ଭାଜପା ବିରୋଧରେ ବଢିଲା ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା, ମିଶିଯିବେ କଂଗ୍ରେସ-ବିଜେଡି! ସୂଚନା ଦେଲେ…
ଭୁବନେଶ୍ୱର,୨୪।୭: ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ। ଯାହାକୁ ନେଇ ଏବେ ବୟାନବାଜି ବଢିବାରେ ଲାଗିଛି। ଏହାକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଦଳର ଆଭିମୁଖ୍ୟ କ’ ଣ ରହିବ ସେନେଇ ଦଳର ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। […] The post ଭାଜପା ବିରୋଧରେ ବଢିଲା ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା, ମିଶିଯିବେ କଂଗ୍ରେସ-ବିଜେଡି! ସୂଚନା ଦେଲେ… appeared first on Dharitri Odia News.
ଭୁବନେଶ୍ୱର,୨୪।୭: ପିସିସି ସଭାପତିଙ୍କ ଅନାସ୍ଥା ପ୍ରସ୍ତାବକୁ ନେଇ ରାଜନୀତି ସରଗରମ ରହିଛି। କଂଗ୍ରେସ ଓ ବିଜେଡି ମିଶି ଭାଜପା ସରକାରଙ୍କ ବିରୋଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ। ଯାହାକୁ ନେଇ ଏବେ ବୟାନବାଜି ବଢିବାରେ ଲାଗିଛି।
ଏହାକୁ ନେଇ ବିଜେଡି ନେତା ଭୂପିନ୍ଦର ସିଂ କହିଛନ୍ତି, ଦଳର ଆଭିମୁଖ୍ୟ କ’ ଣ ରହିବ ସେନେଇ ଦଳର ମୁଖ୍ୟ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ଅନାସ୍ଥା ପ୍ରସ୍ତାବ ଆସିଲେ ସରକାରଙ୍କ ଉପରେ ଅଧିକ ଚାପ ପଡିବ।
ଅନ୍ୟପଟେ ଅନାସ୍ଥା ଚର୍ଚ୍ଚା ଉପରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ତେର୍ଚ୍ଛାବାଣ ମାରିଛନ୍ତି। ତାରା କହିଛନ୍ତି, ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି। ଆମେ ୧୪ ବିଧାୟକ ଓ ଆମ ସହ ଜଣେ ସିପିଆଇ ବିଧାୟକ ବି ଅଛନ୍ତି। ବିଜେଡି ସମର୍ଥନ ନ କଲେ ଭାଜପା ସହ ଅଛି ବୋଲି ଜଣାପଡ଼ିବ। ଅନାସ୍ଥା କାଟ ଖାଇବ ନାହିଁ। ଭୋଟିଂ ପରେ ଜଣାପଡ଼ିବ।
ପ୍ରକାଶ ଥାଉକି, ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସମିଟ୍ରେ ରାଜ୍ୟ ସରକାରଙ୍କ ବିରୋଧରେ ତୀବ୍ର ଆକ୍ରମଣ କରି ବିଜୁ ଜନତା ଦଳ (ବିଜେଡି) ଅନାସ୍ଥା ପ୍ରସ୍ତାବ ଆଣିଲେ କଂଗ୍ରେସ ସମର୍ଥନ ଦେବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ଯଦି ବିଜେଡି ନାରୀ ନ୍ୟାୟ ପାଇଁ ଆନ୍ତରିକତା ସହ ଲଢୁଛି, ତେବେ ସେମାନେ ବିଧାନସଭାରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତୁ। ଆମେ ତାହାକୁ ସମର୍ଥନ ଦେବୁ।
ନଚେତ୍, ଆମେ ନିଜେ ଅନାସ୍ଥା ପ୍ରସ୍ତାବ ଆଣିବୁ ଏବଂ ବିଜେଡି ତାହାକୁ ସମର୍ଥନ ଦେଉ। ଭକ୍ତ ଦାସ ବାଲେଶ୍ବର ଘଟଣାକୁ ଅତ୍ୟନ୍ତ ଲଜ୍ଜାଜନକ ବୋଲି ବର୍ଣ୍ଣନା କରି କହିଛନ୍ତି, ଏହି ଘଟଣାକୁ ନେଇ ଆମେ ସମସ୍ତେ ଲଜ୍ଜିତ, କିନ୍ତୁ ଦୁଃଖର ବିଷୟ ଯେ ରାଜ୍ୟ ସରକାର ଏ ନେଇ ଲଜ୍ଜିତ ନୁହନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି ଯେ ସରକାର ଏପର୍ଯ୍ୟନ୍ତ ନୀରବ ଦ୍ରଷ୍ଟା ଭୂମିକାରେ ରହିଛନ୍ତି ଏବଂ ମହିଳା କମିଶନ ଗଠନ କରିବାରେ ବିଫଳ ହୋଇଛନ୍ତି। ଏହି ଘଟଣାରେ ନ୍ୟାୟ ପାଇଁ ସେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ନ୍ୟାୟିକ ତଦନ୍ତ ଦାବି କରିଛନ୍ତି।
ସେପଟେ ଭାଜପା କହିଛି, ରାଜ୍ୟରେ କଂଗ୍ରେସର ସ୍ଥିତି ନାହିଁ, ସେଥିପାଇଁ ଆଶାବାଡି ଖୋଜୁଛି। ଆଉ ଏଥିପାଇଁ ବିଜେଡିକୁ ସାଥି କରିଛି । ଏହାର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି ଭାଜପା ବିଧାୟକ ସରୋଜ ପାଢୀ।
The post ଭାଜପା ବିରୋଧରେ ବଢିଲା ଅନାସ୍ଥା ପ୍ରସ୍ତାବ ଚର୍ଚ୍ଚା, ମିଶିଯିବେ କଂଗ୍ରେସ-ବିଜେଡି! ସୂଚନା ଦେଲେ… appeared first on Dharitri Odia News.