ବ୍ୟବସାୟରେ ପଙ୍ଗା, ସୀମାରେ ଥଣ୍ଡା: ରୋଚକ ମୋଡ଼ରେ ଚୀନ ଓ ଭାରତ ସମ୍ପର୍କ

ନୂଆଦିଲ୍ଲୀ: ଭାରତ ଓ ଚୀନ ସମ୍ପର୍କରେ ଖାଲି ଧୂଆଁ ହିଁ ଧୂଆଁ, କାରଣ ଭିତରେ ଭିତରେ କୁହୁଳିଛି ନିଆଁ। ଦୁଇ ଦେଶ ମଧ୍ୟରେ ତିକ୍ତତା ଧୀରେ ଧୀରେ ଭଢ଼ିବାରେ ଲାଗିଛି। ବାହାରକୁ ସିନା ଉଭୟ ଦେଶର ସରକାର ଚୁପ୍ ରହିଛନ୍ତି, ହେଲେ ବ୍ୟବସାୟରେ ଏହାର ପରିଣାମ ସ୍ପଷ୍ଟ ଦେଖା ଗଲାଣି। ଭାରତରେ ଅଟୋମୋବାଇଲ୍ ସମ୍ପର୍କିତ କୌଣସି ନିବେଶ ନ କରିବାକୁ ଚୀନ ନିଜ ଦେଶର କାର୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ତା ସହିତ ଇଲେକ୍ଟ୍ରିକ୍ ଯାନ ତିଆରିର କୌଣସି ଆଡ୍ଭାନ୍ସ ଟେକ୍ନୋଲୋଜୀ ଭାରତକୁ ଶିଖାଅ ନାହିଁ ବୋଲି ବୋଲି କହିଛି। ଏପଟେ ଭାରତ ମଧ୍ୟ ଚୀନର ଷ୍ଟୀଲ୍ ଆମଦାନୀ ଓ କୀଟନାଶକ ଉପରେ ଶୁଳ୍କ ବୃଦ୍ଧି କରିଛି। ଅନ୍ତର୍ଜାତୀୟ ଗଣମାଧ୍ୟମ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଗତ ଜୁଲାଇ ମାସରେ ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଏକାଧିକ ଅଟୋ ନିର୍ମାତା କମ୍ପାନୀଙ୍କ ସହ ବୈଠକ କରିଥିଲେ। ଏଥିରେ ଭାରତରେ ଅଟୋ ସମ୍ପର୍କିତ ନିବେଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଟୋ ସେକ୍ଟରରେ ଟେକ୍ନୋଲୋଜୀକୁ ଭାରତ ଠାରୁ ଲୁଚାଇ ରଖିବା ଚୀନର ମୂଳ ଉଦ୍ଦେଶ୍ୟ। ଏଥିସହିତ ବିଶ୍ୱସ୍ତରରେ ଚୀନ ପ୍ରଡକ୍ସନର ବିସ୍ତାର ଯୋଗୁ ଲାଗୁଥିବା କଟକଣାରୁ ରକ୍ଷା ପାଇବାକୁ ଚୀନ ଏହି ନିଷ୍ପତ୍ତି ନେଇଥିବା ବ୍ଲୁମବର୍ଗରେ ରିପୋର୍ଟ ପ୍ରକାଶ ପାଇଛି। ଚୀନ କମ୍ପାନୀମାନେ ଆବିଷ୍କାର କରୁଥିବା ସବୁ ଆଡଭାନ୍ସ ଇଭି ଟେକ୍ନୋଲୋଜୀର ଜ୍ଞାନକୁ ନିଜ ଦେଶରେ ସୁରକ୍ଷିତ ରଖିବାକୁ ଚାହୁଁଛି। ଏଥିପାଇ

