ବ୍ୟବସ୍ଥିତ ହୋଇପାରୁନି ଜଗା ଦର୍ଶନ : ଖରାରେ ସିଝୁଛନ୍ତି, ବର୍ଷାରେ ଭିଜୁଛନ୍ତି ଭକ୍ତ
ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଛୁଟି ଆସୁଛନ୍ତି। ହେଲେ ଜଗା ଦୁଆରେ ଭୋଗୁଛନ୍ତି ଦର୍ଶନ ଯାତନା। ଲମ୍ବା ଲାଇନ୍ରେ ଶ୍ରଦ୍ଧାଳୁଙ୍କୁ ଦୀର୍ଘ ସମୟ ଛିଡ଼ା ହେବାକୁ ପଡୁଛି। ବଡ଼ କଥା ହେଉଛି, ସିଂହଦ୍ୱାର ପାର୍ଶ୍ବରୁ ହଟିଯାଇଛି ସେଡ୍। ଫଳରେ ଟାଇଁଟାଇଁ ଖରାରେ ସିଝୁଛନ୍ତି ଆଉ ଢୁ’ ଢୁ’ ବର୍ଷାରେ ଭିଜୁଛନ୍ତି ଭକ୍ତ। ମୋଟାମୋଟି କହିବାକୁ ଗଲେ, ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ବିଶେଷକରି ଚାରିଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ପରେ […]

ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ କାହିଁ କେତେ ଦୂରରୁ ଭକ୍ତ ଛୁଟି ଆସୁଛନ୍ତି। ହେଲେ ଜଗା ଦୁଆରେ ଭୋଗୁଛନ୍ତି ଦର୍ଶନ ଯାତନା। ଲମ୍ବା ଲାଇନ୍ରେ ଶ୍ରଦ୍ଧାଳୁଙ୍କୁ ଦୀର୍ଘ ସମୟ ଛିଡ଼ା ହେବାକୁ ପଡୁଛି। ବଡ଼ କଥା ହେଉଛି, ସିଂହଦ୍ୱାର ପାର୍ଶ୍ବରୁ ହଟିଯାଇଛି ସେଡ୍। ଫଳରେ ଟାଇଁଟାଇଁ ଖରାରେ ସିଝୁଛନ୍ତି ଆଉ ଢୁ’ ଢୁ’ ବର୍ଷାରେ ଭିଜୁଛନ୍ତି ଭକ୍ତ। ମୋଟାମୋଟି କହିବାକୁ ଗଲେ, ଦର୍ଶନ ବ୍ୟବସ୍ଥାରେ ସୁଧାର ଆସିପାରୁନାହିଁ। ବିଶେଷକରି ଚାରିଦ୍ୱାରରେ ଭକ୍ତଙ୍କୁ ପ୍ରବେଶ ଅନୁମତି ପରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଭିତରେ ହନ୍ତସନ୍ତ ହେଉଛନ୍ତି ଭକ୍ତ। ବେଳେବେଳେ ଗହଳି ଏମିତି ହେଉଛି ଅନେକେ ଅଣନିଃଶ୍ୱାସୀ ହୋଇପଡ଼ୁଛନ୍ତି। ଏପରିକିି, ଭିଡ଼ ଦେଖି ଭିତରକୁ ପଶିବାକୁ ସାହସ କରୁନାହାନ୍ତି କିଛି ଭକ୍ତ। ବାହାରୁ ମୁଣ୍ଡିଆ ମାରି ଫେରିଯାଉଛନ୍ତି। ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା ନ କରି ଚାରିଦ୍ୱାରରେ ପ୍ରବେଶ ଅନୁମତି ଦିଆଯିବା ପରେ କଲବଲ ହେଉଛନ୍ତି ଶ୍ରଦ୍ଧାଳୁ। ବିଶେଷକରି ଛୁଟିଦିନ ଏବଂ ପର୍ବପର୍ବାଣୀରେ ସ୍ଥିତି ଅଣାୟତ୍ତ ହୋଇପଡ଼ୁଛି। ଫଳରେ ଅନେକ ଶ୍ରଦ୍ଧାଳୁ ତିକ୍ତ ଅନୁଭୂତି ନେଇ ଘରକୁ ଫେରୁଛନ୍ତି।
ପୂର୍ବ ସରକାର ସମୟରେ ସିଂହଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ। ଭକ୍ତଙ୍କ ସୁବିଧା ପାଇଁ ଶୀତତାପ ନିୟନ୍ତ୍ରିତ ସେଡ୍ କରାଯାଇଥିଲା। ଏପରିକି, ନୀତି ବିଳମ୍ବ ହେଲେ ସେହି ଧାଡ଼ିରେ ବସିବାର ବ୍ୟବସ୍ଥା ଥିଲା। ପାନୀୟ ଜଳ ସାଙ୍ଗକୁ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉଥିଲା। ହେଲେ ଏବେ ସିଂହଦ୍ୱାର ପାର୍ଶ୍ବରେ ବ୍ୟାରିକେଡ୍ ଥିଲେ ହେଁ ମୁଣ୍ଡ ଉପରେ ସେଡ୍ ନାହିଁ। ଅଗ୍ନିଶମ ବିଭାଗ ପକ୍ଷରୁ ପର୍ଯ୍ୟାପ୍ତ ମାତ୍ରାରେ ଜଳ ସିଞ୍ଚନ କରାଯାଉନାହିଁ। ରବିବାର ଭକ୍ତଙ୍କ ଭିଡ଼ ସାଙ୍ଗକୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଅପରାହ୍ଣ ୧ଟାରୁ ଦର୍ଶନ ବନ୍ଦ ଥିଲା। ତେଣୁ ପ୍ରବଳ ଖରାରେ ଶ୍ରଦ୍ଧାଳୁ କଲବଲ ହୋଇଥିଲେ। ସେଡ୍ ନ ଥିବାରୁ ମୁଣ୍ଡ ତାତି ଯାଉଥାଏ। ଏପରିକି ଅନେକଙ୍କ ଗୋଡ଼ ମଧ୍ୟ ପୋଡ଼ଇ ଯାଉଥିଲା। ଫଳରେ ସେମାନେ ସିଂହଦ୍ୱାର ଆଗରେ ଦୌଡ଼ିଦୌଡ଼ି ଛାଇ ଥିବା ଜାଗାକୁ ଯାଉଥିବା ଦେଖିବାକୁ ମିଳିଥିଲା। ଏଭଳି ସ୍ଥିତିକୁ ନେଇ ଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ସେଡ୍ ନିର୍ମାଣ ଦାବି କରିଛନ୍ତି। କେବଳ ଖରା କଷ୍ଟ ନୁହେଁ, ବର୍ଷାରେ ବି ଭକ୍ତମାନେ କଲବଲ ହେଉଛନ୍ତି। ଖୁବ୍ଶୀଘ୍ର ବ୍ୟାରିକେଡରେ ସେଡ୍ ବ୍ୟବସ୍ଥା କରାଯାଇ ଆନୁଷଙ୍ଗିକ ମୌଳିକ ସୁବିଧା ଯୋଗାଇଦେବା ଲାଗି ସେବାୟତ ଓ ଭକ୍ତମାନେ ଦାବି କରିଛନ୍ତି।
ରବିବାର ଉତ୍ତରପ୍ରଦେଶ ବରେଲିରୁ ଆସିଥିବା ଭକ୍ତ ଅଜୟ କୁମାର ଶର୍ମା କହିଛନ୍ତି, ଖରାରୁ ଭକ୍ତମାନେ କିପରି ରକ୍ଷା ପାଇବେ ସେଥିପାଇଁ ସେଡ୍ ଏବଂ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା ହେବା ଦରକାର। ମନ୍ଦିରରେ ପ୍ରବଳ ଭିଡ଼ ହେଉଛି। ଦର୍ଶନ ବ୍ୟବସ୍ଥା କିପରି ଶୃଙ୍ଖଳିତ ହୋଇପାରିବ ତା’ ଉପରେ ମଧ୍ୟ ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ। ସେହିପରି ଖୋର୍ଦ୍ଧା ନାଚୁଣୀର ବିଭୂତି ଭୂଷଣ ମହାପାତ୍ର କହିଛନ୍ତି, ପୂର୍ବରୁ ସେଡ୍ ଥିଲା, ଆଉ ଏବେ ତାହା ନାହିଁ। ଖରାରେ ମୋ ଭଳି ଭକ୍ତମାନେ କଲବଲ ହେଉଛନ୍ତି। ଗୋଡ଼ ତାତି ଯାଉଛି।ଛୋଟ ଛୁଆଙ୍କୁ ଆଣି ଆସୁଥିବା ଭକ୍ତମାନେ ସବୁଠୁ ଅଧିକ ହଇରାଣ ହେଉଛନ୍ତି।
ଏ ସମ୍ପର୍କରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି, ସବୁ ସମସ୍ୟାର ସମଧାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ। ନୂଆକରି ନିର୍ମାଣ କରାଯାଇଥିବା ବଡ଼ଆଖଡ଼ା ମଠ ପଛପାର୍ଶ୍ବ ଦେଇ ବ୍ୟାରିକେଡରେ ସେଡ୍ ବ୍ୟବସ୍ଥା ଖୁବ୍ଶୀଘ୍ର କରାଯିବ। ଭକ୍ତମାନେ ଯେପରି ଭଲ ଭାବେ ଦର୍ଶନ କରିବେ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି।