ଭାରତୀୟ ମାନସ-ଅଯୋଧ୍ୟାରେ ରାମଲାଲା ଚିରକାଳ !

ପବିତ୍ର ଅଯୋଧ୍ୟା କୋଳରେ ସରଯୁର ପବିତ୍ର ଧାରା ଆଜି କେତେ ଉତଫୁଲ୍ଲିତ ହେଉନଥିବ ସତେ ! ଆଜି ପ୍ରଭୁ ରାମଲାଲାଙ୍କର ନବନିର୍ମିତ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ! ସେଥିପାଇଁ ଭବ୍ୟ ମନ୍ଦିର ନିର୍ମିତ ହୋଇସାରିଛି ଅଯୋଧ୍ୟାରେ। କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଆଜି ଉଦଗ୍ରୀବ ହୋଇ ଅପେକ୍ଷା କରିଛି ସେହି ଦିବ୍ୟମୁହୂର୍ତ୍ତକୁ ଯେତେବେଳେ ବାଳକ ରାମଙ୍କର ବିଗ୍ରହ ପ୍ରାଣବନ୍ତ ହେବ ଉଦଗୀତ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ, ସେହି […]

ଭାରତୀୟ ମାନସ-ଅଯୋଧ୍ୟାରେ ରାମଲାଲା ଚିରକାଳ !
sakala editorial

ପବିତ୍ର ଅଯୋଧ୍ୟା କୋଳରେ ସରଯୁର ପବିତ୍ର ଧାରା ଆଜି କେତେ ଉତଫୁଲ୍ଲିତ ହେଉନଥିବ ସତେ ! ଆଜି ପ୍ରଭୁ ରାମଲାଲାଙ୍କର ନବନିର୍ମିତ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରିବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ! ସେଥିପାଇଁ ଭବ୍ୟ ମନ୍ଦିର ନିର୍ମିତ ହୋଇସାରିଛି ଅଯୋଧ୍ୟାରେ।

କେବଳ ଭାରତ ନୁହେଁ, ବରଂ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ଆଜି ଉଦଗ୍ରୀବ ହୋଇ ଅପେକ୍ଷା କରିଛି ସେହି ଦିବ୍ୟମୁହୂର୍ତ୍ତକୁ ଯେତେବେଳେ ବାଳକ ରାମଙ୍କର ବିଗ୍ରହ ପ୍ରାଣବନ୍ତ ହେବ ଉଦଗୀତ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ, ସେହି ସ୍ଥାନରେ, ଯେଉଁଠି ମର୍ଯ୍ୟାଦା ପୁରୁଷୋତ୍ତମ ସ୍ବୟଂ ପରମବ୍ରହ୍ମ ଅବତାର ନେଇ ପୃଥିବୀ ପୃଷ୍ଠରେ ପଦାର୍ପଣ କରିଥିଲେ। ମାଆ କୌଶଲ୍ୟା ପ୍ରଥମ ଥର ପାଇଁ ମା’ ଡାକ ଶୁଣିଥିଲେ ! ଦଶରଥଙ୍କ ରାଜପ୍ରାସାଦରେ ପ୍ରଥମ କୁଆଁକୁଆଁ କ୍ରନ୍ଦନ ଶୁଣା ଯାଇଥିଲା ! ଆଜି ସେଇଭଳି ଗୋଟିଏ ଅତି ପବିତ୍ର ଦିନ ପୁଣି ଆସିଛି ଅଯୋଧ୍ୟା ନଗରୀ ଭାଗ୍ୟରେ, ସରଯୁ ନଦୀର ଭାଗ୍ୟରେ ଏବଂ ଆମ ସମସ୍ତ ଭାରତବାସୀଙ୍କ ଭାଗ୍ୟରେ! ଆଜି ଏକବିଂଶ ଶତାବ୍ଦୀରେ ଆମେ ଦେଖିବା ଆମ ସମସ୍ତଙ୍କ ମାନସ-ଅଯୋଧ୍ୟାରେ ବିଷ୍ଣୁ ଅବତାର ଶ୍ରୀରାମଚନ୍ଦ୍ରଙ୍କ ପୁନଃ ଲୋକାବତରଣ !
