ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଆକ୍ରମଣ ମାମଲା, ଗିରଫ ହେବେ ରୋଡ ରୋମିଓ: ଡିଜିପି

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂହ ଗୋସାଲ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଆକ୍ରମଣ ଘଟଣା ଭିନ୍ନ ମୋଡ଼ ନେଇଛି। ଘରକୁ ଫେରିବା ବାଟରେ ସେମାନଙ୍କୁ ଆକ୍ରମଣ କରିଥିବା ରୋଡ଼ ରୋମିଓଙ୍କୁ ଗିରଫ କରାଯିବ ବୋଲି ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ଗୁରୁବାର କହିଛନ୍ତି। ସେମାନଙ୍କୁ ଧରିବା ଲାଗି ପୁଲିସର ଏକ ସ୍ବତନ୍ତ୍ର ଦଳ ତଦନ୍ତ ଚଳାଇଛି। ଅନ୍ୟପଟେ ଜାମିନ ପାଇବା ପରେ ଚିକିତ୍ସାଧୀନ ଥିବା ବାନ୍ଧବୀ ହସ୍ପିଟାଲରେ ଗଣମାଧ୍ୟମ ସମ୍ମୁଖରେ କୋହଭରା […]

ଭରତପୁର ଥାନାରେ ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଆକ୍ରମଣ ମାମଲା, ଗିରଫ ହେବେ ରୋଡ ରୋମିଓ: ଡିଜିପି

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂହ ଗୋସାଲ ଓ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଆକ୍ରମଣ ଘଟଣା ଭିନ୍ନ ମୋଡ଼ ନେଇଛି। ଘରକୁ ଫେରିବା ବାଟରେ ସେମାନଙ୍କୁ ଆକ୍ରମଣ କରିଥିବା ରୋଡ଼ ରୋମିଓଙ୍କୁ ଗିରଫ କରାଯିବ ବୋଲି ପୁଲିସ ମହାନିର୍ଦେଶକ (ଡିଜିପି) ୱାଇବି ଖୁରାନିଆ ଗୁରୁବାର କହିଛନ୍ତି। ସେମାନଙ୍କୁ ଧରିବା ଲାଗି ପୁଲିସର ଏକ ସ୍ବତନ୍ତ୍ର ଦଳ ତଦନ୍ତ ଚଳାଇଛି। ଅନ୍ୟପଟେ ଜାମିନ ପାଇବା ପରେ ଚିକିତ୍ସାଧୀନ ଥିବା ବାନ୍ଧବୀ ହସ୍ପିଟାଲରେ ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ ନିର୍ଯାତନାର କାହାଣୀ ବଖାଣିଛନ୍ତି।

ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ନ୍ୟାୟ ପାଇଁ ଥାନାରେ ପହଞ୍ଚି ଥିବାବେଳେ ପୁଲିସ ନିର୍ଯାତନା ସବୁ ସୀମା ଟପି ଯାଇଥିଲା ବୋଲି ସେ କହିଛନ୍ତି। ମହିଳା ପୁଲିସ କର୍ମଚାରୀ ତାଙ୍କ ହାତବାନ୍ଧି ନିସ୍ତୁକ ମାଡ଼ ମାରିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଘଟଣାର ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। ସମ୍ପୂର୍ଣ୍ଣ ଘଟଣାକୁ ନେଇ ଗୁରୁବଂଶ ବୁଧବାର କ୍ରାଇମବ୍ରାଞ୍ଚରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଆଧାର କରି କ୍ରାଇମବ୍ରାଞ୍ଚ ଦଳ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। ତଦନ୍ତରେ ସ୍ବଚ୍ଛତା ରକ୍ଷା ପାଇଁ ଥାନା ଅଧିକାରୀଙ୍କ ସମେତ ୫ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

ଗୁରୁବଂଶଙ୍କ ଘର ପଞ୍ଜାବ ରୂପନଗର ଜିଲାରେ। ଭାରତୀୟ ସେନା ବିଭାଗରେ ସେ କ୍ୟାପ୍‌ଟେନ ଅଛନ୍ତି। ପଶ୍ଚିମବଙ୍ଗ କ୍ୟାମ୍ପରେ କାର୍ଯ୍ୟ କରୁଛନ୍ତି। ଗତ ୧୫ ତାରିଖରେ ସେ ବାନ୍ଧବୀ ଅଙ୍କିତାଙ୍କ ସହ ରାତି ପ୍ରାୟ ୧୨ଟା ୩୦ରେ ପଟିଆରୁ ପଥରଗାଡ଼ିଆ ରାସ୍ତା ଦେଇ କାର୍‌ରେ ଘରକୁ ଫେରୁଥିଲେ। ପଥରଗାଡ଼ିଆ ନିକଟରେ ୨ କାର୍‌ରେ କିଛି ଯୁବକ ଆସି ତାଙ୍କ କାର୍‌କୁ ଅଟକାଇଥିଲେ। ଉକ୍ତ ଗାଡ଼ିରୁ ଯୁବକମାନେ ବାହାରି ତାଙ୍କୁ ଆକ୍ରମଣ କରିବା ସହ ଧମକ ଦେଇ ସେଠାରୁ ପଳାଇ ଯାଇଥିଲେ। ଘଟଣା ସମ୍ପର୍କରେ ଅଭିଯୋଗ କରିବା ଲାଗି ଗୁରୁବଂଶ ଓ ବାନ୍ଧବୀ ଭରତପୁର ଥାନାରେ ରାତି ପ୍ରାୟ ୨ଟାରେ ପହଞ୍ଚି ଥିଲେ। ସେହି ସମୟରେ ଥାନାରେ ଜଣେ ପୁରୁଷ କନଷ୍ଟେବଳ ବସିଥିଲେ। ସେମାନେ ତାଙ୍କ ଅଭିଯୋଗ ରଖିବା ଲାଗି ଚାହିଁ ନଥିଲେ।

