ଭାରତ ଆଉ ଅପରାଜେୟ ନୁହେଁ, ଲଜ୍ଜା ମୁଣ୍ଡାଇଲେ ରୋହିତ-ଗମ୍ଭୀର ଯୋଡ଼ି

ଏକବିଂଶ ଶତାବ୍ଦୀରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଛାଡ଼ି ଦେଲେ ଭାରତକୁ କେହି ବି ନିଜ ମାଟିରେ ହରାଇ ପାରି ନଥିଲେ। ଭାରତ ଏକାକୀ ନିଜ ମାଟିର ରାଜା ଥିଲା।

ଭାରତ ଆଉ ଅପରାଜେୟ ନୁହେଁ, ଲଜ୍ଜା ମୁଣ୍ଡାଇଲେ ରୋହିତ-ଗମ୍ଭୀର ଯୋଡ଼ି

ଭାରତରେ ଆଉ ଭାରତୀୟ ଟିମ ଅପରାଜେୟ ନୁହେଁ। ନିଜ ଗଡ଼ରେ ବି ଭାରତକୁ ହାରିବାକୁ ପଡ଼ିପାରେ। ଏକଥା ନ୍ୟୁଜିଲ୍ୟାଣ୍ଡ ପ୍ରମାଣ କରି ଦେଖାଇଛି। ୨୦୧୨ ଡିସେମ୍ବର ପରଠାରୁ ଭାରତୀୟ ଟିମ ନିଜ ଗଡ଼ରେ ଦବଦବା ଦେଖାଇ ଚାଲିଥିଲା।

୪୩୩୧ ଦିନର ବିଜୟ ଧାରା ଜାରି ରଖିବା ସହ ୧୮ ଟି ଟେଷ୍ଟ ସିରିଜ ଦଳ ଜିତିଥିଲା। ଏକବିଂଶ ଶତାବ୍ଦୀରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ଛାଡ଼ି ଦେଲେ ଭାରତକୁ କେହି ବି ନିଜ ମାଟିରେ ହରାଇ ପାରି ନଥିଲେ। ଭାରତ ଏକାକୀ ନିଜ ମାଟିର ରାଜା ଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡ ଭାରତର ଅପରାଜେୟ ରେକର୍ଡକୁ ଭାଙ୍ଗି ଚୂରମାର କରି ଦେଇଛି।

୧୯୫୫-୫୬ରୁ ନ୍ୟୁଜିଲ୍ୟାଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ସିରିଜ ଚାଲିଥିଲା। ଅନେକ ସମୟରେ କ୍ୱିୱି ଟିମ ଭାରତ ଗସ୍ତରେ ଆସିଛି। ସବୁ ଥର ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ହେଁ କେବେ ଟ୍ରଫି ତୋଳି ଧରିବାର ସୁଯୋଗ ନ୍ୟୁଜିଲ୍ୟାଣ୍ଡକୁ ମିଳି ନଥିଲା।

ସମୟ ବଦଳିବା ସହ ନ୍ୟୁଜିଲ୍ୟାଣ୍ଡ ଇତିହାସ ବଦଳାଇଛି। ଭାରତକୁ ତା’ ମାଟିରେ ୩ ଟିକିଆ ସିରିଜର ଗୋଟିଏ ମ୍ୟାଚ୍‌ ପୂର୍ବରୁ ୨-୦ରେ ହରାଇ ଟ୍ରଫି କବଜା କରି ନେଇଛି। ଭାରତ ମାଟିରେ ଏହା ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଟେଷ୍ଟ ସିରିଜ ବିଜୟ।

ସେହିପରି ୨୦୧୨ ଡିସେମ୍ବର ପରେ ଭାରତ ନିଜ ଗଡ଼ରେ କୌଣସି ଟେଷ୍ଟ ସିରିଜ ହାରିବାର ଲଜ୍ଜା ମୁଣ୍ଡାଇଛି। ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଅମଳରେ ଭାରତ ଏପରି ସ୍ଥିତିର ସମ୍ମୁଖୀନ ହୋଇଛି।

ପୁଣେ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ୧୧୩ରେ ଭାରତକୁ ହରାଇ ଦେଇଛି। ୩୫୯ ରନର ପିଛା କରୁଥିବା ଭାରତୀୟ ବ୍ୟାଟରଙ୍କୁ ମିଚେଲ ସାଣ୍ଟନର ଘାଇଲା କରିଛନ୍ତି। ପ୍ରଥମ ଇନିଂସରେ ସେ ୭ଟି ଓ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ।