ସତରେ କେଡ଼େ ଭାଗ୍ୟବାନ ଆଜି ଆମେସବୁ ଭାରତୀୟ ! ଇତିହାସର ପ୍ରତ୍ୟାବର୍ତ୍ତନ ଘଟିଛି। ପାଞ୍ଚଶହ ବର୍ଷ ପରେ ପୁଣି ଶ୍ରୀରାମଚନ୍ଦ୍ର ବିରାଜମାନ ହେବେ ଏକ ଅନନ୍ୟ ଭବ୍ୟ ମନ୍ଦିରରେ, ଅଯୋଧ୍ୟା ନଗରୀର ପବିତ୍ରତମ ସ୍ଥାନରେ , ଶ୍ରୀରାମ ଜନ୍ମଭୂମିରେ !
ଆଜିପର୍ଯ୍ୟନ୍ତ ଭାରତୀୟଙ୍କ ହୃଦୟ ସମ୍ରାଟ ଶ୍ରୀରାମ ଆମ ମନ, ପ୍ରାଣ ଓ ପ୍ରତିଟି ପ୍ରଶ୍ୱାସରେ ବସିରହିଛନ୍ତି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ରହିଥିବେ! ଏପର୍ଯ୍ୟନ୍ତ ତାଙ୍କର ପବିତ୍ର ଜନ୍ମସ୍ଥାନ ଅଯୋଧ୍ୟାର ଦୁରବସ୍ଥା ଦେଖି ସାରା ବିଶ୍ୱ ହତବାକ୍ ହୋଇ ଅଶ୍ରୁମୋଚନ କରୁଥିଲା। ବିଧର୍ମୀ ଆକ୍ରମଣକାରୀ ସେନାପତିଙ୍କ ରାମଦ୍ରୋହ ଅକ୍ଷମଣୀୟ ଥିଲେହେଁ ପରାଧୀନ ଭାରତୀୟମାନେ ନିରବରେ ଅପମାନିତ ହୋଇ ମୁଣ୍ଡପୋତି ରହିଥିଲେ ସ୍ବାଧୀନତା ପ୍ରାପ୍ତି ଯାଏଁ। ମୀର ବାକୀ ଦ୍ବାରା ଭୁଲୁଣ୍ଠିତ ଅଯୋଧ୍ୟା ରାମମନ୍ଦିର ସ୍ଥାନରେ ବାବରି ମସଜିଦ ନିର୍ମାଣର ଅପମାନ ପାଞ୍ଚ ଶତାବ୍ଦୀ ଯାଏଁ ନିରପରାଧ ହିନ୍ଦୁ ସମାଜ ସହି ଆସିଲା। ସେହିପରି ସହି ଚାଲିଛି ଏବେମଧ୍ୟ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମଥୁରାରେ ଅବରୋଧକାରୀ ଶାହୀ ମସଜିଦ ଏବଂ ପ୍ରାଚୀନ ତୀର୍ଥ ବାରାଣାସୀରେ ଜ୍ଞାନବାପୀ ମସଜିଦ ଦ୍ବାରା କାଶୀ ବିଶ୍ବନାଥଙ୍କ ପବିତ୍ର ମୂଳମନ୍ଦିର ଉପରେ ଅବୈଧ ନିର୍ମାଣ! ଏସବୁ ବିଧର୍ମୀ ବିଦେଶୀ ଶାସନ କାଳରେ ଭାରତ ଉପରେ ଅତ୍ୟାଚାରର ନମୁନା। ମୁସଲମାନ ଓ ମୋଗଲ ଶାସନରେ କେତେଯେ ଅତ୍ୟାଚାର ହିନ୍ଦୁମାନଙ୍କ ଉପରେ ହୋଇଛି ତା’ର କଳନା ନାହିଁ। ଆମ ଓଡ଼ିଶାର ଦୂରଦୂରାନ୍ତ ଗାଆଁ ଗଣ୍ଡାରେ ମଧ୍ୟ ମନ୍ଦିର ଓ ଦେବାଳୟମାନ ମୁସଲମାନ ଆକ୍ରମଣରେ ଖଣ୍ଡିତ ବିଖଣ୍ଡିତ ହୋଇ ଆଜି ସୁଦ୍ଧା ସେହି ଅପମାନର ସ୍ୱାକ୍ଷର ବହନ କରିଆସିଛନ୍ତି। ଓଡ଼ିଶାର ପ୍ରାଣକେନ୍ଦ୍ର ଶ୍ରୀଜଗନ୍ନାଥ ମନ୍ଦିର ମଧ୍ୟ ଅଗଣିତ ଥର ବିଧର୍ମୀ ଆକ୍ରମଣର ଶିକାର ହୋଇଛି। ଚତୁର୍ଦ୍ଧାମୂର୍ତ୍ତି ଠାକୁରଙ୍କୁ କେତେଥର ଯେ ଶ୍ରୀମନ୍ଦିରରୁ ଲୁଚାଇ ସ୍ଥାନାନ୍ତରିତ କରାଯାଇଛି, ଇତିହାସ ସାକ୍ଷୀ! ଶେଷକୁ ସୋନପୁର ନିକଟସ୍ଥ ଜଙ୍ଗଲ ଗୁମ୍ଫାରେ ପାତାଳୀ କରି ରଖାଯାଇଥିଲା ପ୍ରାୟ ଶହେ ବର୍ଷ ! ଭାବି ଦେଖନ୍ତୁ କେତେ ଧାର୍ମିକ ଓ ସାଂସ୍କୃତିକ ଅତ୍ୟାଚାର ଆମ ହିନ୍ଦୁ ସମାଜ ସହିଛି ! ପୂର୍ବରୁ ଥରେ ମଧ୍ୟ ମୁସଲମାନ ସେନାପତି କଳାପାହାଡ଼ ଜଗନ୍ନାଥଙ୍କ ବିଗ୍ରହ ନେଇ ଗଙ୍ଗା କୂଳରେ ଅଗ୍ନିରେ ନିକ୍ଷେପ କରିଦେଇଥିଲା। ପ୍ରଭୁଙ୍କ ପରମ ଭକ୍ତ ବିସର ମହାନ୍ତି, ସେଇ ଅଗ୍ନିରୁ ଠାକୁରଙ୍କ ନାଭିବ୍ରହ୍ମଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ଓଡ଼ିଶାକୁ ଆଣିଥିଲେ।

ଭାରତ ସ୍ବାଧୀନତା ପାଇଲାପରେ ଯେଉଁ ସରକାରମାନେ ଆସିଲେ ସେମାନେ ଅଯୋଧ୍ୟାର ରାମମନ୍ଦିରକୁ କିପରି ପୁନଃନିର୍ମାଣ କରାଯିବ ସେସମ୍ବନ୍ଧରେ ପ୍ରଭାବୀ ପଦକ୍ଷେପ ନେଇପାରିଲେ ନାହିଁ। ଯେଉଁ ଧର୍ମଭିତ୍ତିକ ଆଧାରରେ ଭାରତ ଦ୍ବିଖଣ୍ଡିତ ହୋଇଥିଲା, ସେଇ ଧର୍ମ ବିଦ୍ୱେଷର କୁପ୍ରଭାବରୁ ଏହିଭଳି ଐତିହାସିକ ଧାର୍ମିକ ଅନ୍ୟାୟଗୁଡ଼ିକୁ ସୁଧାରି ପାରିନଥିଲେ ବୋଧହୁଏ! ସମୀକ୍ଷକଙ୍କ ମତରେ ସ୍ବାଧୀନତାର ତୁରନ୍ତ ପରେ ପରେ ହିନ୍ଦୁଙ୍କ ତିନୋଟି ମୁଖ୍ୟ ଧର୍ମକେନ୍ଦ୍ର ଅଯୋଧ୍ୟା,କାଶୀ ଓ ମଥୁରାରେ ପୂର୍ବ ଅବସ୍ଥା ନ ଫେରିବାର କାରଣ ସେତେବେଳର ତୁଙ୍ଗ ନେତୃତ୍ୱର ମୁସଲମାନ ଅନୁକୂଳ ମନୋଭାବ। ଅନ୍ୟ କେଉଁ ଧର୍ମର ମୁଖ୍ୟ ପବିତ୍ର ସ୍ଥଳ ଯଦି ଏଭଳି ଅବରୁଦ୍ଧ ହୋଇ ରହିଥା’ନ୍ତା ତେବେ କେତେ ଯେ ରକ୍ତପାତ ହୋଇଥା’ନ୍ତା ତା’ର ସୀମାନାହିଁ। ଦେଖୁନାହାନ୍ତି ଗୋଟିଏ ପରିତ୍ୟକ୍ତ ବାବରି ମସଜିଦ ଭଙ୍ଗାକୁ ନେଇ ଭାରତ ଓ ଭାରତ ବାହାରେ କିଭଳି ତୀବ୍ର ହିଂସ୍ରକ ପ୍ରତିକ୍ରିୟା ଦୀର୍ଘ ଦିନ ଧରି ହେଇଥିଲା?

