ଭରତପୁର ଥାନା କାଣ୍ଡ: ନିଲମ୍ବିତ ୪ ପୁଲିସ୍ କର୍ମଚାରୀଙ୍କ ବି ହେବ ପଲିଗ୍ରାଫ ଟେଷ୍ଟ!
ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୪ ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କର ବି ହୋଇପାରେ ପଲିଗ୍ରାଫ ଟେଷ୍ଟ । ଏଥିନିମନ୍ତେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି।
ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ୍ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍ ଟେଷ୍ଟ ନିମନ୍ତେ ମିଳି ସାରିଛି ଅନୁମତି। ଏବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ନିମନ୍ତେ ଆଉ ୪ ନିଲମ୍ବିତ ପୁଲିସ୍ କର୍ମଚାରୀଙ୍କର ବି ହୋଇପାରେ ପଲିଗ୍ରାଫ ଟେଷ୍ଟ । ଏଥିନିମନ୍ତେ କ୍ରାଇମବ୍ରାଞ୍ଚ ପକ୍ଷରୁ ଆଜି ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରାଯାଇଛି।
ପୂର୍ବରୁ ଅଭିଯୁକ୍ତ ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଙ୍କର ପଲିଗ୍ରାଫ୍ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ଆବେଦନ କରିଥିଲା। ପଲିଗ୍ରାଫ୍ ଟେଷ୍ଟ ପାଇଁ ଦୀନକୃଷ୍ଣ ରାଜି ଥିବାରୁ କୋର୍ଟ ବି ଏହି ଆବେଦନ ଉପରେ ସହମତି ପ୍ରକାଶ କରି ସାରିଛନ୍ତି।
ଏଥିନିମନ୍ତେ ଦୀନକୃଷ୍ଣଙ୍କୁ ଗୁଜରାଟର ଗାନ୍ଧିନଗର ନେବ କ୍ରାଇମବ୍ରାଞ୍ଚ। ସେଠାରେ ତାଙ୍କର ପଲିଗ୍ରାଫ୍ ଟେଷ୍ଟ ସହିତ ନାର୍କୋ ଆନାଲିସିସ୍ ଓ ବ୍ରେନ୍ ଫିଙ୍ଗର ପ୍ରିଣ୍ଟିଂ ଟେଷ୍ଟ ବି ହେବ । ଏବେ ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ ନିଲମ୍ବିତ ହୋଇଥିବା ଆଉ ୪ ପୁଲିସ୍ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ ବି ଆବେଦନ କରାଯାଇଛି।
ଏହି ମାମଲାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଗତ ୨୫ ତାରିଖରେ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ। ଭରତପୁର ଥାନା ଓ ରୋଡ୍ ରୋମିଓ ଝାମେଲା କରିଥିବା ସ୍ଥାନରେ ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ।
ଗତ ୨୫ ତାରିଖରେ ସକାଳେ ପ୍ରଥମେ ଭରତପୁର ଥାନାରେ ମେଜର ଓ ପୀଡ଼ିତା ତଦନ୍ତକାରୀ ଟିମ୍ ଆଗରେ ସେଦିନର ଘଟଣା ବାବଦରେ ନିଜ ପକ୍ଷ ରଖିଥିଲେ। ସେଠାରେ ସେମାନଙ୍କୁ ନେଇ ସିନ୍ ରିକ୍ରିଏସନ କରାଯାଇଥିଲା। ଏହାପରେ ସେମାନଙ୍କୁ ନେଇ ସୁନ୍ଦରପୁର ଯାଇଥିଲା ତଦନ୍ତକାରୀ ଟିମ୍। ସେଠାରେ ରୋଡ୍ ରୋମିଓମାନେ ପୀଡ଼ିତା ଓ ମେଜରଙ୍କୁ ଅଟକାଇଥିଲେ। ଫଳରେ ସେଠାରେ ସେମାନଙ୍କ ମଧ୍ୟରେ ବଚସା ଓ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ସମସ୍ତ ତଦନ୍ତ ଓ ଯାଞ୍ଚ ପ୍ରକ୍ରିୟାର କ୍ୟାମେରାରେ ରେକର୍ଡ କରାଯାଇଛି। କ୍ରାଇମବ୍ରାଞ୍ଚ ସହିତ ଫୋରେନସିକ୍ ଟିମ୍ ମଧ୍ୟ ଥିଲେ।
ଉକ୍ତ ଦିନ ଅପରାହ୍ନରେ ଭରତପୁର ଥାନାରେ ପହଞ୍ଚିଥିଲେ ଏହି ମାମଲାରେ ନିଲମ୍ବିତ ହୋଇଥିବା ପୁଲିସ କର୍ମଚାରୀ। ସେମାନଙ୍କୁ ଧରି ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।