ଭାରତ ବିପକ୍ଷ ସିରିଜକୁ ଆସିବା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ୩୭ଟି ମ୍ୟାଚ୍‌ରୁ ଭାରତରେ କେବଳ ୨ଟିରେ ଜିତିଥିଲା। ଏପରି କି ଦଳ ଶ୍ରୀଲଙ୍କା ଠାରୁ ୦-୨ରେ ଟେଷ୍ଟ ସିରିଜ ହାରି ଏଠାକୁ ଆସିଥିଲା। ହେଲେ କ୍ୱିୱି ଟିମ ସବୁ ପ୍ରତିକୂଳ ରେକର୍ଡ ଓ ସଂଖ୍ୟାକୁ ମାତ ଦେଇ ଭାରତ ବିପକ୍ଷରେ ସିରିଜ କବଜା କରିଛି।

ଭାରତ ୨୦୧୨ ଡିସେମ୍ବର ମାସରେ ଶେଷ ଥର ପାଇଁ ଇଂଲଣ୍ଡ ବିପକ୍ଷ ସିରିଜକୁ ୧-୨ରେ ହାରିଥିଲା। ସେହି ସମୟରେ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଓ ଡଙ୍କନ ଫ୍ଲେଚର କୋଚ ଥିଲେ। ଏହା ପରଠାରୁ ଭାରତ ୧୮ଟି ଟେଷ୍ଟ ସିରିଜ ଘରୋଇ ମାଟିରେ ଖେଳିଥିବା ବେଳେ ସବୁ ଥର ଜିତିଥିଲା। ଦଳ ଏତେ ସଂଖ୍ୟକ ସିରିଜରେ କେବଳ ୪ଟି ମ୍ୟାଚ୍‌ ହିଁ ହାରିଥିଲା।

ଘରୋଇ ମାଟିରେ ଭାରତକୁ ଛାଡ଼ି ଦେଲେ ଏତେ ସଂଖ୍ୟକ ଟେଷ୍ଟ ସିରିଜ ଆଉ କୌଣସି ଦେଶ ଜିତି ନାହାନ୍ତି। ଅଷ୍ଟ୍ରେଲିଆ ଦୁଇ ଥର ୧୦ଟି ଲେଖାଏ ଟେଷ୍ଟ ସିରିଜ ନିଜ ମାଟିରେ ଜିତିଥିଲା।

ଇଂଲଣ୍ଡ ଠାରୁ ୨୦୧୨ ଡିସେମ୍ବରରେ ହାରିବା ପରେ ଭାରତୀୟ ଟିମ ୨୦୧୭ ଫେବୃଆରୀ ୨୨ ଯାଏ କ୍ରମାଗତ ୧୯ଟି ମ୍ୟାଚ ଜିତିଥିଲା। ଏହି ସମୟରେ ଦଳ କେବଳ ୨ଟି ମ୍ୟାଚ୍‌ ଡ୍ର ରଖିଥିଲା। ୨୦୧୩ ଫେବୃଆରୀ –ମାର୍ଚ୍ଚ ମଧ୍ୟରେ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଖେଳି ପ୍ରଥମଥର ପାଇଁ ୪-୦ରେ ଏହାକୁ କବଜା କରିଥିଲା। ୨୦୧୫ରେ ତତ୍କାଳୀନ ନମ୍ବର ୧ ଟେଷ୍ଟ ଟିମ ଦକ୍ଷିଣ ଆଫ୍ରିକାକୁ ଦଳ ନିଜ ମାଟିରେ ୩-୦ରେ ହରାଇଥିଲା। ଏହି ସମୟରେ ଫ୍ଲେଚର କୋଚ ଥିଲେ।

ବାଂଲାଦେଶ ବିପକ୍ଷ ୨୦୨୪ ଟେଷ୍ଟ ସିରିଜ ଯାଏ ଭାରତ ୫୩ଟି ଟେଷ୍ଟରୁ ୪୨ଟିରେ ଜିତିଥିଲା, ୪ଟି ହାରିଥିଲା ଓ ୭ଟି ମ୍ୟାଚ୍‌ ଡ୍ର ରଖିଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡ ୬୯ ବର୍ଷର ଇତିହାସ ମଧ୍ୟରେ ପ୍ରଥମଥର ପାଇଁ ଭାରତକୁ ଟେଷ୍ଟ ସିରିଜରେ ହରାଇଛି। ୨୦୦୦ ମସିହା ପରେ ଭାରତ ତୃତୀୟ ଥର ପାଇଁ ଘରୋଇ ମାଟିରେ ଟେଷ୍ଟ ସିରିଜ ହାରିଛି।

