ବ୍ୟାଙ୍କକ୍‌ରୁ ଆଣୁଥିଲେ ୧୧ କୋଟି ମୂଲ୍ୟର ଗଞ୍ଜେଇ, ବିମାନବନ୍ଦରରେ ଧରା ପଡ଼ିଗଲେ

ବିମାନ ବନ୍ଦରରୁ ଜବତ ହେଲା ୧୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ । ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଜବତ ହୋଇଛି ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟ।

ବ୍ୟାଙ୍କକ୍‌ରୁ ଆଣୁଥିଲେ ୧୧ କୋଟି ମୂଲ୍ୟର ଗଞ୍ଜେଇ, ବିମାନବନ୍ଦରରେ ଧରା ପଡ଼ିଗଲେ

ବିମାନ ବନ୍ଦରରୁ ଜବତ ହେଲା ୧୧ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ । ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ଜବତ ହୋଇଛି ଏହି ବିପୁଳ ପରିମାଣର ନିଶା ଦ୍ରବ୍ୟ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରୁ ଜବତ ହୋଇଛି ଏହି ଗଞ୍ଜେଇ।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସମସ୍ତ ଯାତ୍ରୀଙ୍କ ବ୍ୟାଗ୍‌କୁ ତନ ତନ କରି ଯାଞ୍ଚ କରାଯାଇଥିଲା। ଏହାପରେ ବ୍ୟାଙ୍କକ୍‌ରୁ ଆସିଥିବା ଜଣେ ଯାତ୍ରୀଙ୍କ ବ୍ୟାଗ୍‌ରୁ ପ୍ଲାଷ୍ଟିକ ପାଉଚରୁ ଲୁଚାଇ ରଖାଯାଇଥିବା କିଛି ପଦାର୍ଥକୁ ଜବତ କରାଯାଇଥିଲା। ପରୀକ୍ଷାରୁ ତାହା ଗଞ୍ଜେଇ ବୋଲି ଜଣାପଡ଼ିଥିଲା। ଏହା ଉନ୍ନତ ମାନର ଗଞ୍ଜେଇ ହୋଇଥିବା ବେଳେ ବଜାର ମୂଲ୍ୟ ବି ଅଧିକ ଥିବା ଜଣାପଡ଼ିଛି। ଜବତ ଗଞ୍ଜେଇର ଓଜର ୧୧ କେଜି ୩୨୨ ଗ୍ରାମ ହୋଇଥିବା ବେଳେ ତାହା ବଜାର ମୂଲ୍ୟ ୧୧ କୋଟି ୩୨ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି।

ଏହି ଘଟଣାରେ ପୁଲିସ୍‌ ସମ୍ପୃକ୍ତ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେ ଗଞ୍ଜେଇ କେଉଁଠୁ ଆଣିଲେ ଓ ଭାରତରେ କାହାକୁ ଦେବା ଉଦ୍ଦେଶ୍ୟରେ ଆଣିଲେ ତାହା ଜଣାପଡ଼ିନି।

ଏହାର ଦିନକ ପୂର୍ବରୁ ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ୨ ଜଣଙ୍କ ନିକଟରୁ ୨କେଜି ସୁନା ଜବତ ହୋଇଥିଲା। ଜଣେ ଯାତ୍ରୀ କଷ୍ଟମ ଅଧିକାରୀଙ୍କ ଆଖିରୁ ବର୍ତ୍ତିବାକୁ ନିଜ ଶରୀରରେ ସୁନାକୁ ଲୁଚାଇ ରଖିଥିଲେ। ମାତ୍ର ଯାଞ୍ଚ ବେଳେ ତାହା ଧରା ପଡ଼ିଗଲା। ଏହାବାଦ ଉକ୍ତ ସମୟରେ ଏୟାରପୋର୍ଟରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଜଣେ ଟ୍ରାନଜିଟ୍‌ ଯାତ୍ରୀ ନିଜ ବ୍ୟାଗ୍‌ ଦେଇଥିଲେ। ଯାହାକୁ ଯାଞ୍ଚ ପରେ ସେଥିରୁ ବି ସୁନା ବାହାରିଥିଲା। ଏହି ଘଟଣାରେ ଦୁଇ ଜଣଙ୍କ ନିକଟରୁ ପ୍ରାୟ ୨ କେଜିରୁ ଅଧିକ ସୁନା ଜବତ ହୋଇଛି। ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି।