'ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ବେଳେ କରାଚି...': ଭାଇରାଲ ହେଉଛି ପାକିସ୍ତାନ ନେତାଙ୍କ ଭାଷଣ

ଭାରତ ସହ ନିଜକୁ ତୁଳନା କରି ଚିନ୍ତାରେ ପାକିସ୍ତାନର ନେତା।

'ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ବେଳେ କରାଚି...': ଭାଇରାଲ ହେଉଛି ପାକିସ୍ତାନ ନେତାଙ୍କ ଭାଷଣ

ଭାରତ ସହ ନିଜକୁ ତୁଳନା କରି ଚିନ୍ତାରେ ପାକିସ୍ତାନର ନେତା। ପୂର୍ବରୁ ଜଣେ ମୌଳବାଦୀ ନେତା ବିକାଶ କ୍ଷେତ୍ରରେ ଭାରତ ପାକିସ୍ତାନଠୁ ବହୁ ଆଗରେ ଥିବା କହିଥିଲେ, ଏବେ ଅନ୍ୟ ଜଣେ ନେତା ତଥା ବ୍ୟବସ୍ଥାପକ ଭାରତ ଚନ୍ଦ୍ରମାରେ ପାଦ ଥାପି ସାରିଥିବା ବେଳେ ପାକିସ୍ତାନର ଅବସ୍ଥା କଥା ଭାବି ଚିନ୍ତା ପ୍ରକଟ କରିଛନ୍ତି।

ସଂସଦରେ ପାକିସ୍ତାନର ବ୍ୟବସ୍ଥାପକ ତଥା ମୁତ୍ତାହିଦା କ୍ୱୁଆମି ମୁଭମେଣ୍ଟ ପାକିସ୍ତାନ (MQM-P) ନେତା ସୟଦ ମୁସ୍ତାଫା କମଲ ଭାରତର ସଫଳତା ଏବଂ କରାଚିରେ ଅବସ୍ଥା ମଧ୍ୟରେ ତୁଳନା କରି କହିଛନ୍ତି, ଭାରତ ଚନ୍ଦ୍ରରେ ଅବତରଣ କରୁଥିବାବେଳେ କରାଚି ଖୋଲା ଗାତରେ ପଡ଼ି ପିଲାଙ୍କ ମୃତ୍ୟୁ ଖବର ପ୍ରଚାର କରୁଛି।

ସେ କହିଛନ୍ତି, "ବର୍ତ୍ତମାନ ସ୍ଥିତି ଏପରି ସମୟରେ ପହଞ୍ଚିଛି, ଯେତେବେଳେ କି ଟିଭିରେ ଖବର ବାଜୁଛି ଭାରତ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାରେ ସଫଳ ହୋଇଛି, ସେହି ସମୟରେ କରାଚିରେ ଖୋଲା ଗାତରେ ପଡି ଶିଶୁଙ୍କ ମୃତ୍ୟୁ ଖବର ପ୍ରସାରଣ ହେଉଛି।"

ଏହି ଅବସରରେ ସୟଦ କରାଚିରେ ମଧୁର ଜଳର ଅଭାବ ଏବଂ ଶିକ୍ଷା ଉପରେ ମଧ୍ୟ ଆଲୋକପାତ କରିଥିଲେ। ସେ କହିଛନ୍ତି, କରାଚି ହେଉଛି ପାକିସ୍ତାନର ରାଜସ୍ୱ ହବ୍। ଦେଶର ଦୁଇଟି ମୁଖ୍ୟ ସାମୁଦ୍ରିକ ବନ୍ଦର କରାଚିରେ ଅବସ୍ଥିତ। ଏବେ ବି କରାଚି ମଧୁର ଜଳ ଅଭାବର ସାମ୍ନା କରୁଛି। ପାକିସ୍ତାନରେ ଅନେକ ପିଲା ଶିକ୍ଷାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। କରାଚିରେ ୭୦ ଲକ୍ଷ ପିଲା ଏବଂ ପାକିସ୍ତାନରେ ୨.୬ କୋଟିରୁ ଅଧିକ ପିଲା ବିଦ୍ୟାଳୟକୁ ଯାଇପାରୁ ନାହାଁନ୍ତି।

ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ପାକିସ୍ତାନର ଅଗ୍ରଣୀ ଦକ୍ଷିଣପନ୍ଥୀ ଇସଲାମୀ ନେତା ମୌଲାନା ଫଜଲୁର ରେହମାନ ନିଜ ଦେଶକୁ ଭାରତ ସହ ତୁଳନା କରି ଚିନ୍ତା ପ୍ରକଟ କରିଥିଲେ। ଗୋଟିଏ ଦିନରେ ଦୁଇ ଦେଶ ସ୍ୱାଧୀନତା ପାଇଥିଲେ। କିନ୍ତୁ ଆଜି ସେମାନେ (ଭାରତ) ମହାଶକ୍ତି ହେବାକୁ ସ୍ୱପ୍ନ ଦେଖୁଛନ୍ତି, ଆମେ ଦେବାଳିଆ ପରିସ୍ଥିତିକୁ ଏଡ଼ାଇବା ପାଇଁ ଅନୁରୋଧ କରୁଛୁ ବୋଲି ମୌଲାନା ଫଜଲୁର କହିଥିଲେ।