ଭରତପୁର ଥାନା ହାଜତରେ ନିର୍ଯାତନା ଘଟଣା: ୨୪ ଘଣ୍ଟିଆ ହେଲପଲାଇନ୍ ଜାରି କଲା ଭାରତୀୟ ସେନା
ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତୀୟ ସେନା ପକ୍ଷରୁ ୨୪ଘଣ୍ଟିଆ ଏକ ହେଲପଲାଇନ୍ ନମ୍ବର ଜାରି ହୋଇଛି।
ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ହାଜତରେ ପୁଲିସ ନିର୍ଯାତନା ଦେବା ଘଟଣାର ପ୍ରାୟ ଦୁଇମାସ ପରେ ଭାରତୀୟ ସେନା ପକ୍ଷରୁ ନିଜ ଯବାନ,ଅଫିସର ଓ ଅବସରପ୍ରାପ୍ତ ସେନାକର୍ମୀଙ୍କ ସହାୟତା ପାଇଁ ଏକ ୨୪ଘଂଟିଆ ହେଲପଲାଇନ୍ ନମ୍ବର ଜାରି କରାଯାଇଛି । ଏହି ହେଲପଲାଇନ ନମ୍ବର ହେଉଛି-୧୫୫୩୦୬ ଯାହାକୁ କେବଳ ଅତି ଜରୁରୀ ପରିସ୍ଥିତିରେ ଓ ନିର୍ଯାତନା ଘଟଣାରେ ଉପଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।
ଜାତୀୟ ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତୀୟ ସେନା ପକ୍ଷରୁ ୨୪ଘଣ୍ଟିଆ ଏକ ହେଲପଲାଇନ୍ ନମ୍ବର ଜାରି ହୋଇଛି। ଯାହାକୁ ସେନାର ଯବାନ,ଅଫିସର ଓ ଅବସରପ୍ରାପ୍ତ ସେନାକର୍ମୀ ଜରୁରୀକାଳୀନ ସ୍ଥିତିରେ ସହାୟତା ପାଇବା ପାଇଁ ଉପଯୋଗ କରିପାରିବେ। ତେବେ ଜମି ବିବାଦ କିମ୍ବା ଦାମ୍ପତ୍ୟ କଳହ ଭଳି ଘଟଣାରେ ଏହି ହେଲପଲାଇନ୍ ନମ୍ବରକୁ ସହାୟତା ନମାଗିବାକୁ କୁହାଯାଇଛି । ଏହି ହେଲପଲାଇନକୁ କଲ କଲେ ତାହା ସ୍ୱତଃ ରେକର୍ଡ ହୋଇଯିବ । ପ୍ରତ୍ୟେକ ମାମଲାର ପ୍ରଭାବଶାଳୀ ଢଙ୍ଗରେ ଫଲୋଅପ୍ କରାଯିବ । ଦେଶବ୍ୟାପୀ ସେନା ଓ ସିଭିଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ରଖି ଏଭଳି ମାମଲା ଉପରେ ନଜର ରଖାଯିବ । ଏହି ହେଲପଲାଇନକୁ ସେନାର ପ୍ରଶିକ୍ଷିତ ମିଲିଟାରୀ ପୁଲିସ ଅଫିସରମାନେ ପରିଚାଳନା କରିବେ। ସେନାର କର୍ମୀମାନଙ୍କ ଉପରେ ନିର୍ଯାତନା ଘଟଣା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଏହି ସହାୟତା ଓ ସୁରକ୍ଷା ଯୋଗାଇ ଦେବାକୁ ପ୍ରୟାସ ହୋଇଥିବା କୁହାଯାଉଛି ।
ଭୁବନେଶ୍ୱରର ଭରତପୁର ଥାନାରେ ସେପ୍ଟେମ୍ବର ୧୪-୧୫ ତାରିଖ ରାତିରେ ଜଣେ ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସ ଅମାନବୀୟ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣା ସେତେବେଳେ ଚାଂଚଲ୍ୟ ସୃଷ୍ଟି କରିବା ସହ ଉଭୟ ରାଜ୍ୟ ଓ ରାଜ୍ୟ ପୁଲିସକୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ କରାଇଥିଲା । ଏହି ଘଟଣାର କ୍ରାଇମବ୍ରାଂଚ ତଦନ୍ତ ସହ ଥାନାର ୫ଜଣ ଅଫିସରଙ୍କୁ ପୁଲିସ ଡିଜି ୱାଇବି ଖୁରାନିଆ ନିଲମ୍ବନ କରିଥିଲେ । ପରେ ରାଜ୍ୟ ସରକାର ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।