ବ୍ୟବସାୟରେ ପଙ୍ଗା, ସୀମାରେ ଥଣ୍ଡା: ରୋଚକ ମୋଡ଼ରେ ଚୀନ ଓ ଭାରତ ସମ୍ପର୍କ

ନୂଆଦିଲ୍ଲୀ: ଭାରତ ଓ ଚୀନ ସମ୍ପର୍କରେ ଖାଲି ଧୂଆଁ ହିଁ ଧୂଆଁକାରଣ ଭିତରେ ଭିତରେ କୁହୁଳିଛି ନିଆଁ। ଦୁଇ ଦେଶ ମଧ୍ୟରେ ତିକ୍ତତା ଧୀରେ ଧୀରେ ଭଢ଼ିବାରେ ଲାଗିଛି। ବାହାରକୁ ସିନା ଉଭୟ ଦେଶର ସରକାର ଚୁପ୍ ରହିଛନ୍ତିହେଲେ ବ୍ୟବସାୟରେ ଏହାର ପରିଣାମ ସ୍ପଷ୍ଟ ଦେଖା ଗଲାଣି। ଭାରତରେ ଅଟୋମୋବାଇଲ୍ ସମ୍ପର୍କିତ କୌଣସି ନିବେଶ ନ କରିବାକୁ ଚୀନ ନିଜ ଦେଶର କାର୍ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ତା ସହିତ ଇଲେକ୍ଟ୍ରିକ୍ ଯାନ ତିଆରିର କୌଣସି ଆଡ୍ଭାନ୍ସ ଟେକ୍ନୋଲୋଜୀ ଭାରତକୁ ଶିଖାଅ ନାହିଁ ବୋଲି ବୋଲି କହିଛି। ଏପଟେ ଭାରତ ମଧ୍ୟ ଚୀନର ଷ୍ଟୀଲ୍ ଆମଦାନୀ ଓ କୀଟନାଶକ ଉପରେ ଶୁଳ୍କ ବୃଦ୍ଧି କରିଛି। 


ଅନ୍ତର୍ଜାତୀୟ ଗଣମାଧ୍ୟମ ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଗତ ଜୁଲାଇ ମାସରେ ଚୀନର ବାଣିଜ୍ୟ ମନ୍ତ୍ରଣାଳୟ ଏକାଧିକ ଅଟୋ ନିର୍ମାତା କମ୍ପାନୀଙ୍କ ସହ ବୈଠକ କରିଥିଲେ। ଏଥିରେ ଭାରତରେ ଅଟୋ ସମ୍ପର୍କିତ ନିବେଶ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଟୋ ସେକ୍ଟରରେ ଟେକ୍ନୋଲୋଜୀକୁ ଭାରତ ଠାରୁ ଲୁଚାଇ ରଖିବା ଚୀନର ମୂଳ ଉଦ୍ଦେଶ୍ୟ। ଏଥିସହିତ ବିଶ୍ୱସ୍ତରରେ ଚୀନ ପ୍ରଡକ୍ସନର ବିସ୍ତାର ଯୋଗୁ ଲାଗୁଥିବା କଟକଣାରୁ ରକ୍ଷା ପାଇବାକୁ ଚୀନ ଏହି ନିଷ୍ପତ୍ତି ନେଇଥିବା ବ୍ଲୁମବର୍ଗରେ ରିପୋର୍ଟ ପ୍ରକାଶ ପାଇଛି। 


ଚୀନ କମ୍ପାନୀମାନେ ଆବିଷ୍କାର କରୁଥିବା ସବୁ ଆଡଭାନ୍ସ ଇଭି ଟେକ୍ନୋଲୋଜୀର ଜ୍ଞାନକୁ ନିଜ ଦେଶରେ ସୁରକ୍ଷିତ ରଖିବାକୁ ଚାହୁଁଛି। ଏଥିପାଇଁ ସବୁ ମୁଖ୍ୟ ଓ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ କେବଳ ଚୀନରେ କରିବାକୁ ଜିନପିଙ୍ଗ ସରକାର ଘରୋଇ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗାଡ଼ି ଆସେମ୍ବଲି ପାଇଁ ଆବଶ୍ୟକ ନକ୍‌ ଡାଉନ୍ କିଟ୍ ଚୀନରେ ତିଆରି କରି ରପ୍ତାନୀ କରିବାକୁ ନିର୍ଦ୍ଦେଶ ରହିଛି। ଏଭଳି କରିବା ପଛରେ ଚୀନର ଚାଲ୍ ହେଲା ମୁଖ୍ୟ ଉତ୍ପାଦନ ପ୍ରକ୍ରିୟା ଉପରେ ନିୟନ୍ତ୍ରଣ ରଖିବା ଓ ଚୀନ ନିର୍ମିତି ଇଭି ଉପରେ ଶୁଳ୍କରୁ ବର୍ତ୍ତିବା। 

କେବଳ ଭାରତ ନୁହେଁ, ତୁର୍କୀ ଓ ଅନ୍ୟ ଦେଶ ପାଇଁ ମଧ୍ୟ ଏହି ନିୟମ ଲାଗୁ କରିଛି ଚୀନ। ବିଦେଶରେ ଅଟୋ ସେକ୍ଟରରେ କୌଣସି ନିବେଶ କରିବା ପୂର୍ବରୁ ପ୍ରଥମେ ବାଣିଜ୍ୟ ମନ୍ତ୍ରଣାଳୟ ଓ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସୂଚନା ଦେବାକୁ ଚୀନ ନିଜ କାର ନିର୍ମାତା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛି। 

