ବଡ଼ ଧରଣର ଏନକାଉଣ୍ଟର, ୧୨ ନକ୍ସଲ ନିହତ

ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ବଡ଼ ଧରଣର ଏନକାଉଣ୍ଟର, ୧୨ ନକ୍ସଲ ନିହତ

ମହାରାଷ୍ଟ୍ର ଗଡ଼ଚିରୋଲି ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି।

ଗଡ଼ଚିରୋଲି ଏସ୍‌ପି କହିଛନ୍ତି, ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରିଛି। ୩ଟି ଏକେ ୪୭, ୨ଟି ଇନ୍‌ସାସ୍‌ ରାଇଫଲ, ଗୋଟିଏ କାରବାଇ ଓ ଗୋଟିଏ ଏସ୍‌ଏଲ୍‌ଆର ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି।

ଏସ୍‌ପି କହିଛନ୍ତି, ଆଜି ଅପରାହ୍ନରେ ଏହି ଏନ୍‌କାଉଣ୍ଟର ହୋଇଥିଲା। C60 କୋମାଣ୍ଡୋ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ୬ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା। ଏଥିରେ C60ର ଜଣେ ସବ୍‌-ଇନ୍ସପେକ୍ଟର ଓ ଜଣେ ଯବାନ ଆହତ ହୋଇଛନ୍ତି। ସେମାନେ ବିପଦମୁକ୍ତ ଅଛନ୍ତି। ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନାଗପୁର ସ୍ଥାନାନ୍ତର କରାଯାଇଥିଲା।

୧୨ ନିହତ ନକ୍ସଲଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି। ତାଙ୍କ ନାଁ ଲକ୍ଷ୍ମଣ ଆତ୍ରାମ ଓରଫ ବିଶାଲ ଆତ୍ରାମ। ସେ ଡିଭିଜନାଲ କମିଟି ମେମ୍ବର ଥିଲେ। ସେ ଟିପାଗଡ଼ ଦଳମ ଦାୟିତ୍ୱରେ ଥିଲେ।

C60 କୋମାଣ୍ଡୋ ଓ ଗଡ଼ଚିରୋଲି ପୁଲିସ୍‌ର ଏହି ସଫଳତା ପାଇଁ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ୫୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଗଡ଼ଚିରୋଲି ଏସ୍‌ପି ଏହି ସୂଚନା ଦେଇଛନ୍ତି। ଏବେ ବି ଘଟଣାସ୍ଥଳ ଓ ଏହା ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।