ଭିନ୍ନ ଜଣେ ଭକ୍ତ ଚିନ୍ତାମଣି

କେନ୍ଦ୍ରାପଡ଼ା (ହେମନ୍ତ ନାୟକ): ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ସାମାନ୍ୟତମ ସେବା ପାଇଁ ଅନେକ ଇଚ୍ଛା ରଖିଥାନ୍ତି। ହେଲେ ଏହି ସୁଯୋଗ ସମସ୍ତଙ୍କ ଭାଗ୍ୟରେ ନ ଥାଏ। ଶ୍ରୀମନ୍ଦିରର ସେବକ ନ ହୋଇ ମଧ୍ୟ ଅନେକ ପରୋକ୍ଷରେ ମହାପ୍ରଭୁଙ୍କ ସେବା ପ୍ରତି ସମର୍ପିତ ଥାଆନ୍ତି। ଏମିତି ଅନେକ ଭକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଭିନ୍ନ ଜଣେ ଭକ୍ତ ହେଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ଦାଶ। ଠାକୁରଙ୍କ ଦୁର୍ଲ୍ଲଭ ପଦ୍ମ ବେଶ ପାଇଁ କ୍ରମାଗତ ୧୪ ବର୍ଷ […]

ଭିନ୍ନ ଜଣେ ଭକ୍ତ ଚିନ୍ତାମଣି
Different is a devoted thinker

କେନ୍ଦ୍ରାପଡ଼ା (ହେମନ୍ତ ନାୟକ): ଭାବର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ସାମାନ୍ୟତମ ସେବା ପାଇଁ ଅନେକ ଇଚ୍ଛା ରଖିଥାନ୍ତି। ହେଲେ ଏହି ସୁଯୋଗ ସମସ୍ତଙ୍କ ଭାଗ୍ୟରେ ନ ଥାଏ। ଶ୍ରୀମନ୍ଦିରର ସେବକ ନ ହୋଇ ମଧ୍ୟ ଅନେକ ପରୋକ୍ଷରେ ମହାପ୍ରଭୁଙ୍କ ସେବା ପ୍ରତି ସମର୍ପିତ ଥାଆନ୍ତି। ଏମିତି ଅନେକ ଭକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଭିନ୍ନ ଜଣେ ଭକ୍ତ ହେଉଛନ୍ତି ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ଦାଶ। ଠାକୁରଙ୍କ ଦୁର୍ଲ୍ଲଭ ପଦ୍ମ ବେଶ ପାଇଁ କ୍ରମାଗତ ୧୪ ବର୍ଷ ହେଲାଣି ନିଜ ସାମର୍ଥ୍ୟ ଅନୁଯାୟୀ ସେ ପଦ୍ମଫୁଲ ଯୋଗାଇ ଆସୁଛନ୍ତି।

୬୯ ବର୍ଷୀୟ ଚିନ୍ତାମଣି। ଘର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ନିକଟସ୍ଥ ଯଦୁପୁର ଗୋପୀନାଥପୁର ଶାସନ। ହେଲେ ସପରିବାର ଭୁବନେଶ୍ୱରରେ ରହୁଛନ୍ତି। ୧୪ ବର୍ଷ ହେବ ମହାପ୍ରଭୁଙ୍କ ପଦ୍ମବେଶ ପାଇଁ ପଦ୍ମଫୁଲ ଯୋଗାଇ ଆସୁଛନ୍ତି। ଶନିବାର ଠାକୁରଙ୍କ ପଦ୍ମବେଶ ଲାଗି ଝୁଡ଼ିଏ ପଦ୍ମଫୁଲ ଆଣି ପୁରୀ ଆସିଥିବା ଚିନ୍ତାମଣୀ କହିଛନ୍ତି, ଅଚ୍ୟୁତାନନ୍ଦଙ୍କୁ ପଦ୍ମଫୁଲ ମାଳ ଦେଇଆସୁଥିଲି। ଦିନେ ଘରେ ପୂଜା କରୁଥିବା ବେଳେ ମହାପ୍ରଭୁଙ୍କୁ ପଦ୍ମଫୁଲ ଦେବାକୁ ମନ ହେଲା। ୨୦୧୧ ପଦ୍ମବେଶ ଦିନ ପ୍ରଥମଥର ଦାରୁବିଗ୍ରହଙ୍କ ପାଇଁ ପଦ୍ମଫୁଲ ଦେବାର ସୁଯୋଗ ପାଇଲି। ସେବେଠାରୁ ପ୍ରତିବର୍ଷ ପଦ୍ମବେଶରେ ଫୁଲ ଆଣି ଦେଉଛି। ଏହି ପଦ୍ମଫୁଲ ଯୋଗାଇଦେବା ଲକ୍ଷ୍ୟରେ ପୂର୍ବରୁ ଧଉଳି ପାହାଡ଼ ନିକଟରେ ଥିବା କିଛି ପୋଖରୀକୁ ଲିଜ୍‌‌ ସୂତ୍ରରେ ନେଉଥିଲେ।