ସେପଟେ ଚୀନ ଉପରେ ବିଦେଶରେ ଯେତେ କଟକଣା ଲଗାଇଲେ ବି ଡ୍ରାଗନକୁ ରୋକିବା ସମ୍ଭବ ହେଉନି। ଚୀନରେ ପ୍ରଡକ୍ସନ ହେଉଥିବା ଇଭିକୁ ରୋକିବାକୁ କାନାଡ଼ା, ଆମେରିକା ଓ ୟୁରୋପୀୟ ଦେଶଗୁଡିକରେ ଶୁଳ୍କ ବୃଦ୍ଧି କରିଛନ୍ତି। ଏହାସତ୍ତ୍ୱେ ବି ଇଭି ବିକ୍ରିରେ ରେକର୍ଡ କରିଛି ଚୀନ। ଗୋଟିଏ ମାସରେ ଏକ ମିଲିଅନ(୧୦ ଲକ୍ଷ)ରୁ ଅଧିକ ଇଭି ସେଲ୍ କରିଥିବା ପ୍ରଥମ ଦେଶ ହୋଇଛି ଚାଇନା। ଡାଟା ମାର୍କେଟ ରିସର୍ଚ ଫାର୍ମ ରୋ ମୋସନ(Rho Motion) ଏହି ରିପୋର୍ଟ ପ୍ରକାଶ କରିଛି। ଚୀନ ଅଗଷ୍ଟ ମାସରେ ଏହି ସଫଳତା ହାସଲ କରିଥିବା ବେଳେ ଡିସେମ୍ବର ମାସରେ ବି ୭୦ ହଜାର ଇଭି ବିକ୍ରି କରି ରେକର୍ଡ କରିଥିଲା ଚାଇନା। ଅଗଷ୍ଟ ୨୦୨୪ରେ ସାରା ବିଶ୍ୱରେ ମୋଟ ୧.୪୫ ମିଲିଅନ ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ଓ ପ୍ଲଗ ଇନ ହାଇବ୍ରିଡି ଗାଡ଼ି ବିକ୍ରି ହୋଇଛି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ୯.୮ ମିଲିଅନ ଇଲେକ୍ଟ୍ରିକ ଭେଇକଲ ବିକ୍ରି ହୋଇଥିବା Rho Motion ରିପୋର୍ଟ ଦେଇଛି। 

ଭାରତ ପ୍ରତି ଚୀନର ଏଭଳି ମନଭାବକୁ ମଧ୍ୟ ବାଣିଜ୍ୟରେ କଡ଼ା ଜବାବ ଦେଉଛି ଭାରତ। ପୂର୍ବରୁ ଚୀନର କିଛି ସୋସିଆଲ୍ ମିଡିଆ ଓ ବ୍ରାଉଜର ବ୍ୟାନ୍ କରାଯାଇଛି। ସେହିପରି ବେଆଇନ କାର୍ଯ୍ୟର ସୁରାକ ମିଳିଲେ ଭାରତରେ ଥିବା ଚୀନ କମ୍ପାନୀ ଉପରେ କାର୍ଯ୍ୟାନୁଷ୍ଠାନ ବି ହେଉଛି। ଏହା ବାଦ୍ ଚୀନରୁ ଆମଦାନୀ ହେଉଥିବା କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ମଧ୍ୟ ଶୁଳ୍କ ବୃଦ୍ଧି କରିଛନ୍ତି ଭାରତ ସରକାର।    

ଚୀନ ଓ ଭିଏତନାମରୁ ଆମଦାନୀ ହେଉଥିବା ଷ୍ଟୀଲ ଉପରେ ୧୨ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ଆମଦାନୀ ଟ୍ୟାକ୍ସ ବଢ଼ାଇଛନ୍ତି ଭାରତ ସରକାର। ଚୀନର ଉତ୍ପାଦନ ବନ୍ୟାରେ ଚାପି ହୋଇଯାଉଥିବା ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରମାଳୟ ପକ୍ଷରୁ ସୂଚନା ମିଳିଛି। ଚୀନ ଓ ଭିଏତନାମରୁ ଆମଦାନୀ ହେଉଥିବା ୱେଲ୍‌ଡେଡ୍‌ ଷ୍ଟେନ୍‌ଲେସ ଷ୍ଟୀଲ ପାଇପ୍ସ ଓ ଟ୍ୟବ୍ସ ଉପରେ ଆସନ୍ତା ୫ ବର୍ଷ ପାଇଁ ଟ୍ୟାକ୍ସ ଲାଗିବ। ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

