ଭାରତ-କାନାଡ଼ା ସମ୍ପର୍କ
ଗତ କିଛି ଦିନ ହେଲା ଭାରତ-କାନାଡ଼ା ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଏହାଫଳରେ ଉଭୟ ଦେଶର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହୋଇଛି। ଆପୋସ ବୁଝାମଣାରେ ତ୍ରୁଟି, କୂଟନୈତିକ ଦୁର୍ବଳତା ଓ ବିଶ୍ୱାସରେ ଅଭାବ ଯୋଗୁଁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଇପାରେ। ଭାରତ ଭଳି କାନାଡ଼ା ମଧ୍ୟ ଶାନ୍ତି ଉପରେ ବିଶ୍ୱାସ ରଖି କାର୍ଯ୍ୟ କରେ। ସେ ଦେଶର ଅର୍ଥନୀତି ବେଶ ସୁଦୃଢ଼। ପ୍ରାୟ ୪କୋଟି ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ରରେ […]

ଗତ କିଛି ଦିନ ହେଲା ଭାରତ-କାନାଡ଼ା ସମ୍ପର୍କରେ ତିକ୍ତତା ଦେଖାଦେଇଛି। ଏହାଫଳରେ ଉଭୟ ଦେଶର କୂଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ପ୍ରଭାବିତ ହୋଇଛି। ଆପୋସ ବୁଝାମଣାରେ ତ୍ରୁଟି, କୂଟନୈତିକ ଦୁର୍ବଳତା ଓ ବିଶ୍ୱାସରେ ଅଭାବ ଯୋଗୁଁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି କୁହାଯାଇପାରେ।
ଭାରତ ଭଳି କାନାଡ଼ା ମଧ୍ୟ ଶାନ୍ତି ଉପରେ ବିଶ୍ୱାସ ରଖି କାର୍ଯ୍ୟ କରେ। ସେ ଦେଶର ଅର୍ଥନୀତି ବେଶ ସୁଦୃଢ଼। ପ୍ରାୟ ୪କୋଟି ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ରରେ ବିଦେଶୀଙ୍କ ସଂଖ୍ୟା ଉଲ୍ଲେଖନୀୟ। ସେଠାରେ ଶିଖ ସମ୍ପ୍ରଦାୟର ପାଖାପାଖି ୮ଲକ୍ଷ ବସବାସ କରୁଛନ୍ତି, ଯାହା ସେ ଦେଶର ସମୁଦାୟ ଜନସଂଖ୍ୟାର ପ୍ରାୟ ୨ ପ୍ରତିଶତ। ପୁଞ୍ଜି ବିନିଯୋଗ ନିମନ୍ତେ କାନାଡ଼ା ବିଶ୍ୱର ଏକ ଉକୃଷ୍ଟ ସ୍ଥାନ ହୋଇଥିବାରୁ ଅନ୍ୟ ଦେଶ ସହିତ ଭାରତରୁ ପୁଞ୍ଜି ନିବେଶ କିମ୍ୱା ରୋଜଗାର ନିମନ୍ତେ ଅନେକ ସେଠାରେ ନାଗରିକତ୍ୱ ଗ୍ରହଣ କରିଛନ୍ତି। କାନାଡ଼ାରେ ଭାରତୀୟମାନଙ୍କ ସଂଖ୍ୟା ୨୦୧୩ରୁ ୨୦୨୪ ମଧ୍ୟରେ ୩୨୬ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଛାତ୍ରଛାତ୍ରୀ ସଂଖ୍ୟା ୨୦୦୦ ମସିହାରେ ୨, ୧୮୧ରୁ ୨୦୨୧ ସୁଦ୍ଧା ୧, ୨୮, ୯୨୮ରେ ପହଞ୍ଚିଛି।