ଲୋକଙ୍କୁ ରଖି ଏହାର ଜଗାରଖା କରି ଫୁଲ ତୋଳୁଥିଲେ। ହେଲେ ଦୁଇବର୍ଷ ହେବ ଏବେ ଲୋକମାନଙ୍କଠାରୁ ଫୁଲ କିଣି ଆଣୁଛନ୍ତି। ପାଖ ପଡ଼ୋଶୀଙ୍କ ଦ୍ୱାରା ଫୁଲଗୁଡ଼ିକୁ ଫୁଟାଇ କଦଳୀ ପଟୁକାରେ ମାଳ କରିଥାନ୍ତି। ଶନିବାର ଅପରାହ୍ନରେ ଏକ ଗାଡ଼ିରେ ୪ ଝୁଡ଼ି ଏବଂ ୪ଟି ଥଳି ଭର୍ତ୍ତି ଫୁଲ ଆଣିଥିଲେ ଚିନ୍ତାମଣି। ସାଥିରେ ଥିଲେ ତାଙ୍କ ପତ୍ନୀ, ଜ୍ୱାଇଁ ପ୍ରଶାନ୍ତ କୁମାର ତ୍ରିପାଠୀ, ବନ୍ଧୁ ଅଶ୍ୱିନୀ କୁମାର ନାୟକ ଓ ଜିତନ୍ଦ୍ର କୁମାର ମହାନ୍ତି। ପ୍ରତିବର୍ଷ ପୁରୀ ଆସିବା ବେଳେ ଚିନ୍ତାମଣି ମା’ ବାଟମଙ୍ଗଳାଙ୍କୁ ୫୪ଟି ଫୁଲରେ ଗୁନ୍ଥା ଯାଇଥିବା ମାଳ ଦିଅନ୍ତି। ସେହିପରି ଶ୍ରୀମନ୍ଦିର ପରିସର ମା’ ବିମଳା, ଭୁବନେଶ୍ୱରୀ ଓ ମହାଲକ୍ଷ୍ମୀଙ୍କ ପାଇଁ ୧୦୮ଟି ଲେଖାଏଁ ଫୁଲରେ ଗୁନ୍ଥା ଯାଇଥିବା ପଦ୍ମମାଳା ପ୍ରଦାନ କରିଥାନ୍ତି।

ଚିନ୍ତାମଣୀ କୁହନ୍ତି, ମୁଁ ନିଜ ଇଚ୍ଛାରେ ଫୁଲ ଦେଉନାହିଁଁ। ଭଗବାନଙ୍କ ଇଚ୍ଛାରେ ସବୁକିଛି ହେଉଛି। ମହାପ୍ରଭୁ ଯେତେଦିନ ଯାଏ ଚାହିଁଥିବେ ସେତେଦିନ ଯାଏ ଫୁଲ ଆଣି ଶ୍ରୀମନ୍ଦିରେ ଦେଉଥିବି। ବାଟମଙ୍ଗଳାଙ୍କୁ ଫୁଲମାଳ ଦେବା ସମ୍ପର୍କରେ ସେ କୁହନ୍ତି, ନବକଳେବର ସମୟରେ ଦାରୁ ଅନ୍ୱେଷଣରେ ସେବାୟତମାନେ ଯିବା ବେଳେ ମା’ କୃପା କରିଥାନ୍ତି। ତେଣୁ ମହାପ୍ରଭୁଙ୍କ ପାଖକୁ ଯିବା ପୂର୍ବରୁ ପ୍ରଥମେ ମା’ଙ୍କୁ ଦର୍ଶନ ଏବଂ ଫୁଲମାଳ ପ୍ରଦାନ ପୂର୍ବକ ଆରାଧନା କରି ଶ୍ରୀମନ୍ଦିର ଅଭିମୁଖେ ଯାଇଥାଏ ବୋଲି କହିଛନ୍ତି ଚିନ୍ତାମଣି।