ଆମ ଭାଗ୍ୟକୁ ରାମଜନ୍ମଭୂମି ବିବାଦରେ ହିନ୍ଦୁ ସମାଜର ତୀବ୍ର ପ୍ରତିବାଦ ପରେ କରସେବକ ମାନଙ୍କ ଦ୍ବାରା ଜରାଜୀର୍ଣ୍ଣ ଵାବରି ମସଜିଦକୁ ବଳପୂର୍ବକ ଭାଙ୍ଗିଲା ପରେ ହିଁ ଏହି ଘଟଣା ଜାତୀୟସ୍ତରରେ ଗମ୍ଭୀର ଆଲୋଚ୍ୟ ବିଷୟ ହେଲା। ତୁଙ୍ଗ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କ ଅଖିଳ ଭାରତ ଶ୍ରୀରାମ ରଥଯାତ୍ରା ଅଭିଯାନ ଏହି ମନ୍ଦିର – ମସଜିଦ ବିବାଦକୁ ଧାର୍ମିକ ଓ ରାଜନୈତିକ ସଂଘର୍ଷର ସ୍ତରକୁ ଉନ୍ନୀତ କରିଥିଲା। ବିଜେପି ଦଳର ଜାତୀୟ ରାଜନୀତିରେ ପ୍ରବଳ ଉତ୍ଥାନ ଏହି ମନ୍ଦିର ବିବାଦ ପୃଷ୍ଠଭୂମିରେ ହୋଇଥିଲା। ଏହିଦଳ କେନ୍ଦ୍ରରେ କ୍ଷମତାସୀନ ହେବାର ପ୍ରକ୍ରିୟା ସାଙ୍ଗକୁ, ମନ୍ଦିର – ମସଜିଦ ମାମଲା ତଳକୋର୍ଟରୁ ହାଇକୋର୍ଟ ଏବଂ ଶେଷରେ ଉଚ୍ଚତମ ନ୍ୟାୟାଳୟରେ ପହଞ୍ଚି ରାୟ ଶୁଣାଣି ମନ୍ଦିର ପକ୍ଷରେ ଯିବାଟାକୁ ଅନେକ ବିଜେପି ବିରୋଧୀ ମହଲ ସ୍ବାଭାବିକ ଭାବେ ଗ୍ରହଣ କରିପାରୁ ନାହାନ୍ତି। ଭାରତୀୟ ପୁରାତତ୍ତ୍ବ ସର୍ଭେ ବିଭାଗ ଦ୍ବାରା ବିବାଦୀୟ ସ୍ଥଳରେ କରାଯାଇଥିବା ଉତ୍‌ଖନନର ଆବିଷ୍କାର ମଧ୍ୟ ମାମଲାକୁ ମନ୍ଦିର ପକ୍ଷରେ ନ୍ୟାୟ ଦେବାରେ ସହାୟକ ହେଲା।

ତେଣୁ ଆଜି ରାମନଗରୀ ଅଯୋଧ୍ୟାରେ ଏହି ଭବ୍ୟ ମନ୍ଦିର ନିର୍ମାଣ ସମ୍ଭବ ହୋଇଛି। ତେବେ କେଉଁଠି ନା କେଉଁଠି ମୁସଲମାନ ସମ୍ପ୍ରଦାରେ ଅେଳ୍ପବହୁତ ଅସନ୍ତୋଷ ନିର୍ମାଣ ପାଇଁ ମୁସଲିମ ସପକ୍ଷବାଦୀ ରାଜନୈତିକ ଦଳ ପ୍ରୟାସ କରି ଚାଲିଛନ୍ତି। କିନ୍ତୁ ସାଧାରଣ ମୁସଲମାନ ସମାଜ ଏବିଷୟରେ ନିରପେକ୍ଷ ଥିଲା ପରି ମନେହୁଏ। କେହି କେହି ମୁସଲମାନ ନେତା ଏବେ କହିବାର ଶୁଣାଯାଉଛି ଯେ ଅଯୋଧ୍ୟା ମନ୍ଦିର ସ୍ବତ୍ବକୁ ମୁସଲମାନ ସମାଜ ସ୍ୱେଚ୍ଛାକୃତ ଭାବେ ହିନ୍ଦୁ ସମାଜକୁ ବହୁ ଆଗରୁ ଦେଇ ଦେବାର ଥିଲା।