୨୦୧୫ରେ ଫ୍ଲେଚର କୋଚ ପଦ ଛାଡ଼ିବା ପରେ ସଞ୍ଜୟ ବାଙ୍ଗର ୨୦୧୬ରେ ଅନ୍ତରୀଣ କୋଚ ହୋଇଥିଲେ। ଏହି ସମୟରେ ମଧ୍ୟ ଭାରତ ନିଜ ମାଟିରେ ଟେଷ୍ଟ ହାରି ନଥିଲା। ୨୦୧୬-୨୦୧୭ରେ ଅନୀଲ କୁମ୍ବଲେ କୋଚ ହୋଇଥିଲେ। ରବି ଶାସ୍ତ୍ରୀ ୨୦୧୭ରୁ ୨୦୨୧ ଯାଏ କୋଚ ରହିବା ସହ ଭାରତ ଅନେକ ସଫଳତା ପାଇଥିଲା। ରାହୁଲ ଡ୍ରାଭିଡ ୨୦୨୧-୨୦୨୪ ଯାଏ କୋଚ ପଦରେ ରହିଥିଲେ। ଏହି ସମୟରେ ମଧ୍ୟ ଭାରତ ସବୁ ଘରୋଇ ଟେଷ୍ଟ ସିରିଜ ଜିତିଥିଲା।

କିନ୍ତୁ ୨୦୨୪ରେ ଗୌତମ ଗମ୍ଭୀର କୋଚ ହୋଇଛନ୍ତି। ତାଙ୍କ କୋଚିଂରେ ଭାରତ ଅପେକ୍ଷାକୃତ ବାଂଲାଦେଶକୁ ୨-୦ରେ ହରାଇଥିଲା। ହେଲେ ନ୍ୟୁଜିଲ୍ୟାଣ୍ଡ ଠାରୁ ଐତିହାସିକ ସିରିଜ ହାରିବାର ଲଜ୍ଜା ମୁଣ୍ଡାଇଛି।

୨୦୧୨ ପରଠାରୁ ଘରୋଇ ମାଟିରେ ଭାରତୀୟ ଟିମ

୧- ଭାରତ ୪-୦ରେ ଅଷ୍ଟ୍ରେଲିଆକୁ ହରାଇଥିଲା

୨- ଭାରତ ୨-୦ରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା

୩- ଭାରତ ୩-୦ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା

୪- ଭାରତ ୩-୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା

୫- ଭାରତ ୪-୦ରେ ଇଂଲଣ୍ଡକୁ ହରାଇଥିଲା

୬- ଭାରତ ୧-୦ରେ ବାଂଲାଦେଶକୁ ହରାଇଥିଲା

୭- ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା

୮- ଭାରତ ୧-୦ରେ ଶ୍ରୀଲଙ୍କାକୁ ହରାଇଥିଲା

୯- ଭାରତ ୧-୦ରେ ଆଫଗାନିସ୍ତାନକୁ ହରାଇଥିଲା

୧୦- ଭାରତ ୨-୦ରେ ୱେଷ୍ଟଇଣ୍ଡିଜକୁ ହରାଇଥିଲା

୧୧- ଭାରତ ୩-୦ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା

୧୨- ଭାରତ ୨-୦ରେ ବାଂଲାଦେଶକୁ ହରାଇଥିଲା

୧୩- ଭାରତ ୩-୧ରେ ଇଂଲଣ୍ଡକୁ ହରାଇଥିଲା

୧୪- ଭାରତ ୧-୦ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା

୧୫- ଭାରତ ୨-୦ରେ ଶ୍ରୀଲଙ୍କାକୁ ହରାଇଥିଲା

୧୬- ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇଥିଲା

୧୭- ଭାରତ ୪-୧ରେ ଇଂଲଣ୍ଡକୁ ହରାଇଥିଲା

୧୮- ଭାରତ ୨-୦ରେ ବାଂଲାଦେଶକୁ ହରାଇଥିଲା

୧୯- ଭାରତ ୦-୨ରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଛି(ସିରିଜର ଗୋଟିଏ ମ୍ୟାଚ୍‌ ବାକି ରହିଛି)