଏହାକୁ ଖାରଜ କରିଦେଇଛନ୍ତି। ମାମଲା ରୁଜୁ ହେବା ପରେ ଆପଣ କାହିଁକି କୋର୍ଟକୁ ଆସିଥିଲେ? ଏହା କହି ତାଙ୍କ ଆବେଦନକୁ ସେ ଖାରଜ କରିଦେଇଛନ୍ତି। 

ଶୁଣାଣି ବେଳେ ଦିଲ୍ଲୀ ପୁଲିସ ବ୍ରିଜ ଭୂଷଣଙ୍କ ଆବେଦନର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନ ଉଠାଇଛି। ବ୍ରିଜ ଭୂଷଣଙ୍କ ଓକିଲ କହିଛନ୍ତି ଯେ ଏହି ମାମଲାରେ ୬ ଜଣ ଅଭିଯୋଗକାରୀ ଅଛନ୍ତି, ଏଫଆଇଆର ଦାଖଲ କରିବା ପଛରେ ଏକ ଲୁକ୍କାୟିତ ଏଜେଣ୍ଡା ରହିଛି। ତାଙ୍କ ଓକିଲ କହିଛନ୍ତି ଯେ ବିଭିନ୍ନ ଘଟଣା ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିଲା। ଏହା କେବଳ ଏକ ଷଡ଼ଯନ୍ତ୍ର।

ତେବେ ଓକିଲଙ୍କ ଏହି ଯୁକ୍ତି କୋର୍ଟରେ କାମ ଦେଇନାହିଁ। ଦିଲ୍ଲୀ ହାଇକୋର୍ଟ ବ୍ରିଜ ଭୂଷଣଙ୍କ ଓକିଲଙ୍କୁ ଏହି ମାମଲାରେ କୋର୍ଟରେ ଏକ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୬ରେ ହେବ।

ଗତ ବର୍ଷ ଜାନୁୟାରୀ ମାସରେ ଷ୍ଟାର୍ ରେସ୍‌ଲର ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟଙ୍କ ନେତୃତ୍ୱରେ ଦେଶର ୩୦ଜଣ କୁସ୍ତିଯୋଦ୍ଧା ଭାରତୀୟ ରେସଲିଂ ସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଧାରଣା ଦେଇଥିଲେ।  ବ୍ରିଜ ଭୂଷଣ ମନଇଚ୍ଛା ଭାବେ ରେସଲିଂ ଆସୋସିଏସନ ଚଳାଇବା ଏବଂ ମହିଳା ରେସଲର ଏବଂ ମହିଳା କୋଚମାନଙ୍କୁ ଯୌନ ଶୋଷଣ କରୁଥିବା କୁସ୍ତିଯୋଦ୍ଧାମାନେ ଅଭିଯୋଗ କରିଥିଲେ। ଏପରିକି ରେସ୍‌ଲର୍‌ ବଜରଙ୍ଗ ପୁନିଆ ନିଜ ମେଡାଲ ଫେରାଇ ଦେଇଥିଲେ।  ବ୍ରିଜ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ବିରୋଧ ଶେଷ ହୋଇଥିଲା। ଏହି ପ୍ରସଙ୍ଗରେ ଶୁଣାଣି ଜାରି ରହିଛି। ବ୍ରିଜଭୂଷଣଙ୍କ କାର୍ଯ୍ୟକାଳ ଗତ ବର୍ଷ ନିଜେ ଶେଷ ହୋଇଥିଲା।