ସେହିପରି କାଶୀ ଓ ମଥୁରା ମାମଲାର ଆପୋଷ ସମାଧାନ ଶୀଘ୍ର ଜରୁରୀ। ସେ ଦୁଇ ଧାର୍ମିକ ପୀଠକୁ ମସଜିଦ ଅବରୋଧରୁ ମୁକ୍ତ ନକଲା ଯାଏଁ ହିନ୍ଦୁ ସମାଜ ଶାନ୍ତିରେ ବସିବ ନାହିଁ। ମୁସଲିମ ସମାଜ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ହିନ୍ଦୁ ସମାଜକୁ ଏଦୁଇଟି ସ୍ଥାନ ଛାଡ଼ିଦେବା ଉଚିତ୍। ଅବଶ୍ୟ ଏହି ଦୁଇ ମାମଲା ଏବେ ଉଚ୍ଚ ଅଦାଲତରେ ପହଞ୍ଚି ସାରିଛି।

ଆଜି ଅଯୋଧ୍ୟାରେ ଓ ସାରା ଦେଶରେ ଉତ୍ସବର ଦିନ! କିଛି ନେତୃସ୍ଥାନୀୟ ଧର୍ମାଧିକାରୀ ଓ ମୁଖ୍ୟ ରାଜନୈତିକ ଦଳ ନିମନ୍ତ୍ରଣ ସତ୍ତ୍ୱେ ଏଥିରେ ଯୋଗ ନ ଦେବାଟା ବିଜ୍ଞତାର ପରିଚୟ ନୁହେଁ। କାଳକାଳକୁ କଥା ରହିଯିବ। ଆମର ସେହି ମହାଭାଗମାନଙ୍କୁ ନିବେଦନ ଯେ, ଧର୍ମ ନିରପେକ୍ଷତାର ଆଦର୍ଶ କେବେହେଲେ ଧର୍ମର ବିରୁଦ୍ଧାଚରଣ ସହ ସମାନ ନୁହେଁ। ଶହେ କୋଟି ଭାରତୀୟ ହିନ୍ଦୁ ସମାଜର ଧର୍ମ ମନସ୍କତାକୁ ଖିଲାଫି ନକରି ଏହି ଜାତୀୟ ଉତ୍ସବରେ ଯୋଗ ଦିଅନ୍ତୁ। ସବୁ ଧର୍ମର ଆଶିଷ ପାଆନ୍ତୁ ! ଏହାବ୍ୟତୀତ ଖୁବ୍‌ଶୀଘ୍ର ଜାତୀୟ ସହମତି ନିର୍ମାଣ କରି କୃଷ୍ଣ ଜନ୍ମଭୂମି ଓ କାଶୀ ବିଶ୍ୱନାଥ ବିବାଦର ସର୍ବଧର୍ମ ସମନ୍ୱୟ ଭିତ୍ତିରେ ସମାଧାନର ରାସ୍ତା ବାହାର କରନ୍ତୁ। ତା’ ହେଲେ ଆଜି ସରଯୁ ନଦୀ ଯେଉଁ ମଙ୍ଗଳ ଗୀତି ଗାଉଛି, ସେଇ ଗୀତି ଦୋହରାଇବେ ଆମର ପୁଣ୍ୟତୋୟା ଗଙ୍ଗା, ଯମୁନା, ନର୍ମଦା, ସିନ୍ଧୁ ଓ କାବେରୀ ତଥା ଆମର ମହାଭାରତୀୟ ମାନସ ସରସ୍ବତୀ !