ଦୁଃଖର ବିଷୟ ଯେ ଶିଖ ସମ୍ପ୍ରଦାୟର ମୁଷ୍ଟିମେୟ ଗୋଷ୍ଠୀ କାନାଡ଼ାରୁ ଭାରତ ବିରୋଧୀ ଖଲିସ୍ଥାନ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଓ କାର୍ଯ୍ୟକଳାପ ଜାରି ରଖିଥିବା ବେଳେ ସେଠାକାର ସରକାର ସେମାନଙ୍କୁ ପ୍ରଚ୍ଛନ୍ନ ସମର୍ଥନ ଦେଉଛନ୍ତି। ଏହି ସଂଗଠନର ଜଣେ ଆଗଧାଡ଼ିର ନେତା ହରଦୀପ ସିଂ ନିଜ୍ଜରଙ୍କୁ ଗତ ବର୍ଷ ଜୁନ ମାସରେ ହତ୍ୟା କରାଯିବା ପରେ ଭାରତ କାନାଡ଼ା କୂଟନୈତିକ ସମ୍ପର୍କ ଉପରେ କଳା ବାଦଲ ଘୋଟିବାକୁ ଆରମ୍ଭ କଲା। ଏହି ଘଟଣାରେ ଭାରତ ସରକାରଙ୍କର ପ୍ରଚ୍ଛନ୍ନ ହାତ ଥିବା କାନାଡ଼ା ସରକାର ସନ୍ଦେହ କରିଥିଲେ। ଏପରିକି ଭାରତୀୟ ରାଷ୍ଟ୍ରଦୂତ ଏବଂ ଦୂତାବାସରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ସନ୍ଦେହ ଘେରରେ ରଖି ପୁଲିସ ଓ ଗୁଇନ୍ଦା ବିଭାଗ ଦ୍ୱାରା ଅନୁସନ୍ଧାନ ଆରମ୍ଭ କରିଥିଲେ। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିବା ଅଭିଯୋଗରେ ଛଅଜଣ ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡ଼ା ସରକାର ବହିଷ୍କାର କରିଥିଲେ। ପ୍ରତିକ୍ରିୟା ସ୍ୱରୂପ ଭାରତ ସରକାର କାନାଡ଼ା ଦୂତାବାସର ଛଅ ଜଣଙ୍କୁ ବହିଷ୍କାର କରିବା ସମେତ ଏହାର ରାଷ୍ଟ୍ରଦୂତଙ୍କୁ କାନାଡ଼ାରୁ ପ୍ରତ୍ୟାହାର କରିଛନ୍ତି। ଇତିମଧ୍ୟରେ ଭାରତରେ ଅବସ୍ଥିତ କାନାଡ଼ାର ଚାର୍ଜ ଦି ଆଫେୟାର୍ସ ଷ୍ଟିୱାର୍ଟ ଭିଲର୍ସଙ୍କୁ ବିଦେଶ ମନ୍ତ୍ରାଳୟକୁ ସମନ କରି କାନାଡ଼ା କାର୍ଯ୍ୟକଳାପ କୂଟନୈତିକ ସଦାଚାର ଉଲ୍ଲଙ୍ଘନ କରୁଥିବା ଏବଂ କାନାଡ଼ା ସରକାରଙ୍କ ବ୍ୟବସ୍ଥା ଓ କାର୍ଯ୍ୟକଳାପ ଉପରେ ଭାରତ ଆସ୍ଥା ହରାଇ ଥିବା ଅବଗତ କରିଛନ୍ତି। ଭାରତୀୟ ମୂଳ ନିବାସୀ, ପ୍ରବାସୀ ଭାରତୀୟ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବର୍ତ୍ତମାନ ସେଠାରେ ଅନିଶ୍ଚିତତା ଭିତରେ ଥିବାରୁ ଭାରତୀୟ ବିଦେଶ ମନ୍ତ୍ରାଳୟ ସେଠାରେ ଅବସ୍ଥିତ ନାଗରିକ ଓ ଛାତ୍ରଛାତ୍ରୀମାନଙ୍କୁ କାନାଡ଼ା ରହଣି ସମୟରେ ଅଧିକ ସଚେତନ ରହିବାକୁ ସତର୍କ ସୂଚନା ଜାରି କରିଛନ୍ତି।