କେହି ଅଧିକାରୀ ଅଛନ୍ତି କି’ ତାଙ୍କୁ ଡାକନ୍ତୁ ବୋଲି ଗୁରୁବଂଶ କହିଥିଲେ। କିଛି ସମୟ ପରେ ଜଣେ ମହିଳା ଅଧିକାରୀ ସାଦା ପୋଷାକରେ ଆସିଥିଲେ। ତାଙ୍କୁ ମାମଲା ରୁଜୁ କରିବାକୁ କହିବାରୁ ସେ କିଛି ଶୁଣି ନଥିଲେ। ତୁମେ କାହିଁିକି ସାଦା ପୋଷାକରେ ଅଛ ବୋଲି ଅଙ୍କିତା ଉକ୍ତ ପୁଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କିଛି ସମୟ ମଧ୍ୟରେ ପାଟ୍ରୋଲିଂ କରୁଥିବା କେତେଜଣ ପୁଲିସ କର୍ମଚାରୀ ଆସି ପହଞ୍ଚିଥିଲେ। କ’ଣ ହୋଇଛି ବୋଲି ସେମାନେ ପଚାରିବା ସହିତ ଅଭିଯୋଗ ଲେଖି ଦେବା ଲାଗି ଗୁରୁବଂଶଙ୍କୁ କହିଥିଲେ। ହେଲେ ଏହି ସମୟରେ ଅଙ୍କିତାଙ୍କ ସହିତ ଉକ୍ତ ମହିଳା ଏଏସ୍ଆଇଙ୍କ ଯୁକ୍ତିତର୍କ ବଢ଼ି ଯାଇଥିଲା।

ଏପରିକି ଉଭୟଙ୍କ ମଧ୍ୟରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ସେପଟେ ପାଟିତୁଣ୍ଡ ଦେଖି ପୁଲିସ ଗୁରୁବଂଶଙ୍କୁ ଗାଳିଗୁଲଜ କରିବା ସହ ହାଜତ ଭିତରେ ପୂରାଇ ଦେଇଥିଲା। ଜଣେ ସେନା ଅଧିକାରୀଙ୍କୁ ବିନା ଏତଲାରେ ହାଜତରେ ରଖିପାରିବ ନାହିଁ ବୋଲି ଗୁରୁବଂଶ କହିଥିଲେ। ପରେ ଅଙ୍କିତା ଥାନା ବାହାରକୁ ଯାଉଥିବାବେଳେ ତାଙ୍କୁ ୩ ଜଣ ମହିଳା ପୁଲିସ କର୍ମଚାରୀ ଚୁଟି ଟାଣି ଏକ ରୁମ୍ ଭିତରକୁ ଘୋଷାରି ନେଇଥିଲେ।  ଓଢ଼ଣିରେ ହାତ ବାନ୍ଧି ଦେଇଥିଲେ। ଏପରିକି ତାଙ୍କ ଉପରେ ଠିଆ ହୋଇ ମାଡ଼ ମାରିଥିଲେ। ପୁଲିସ ମାଡ଼ରେ ଅଙ୍କିତା ଲହୁଲୁହାଣ ହୋଇଥିଲେ। ପୁଲିସ ତାଙ୍କୁ ନେଇ ହାଜତରେ ରଖି ଦେଇଥିଲା।

ଏଭଳି ଘଟଣା ରାତି ଅଢ଼େଇଟାରୁ ସକାଳ ପ୍ରାୟ ୬ଟା ପର୍ଯ୍ୟନ୍ତ ଚାଲିଥିଲା। ପରେ ପୁଲିସ ଗୁରୁବଂଶଙ୍କୁ ହାଜତରୁ ବାହାର କରି ଦେଇଥିଲା ବୋଲି ସେ ଅଭିଯୋଗରେ ଦର୍ଶାଇଛନ୍ତି। ହାଜତରୁ ବାହାରିବା ପରେ ଗୁରୁବଂଶ ଫୋନ୍ କରି କିଛି ସେନା ବନ୍ଧୁଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ବନ୍ଧୁମାନେ ପହଞ୍ଚିବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଅଙ୍କିତା ଆକ୍ରମଣରେ ଆହତ ହୋଇଥିବା ଜଣେ ମହିଳା ପୁଲିସ ଅଧିକାରୀ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଅଙ୍କିତାଙ୍କୁ ଅଦାଲତ ଚାଲାଣ କରିଥିଲା। ଉଚ୍ଚ ନ୍ୟାୟାଳୟରୁ ଅଙ୍କିତା ଜାମିନ ପାଇବା ପରେ ଚିକିତ୍ସାଧୀନ ଅଛନ୍ତି।