ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଫେରିଲେ ଆର୍ଚର

ଜୁଲାଇ ୨ରୁ ଭାରତ ବିପକ୍ଷ ବର୍ମିଂହାମର ଏଜବାଷ୍ଟନରେ ଖେଳା ଯିବାକୁ ଥିବା ଟେଷ୍ଟରେ ସେ ନଜର ଆସିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଫେରିଲେ ଆର୍ଚର

ଭାରତ ବିପକ୍ଷ ପ୍ରଥମ ଟେଷ୍ଟକୁ ବେଶ ଚମତ୍କାର ଢଙ୍ଗରେ ଜିତିଥିବା ଇଂଲଣ୍ଡ ଏବେ ବଡ଼ ନିଷ୍ପତ୍ତି ନେଇଛି। ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରିଛି। ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟ ପାଇଁ ଆଜି ଇଂଲଣ୍ଡ ଘୋଷଣା କରିଥିବା ସ୍କ୍ୱାର୍ଡରେ ଆର୍ଚରଙ୍କ ନାଁ ରହିଛି। ଆର୍ଚରଙ୍କ କମବ୍ୟାକ ଇଂଲଣ୍ଡକୁ ଆହୁରି ମଜବୁତ କରିଛି। 

ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଦ୍ରୁତ ବୋଲର ଭାବେ ପରିଚିତ ୩୦ ବର୍ଷୀୟ ଆର୍ଚର ଆହତ ସମସ୍ୟା ଯୋଗୁ ଦୀର୍ଘ ବର୍ଷ ହେଲାଣି ନାଲି ବଲ କ୍ରିକେଟରୁ ଦୂରେଇ ରହିଥିଲେ। ହେଲେ ଏବେ ସେ କମବ୍ୟାକ କରିଛନ୍ତି। ଆର୍ଚର ଶେଷଥର ପାଇଁ ୨୦୨୧ ଫେବୃଆରୀ ମାସରେ ଇଂଲଣ୍ଡ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏବେ ଜୁଲାଇ ୨ରୁ ଭାରତ ବିପକ୍ଷ ବର୍ମିଂହାମର ଏଜବାଷ୍ଟନରେ ଖେଳା ଯିବାକୁ ଥିବା ଟେଷ୍ଟରେ ସେ ନଜର ଆସିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ଆହତ ସମସ୍ୟା ଦେଇ ଗତି କରୁଥିବା ଆର୍ଚର ନିକଟରେ କାଉଣ୍ଟୀ ଚାମ୍ପିୟନଶିପ ଖେଳିବା ଆରମ୍ଭ କରିଥିଲେ। ସକସେସ ପାଇଁ ଠିକଠାକ ପ୍ରଦର୍ଶନ କରିବା ପରେ ତାଙ୍କୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ସ୍କ୍ୱାଡରେ ସୁଯୋଗ ମିଳିଛି। ସବୁଠା କୌତହଳର ବିଷୟ ହେଲା ଆର୍ଚର ଇଂଲଣ୍ଡ ପାଇଁ ଶେଷ ଟେଷ୍ଟ ୨୦୨୧ ଫେବୃଆରୀରେ ଭାରତ ବିପକ୍ଷରେ ହିଁ ଖେଳିଥିଲେ। ସେବେଠାରୁ ସେ ଆହତ ସମସ୍ୟା ଦେଇ ଗତି କରୁଥିବା ବେଳେ ୨୦୨୪ରେ ମୈଦାନକୁ ଓହ୍ଲାଇଥିଲେ।

ଆର୍ଚରଙ୍କ ବ୍ୟତୀତ ସ୍କ୍ୱାଡରେ ଆଉ କୌଣସି ପରିବର୍ତ୍ତନ କରାଯାଇନି। ପ୍ରଥମ ଟେଷ୍ଟ ବେଳେ ସ୍କ୍ୱାଡରେ ଯେଉଁମାନେ ଥିଲେ ଦ୍ୱିତୀୟ ଟେଷ୍ଟ ପାଇଁ ଘୋଷଣା ହୋଇଥିବା ସ୍କ୍ୱାଡରେ ସେହିମାନେ ରହିଛନ୍ତି। କେବଳ ଅତିରିକ୍ତ ଭାବେ ଆର୍ଚରଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବ୍ରାୟଣ୍ଡନ କାର୍ସେ, ଜୋଶ ଟଙ୍ଗଙ୍କ ଭଳି ଯୁବ ବୋଲରଙ୍କ ଉପରେ ଦ୍ରୁତ ବୋଲିଂର କମାଣ ଛାଡ଼ିଥିଲା। ସେମାନଙ୍କୁ ବେନ ଷ୍ଟୋକ୍ସ ଓ କ୍ରିସ ୱିକ୍ସ ସହଯୋଗ କରିଥିଲେ। କାର୍ସେ ଓ ଟଙ୍ଗ ଦମଦାର ବୋଲିଂ ମଧ୍ୟ କରିଥିଲେ। ଏବେ ଆର୍ଚରଙ୍କ କମବ୍ୟାକ ଭାରତର ଚିନ୍ତାକୁ ଆହୁରି ବଢ଼ାଇବ।

ଦ୍ୱିତୀୟ ଟେଷ୍ଟ ପାଇଁ ଇଂଲଣ୍ଡ ସ୍କ୍ୱାଡ: ବେନ ଷ୍ଟୋକ୍ସ(ଅଧିନାୟକ), ଜୋଫ୍ରା ଆର୍ଚର, ଶୋଏବ ବଶିର, ଜ୍ୟାକବ ବେଥେଲ, ହ୍ୟାରୀ ବ୍ରୁକ, ବ୍ରାୟଣ୍ଡନ କାର୍ସେ, ସାମ କୁକ, ଜ୍ୟାକ କ୍ରଉଲୀ, ବେନ ଡକେଟ, ଜାମି ଓଭରଟନ, ଓଲି ପୋପଳ, ଜୋ ରୁଟ, ଜାମି ସ୍ମିଥ, ଜୋଶ ଟଙ୍ଗ ଓ କ୍ରିସ ୱିକ୍ସ।