କେବଳ ଷ୍ଟୀଲ ନୁହେଁ, ଚୀନରୁ ଆମଦାନୀ ହେଉଥିବା କୀଟନାଶକ ଉପରେ ମଧ୍ୟ ଭାରତ ସରକାର ଶୁଳ୍କ ଅବଧି ବଢ଼ାଇଛନ୍ତି। ଚୀନ କୀଟନାଶକ ଉପରେ ପୂର୍ବରୁ ଲାଗୁଥିବା ଆଣ୍ଟି ସବ୍ସିଡି ଶୁଳ୍କ ଅବଧିକୁ ଆଉ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇଛି। ଅର୍ଥାତ୍ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଚୀନରୁ ଆସୁଥିବା କୀଟନାଶକ ଉପରେ ଏହି ଶୁଳ୍କ ଲାଗିବ। ଘରୋଇ କୀଟନାଶକ ଉଦ୍ୟୋଗକୁ ଚୀନର ଶସ୍ତା ମାଲ ଚାପରୁ ସୁରକ୍ଷା ଦେବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସେପ୍ଟେମ୍ବର ୧୩ ତାରିଖରେ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। 

ବାଣିଜ୍ୟ କ୍ଷେତ୍ରରେ ଚୀନ ଓ ଭାରତ ପରସ୍ପର ଉପରେ ପ୍ରତିବନ୍ଧକ ଲଗାଉଥିଲେ ବି ସୀମାରେ କିନ୍ତୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧୁରୁଛି। ଚୀନ ସହିତ ସୀମା ବିଦାର ପାଖାପାଖି ୭୫ ପ୍ରତିଶତ ସମାଧାନ ହୋଇଛି। ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ସୂଚନା ଦେଇଥିଲେ। ଜୟଶଙ୍କର ପ୍ରତିକ୍ରିୟା ପରେ ଶୁକ୍ରବାର ଚୀନ ଏସମ୍ପର୍କରେ ପ୍ରତିକ୍ରିୟା ଦେଇଛି। 

ସେପ୍ଟେମ୍ବର ୧୨ ତାରିଖରେ ସୁଇଜରଲ୍ୟାଣ୍ଡର ଜେନେଭା ଠାରେ ଏକ ବିଦେଶୀ ସଂସ୍ଥା ସହିତ ଆଲୋଚନା କଲା ବେଳେ ଚୀନ ସହିତ ସୀମା ବିବାଦ ନେଇ ପ୍ରତିକ୍ରିୟା ଦେଇଥିଲେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ୭୫ ପ୍ରତିଶତ ବିବାଦର ସମାଧନ ହୋଇଛି ବୋଲି ଜୟଶଙ୍କର କହିଥିଲେ। ଏହାର ଗୋଟିଏ ଦିନ ପରେ ସେପ୍ଟେମ୍ବର ୧୩ ଚୀନ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ପୂର୍ବ ଲଦାଖର ଗଲୱାନ ଭ୍ୟାଲି ସମେତ ୪ଟି ସ୍ଥାନରେ ଉଭୟ ପକ୍ଷରୁ ସେନା ପ୍ରତ୍ୟାହାର ହୋଇଛି ବୋଲି ଚୀନ କହିଛି। ସୀମାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ଶୁକ୍ରବାର ଚୀନ ସରକାର ପ୍ରତିକ୍ରିୟା ଦେଇଛନ୍ତି।

 

ଚୀନ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ମାଓ ନିଙ୍ଗ କହିଛନ୍ତି ସେପ୍ଟେମ୍ବର ୧୨ରେ ଭାରତ ଓ ଚୀନ ମଧ୍ୟରେ ରଷର ସେଣ୍ଟ ପିଟସବର୍ଗରେ ବୈଠକ ହୋଇଥିଲା। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ଇଙ୍କ ମଧ୍ୟରେ ଏହି ବୈଠକରେ ଯୋଗ ଦେଇଥିଲେ। ଏଥିରେ ଦ୍ୱିପାଖିକ ସମ୍ପର୍କରେ ସୁଧାରଣ ଆଣିବା ପାଇଁ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବାକୁ ଦୁଇ ଦେଶ ରାଜି ହୋଇଛନ୍ତି ବୋଲି ନିଙ୍ଗ କହିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବ୍ରିକ୍ସ ସମ୍ମିଳନୀ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଏହି ଆଲୋଚନା ହୋଇଥିବା ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବି ସୂଚନା ମିଳିଛି। 

ବାଣିଜ୍ୟ କ୍ଷେତ୍ରରେ ଭାରତ ଓ ଚୀନ ମଧ୍ୟରେ ସମ୍ପର୍କ ତିକ୍ତ ରହିଥିବା ବେଳେ ସୀମାରେ ସ୍ଥିତି ସୁଧୁରିଛି। ଆଗକୁ ଭାରତ ଓ ଚୀନ ସମ୍ପର୍କ କେମିତି ରହିବ ତା ଉପରେ ସମସ୍ତଙ୍କ ନଜର।