ଖଲିସ୍ଥାନୀ ଆନ୍ଦୋଳନକାରୀ ହିଂସା ପଥରେ ଅଗ୍ରଗତି ହେଉଥିବା କାରଣରୁ ଭାରତ ସରକାର ବିଶେଷ ଚିନ୍ତିତ। ସେପଟେ, କାନାଡ଼ା ଜନସଂଖ୍ୟାର ଶତକଡ଼ା ଦୁଇଭାଗରୁ ଅଧିକ ଶିଖ ସମ୍ପ୍ରଦାୟର ହୋଇଥିବାରୁ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଆସନ୍ତା ସାଧାରଣ ନିର୍ବାଚନରେ ବାଧ୍ୟବାଧକତାରେ ସେହିଗୋଷ୍ଠୀକୁ ସମର୍ଥନ କରୁଛନ୍ତି ଏବଂ ଏପଟେ ଦ୍ୱିପାକ୍ଷିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି। ଦୀର୍ଘ ଆଠ ବର୍ଷରୁ ଅଧିକ ସମୟ ପ୍ରଧାନମନ୍ତ୍ରୀ ରହି ସାରିଥିବାରୁ ଆଗାମୀ ନିର୍ବାଚନରେ ପରାଜୟ ଭୟରେ ଟ୍ରୁଡୋ କୌଣସିମତେ ଶିଖ ଭୋଟ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ତେଣୁ କାନାଡ଼ା ମାଟିରେ ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପକୁ ସେ ଲଗାମ ଦେବାକୁ ସାହସ ଜୁଟେଇ ପାରୁନାହାନ୍ତି।
ଉତ୍ତର ଆମେରିକାର ସବୁଠାରୁ ବୃହତ ଦେଶ କାନାଡ଼ା ଓ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ରହିଛି। ପରସ୍ପର ବ୍ୟବସାୟିକ କାରଣରୁ ଉଭୟେ ଉଭୟଙ୍କ ଉପରେ ନିର୍ଭରଶୀଳ। କାନାଡ଼ାଠାରୁ ଶକ୍ତି, ସାର, ଖାଦ୍ୟ ସାମଗ୍ରୀ, ଔଷଧ, ଇସ୍ପାତ୍ ତଥା କାରିଗରୀ ଜ୍ଞାନକୌଶଳ ଉପରେ ଭାରତ ନିର୍ଭରଶୀଳ। ଏହାସହିତ ଦୁଇ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ଚୁକ୍ତିନାମାମାନ କାର୍ଯ୍ୟକ୍ଷମ ଏବଂ ସର୍ବୋପରି ସେଠାକାର ଉଚ୍ଚଶିକ୍ଷା ଅତ୍ୟନ୍ତ ଉନ୍ନତ ହୋଇଥିବାରୁ ଭାରତୀୟ ଯୁବ ସମାଜ କାନାଡ଼ାକୁ ଏକନମ୍ୱର ଭାବେ ପସନ୍ଦ କରୁଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଦ୍ୱିପାକ୍ଷିକ କୂଟନୀତିଜ୍ଞସ୍ତରୀୟ ଆଲୋଚନା ହୋଇ ବିବାଦ ସମାଧାନ ହେବା ନିହାତି ଆବଶ୍ୟକ। ନଚେତ ଦୁଇ ଦେଶର ଅନ୍ୟାନ୍ୟ ସମସ୍ୟା ସହିତ ଏହି ସମସ୍ୟା ଯୋଡ଼ି ହୋଇ ଉଭୟ ପକ୍ଷ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ। ଭାରତୀୟ ସଫଳ କୂଟନୀତି ଏ ସମସ୍ୟାର ସମାଧାନ କରିବ ବୋଲି ଆଶା କରାଯାଇପାରେ।
ନୟାଗଡ଼଼, ମୋ: ୯୪୩୭୪୭୯୦୪୫
(ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ)
ଡକ୍ଟର ମାନସ ରଞ୍ଜନ ଶତପଥି