ଭିନ୍ନ ପରମ୍ପରା...ସଂଜ ନଇଁଲେ ଏଠି ପହଣ୍ଡି ହୁଏ,ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି

ସଂଜ ନଇଁଲେ ଧାଡି ପହଣ୍ଡିରେ ଆସି ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି। ୪ଦିନ ରଥ ଟଣା। ଜାଣନ୍ତୁ ଏହି ନିଆରା ରଥଯାତ୍ରା ସମ୍ପର୍କରେ ।

ଭିନ୍ନ ପରମ୍ପରା...ସଂଜ ନଇଁଲେ ଏଠି ପହଣ୍ଡି ହୁଏ,ରଥାରୁଢ଼ ହୁଅନ୍ତି ଚତୁର୍ଦ୍ଧା ମୂରତି

ସଂଜ ନଇଁଲା, ମାଉସୀ ମା’ ମନ୍ଦିରରୁ ଧାଡି ପହଣ୍ଡିରେ ଆସି ରଥାରୁଢ ହୋଇଥିଲେ ଚତୁର୍ଦ୍ଧା ମୂରତି। ଦୁଇଟି ରଥରେ ବସି ଆଗରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର ବାହୁଡିଛନ୍ତି। ଦୀର୍ଘ ୧୧ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଏଭଳି ଏକ ଭିନ୍ନ ଢଙ୍ଗରେ ପାଳିତ ହୋଇଛି ରଥଯାତ୍ରା।

ହରିବୋଲ ହୁଳହୁଳି, ଘଟଂଶଙ୍ଖ ନାଦରେ ଉଠୁଛି ପଡୁଛି ଏଇ ପାବନ କ୍ଷେତ୍ର। ମହାନଦୀ ତୁଠରେ ଧାଡି ପହଣ୍ଡିରେ ଚତୁର୍ଦ୍ଧା ମୂରତିଙ୍କୁ ଆଣିଛନ୍ତି ସେବାୟତ। ମାଉସୀ ମା’ ମନ୍ଦିରରେ ୫ ଦିନ ଧରି ଦଶାବତାରରେ ଭକ୍ତଙ୍କୁ ଦର୍ଶନ ଦେବାପରେ ପୁଣି ରଥାରୁଢ଼ ହୋଇ ଶ୍ରୀମନ୍ଦିରକୁ ବାହୁଡିଛନ୍ତି ଚତୁର୍ଦ୍ଧା ମୂରତି। ରଥ ଟାଣିବା ସହ ଦାରୁ ବିଗ୍ରହଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଗଡଜାତ ଅମଳରୁ ନିଆରା ଢଙ୍ଗରେ ପାଳିତ ହେଉଛି ଏହି ନିଆରା ରଥଯାତ୍ରା ।

ଗଡଜାତ ଅମଳରୁ ପୁରୀ ରଥଯାତ୍ରା ଠାରୁ ଏଠାକାର ଯାତ୍ରା ଭିନ୍ନ ରୀତିନୀତିରେ ପାଳନ ହେଉଛି। ସଂଜ ନଇଁଲେ ଯାଇଁ ଚତୁର୍ଦ୍ଧା ମୂରତିଙ୍କ ପହଣ୍ଡି ହେବାର ଏଠାରେ ପରମ୍ପରା ରହିଛି। ଦିର୍ଘ ୧୧ ଦିନ ଧରି ପାଳିତ ହୋଇଥିବା ଏଇ ରଥଯାତ୍ରାରେ ୪ ଦିନ ଧରି ରଥ ଟଣା ଯାଇଥାଏ। ବିନିକା ରଥଯାତ୍ରା ପରିଚାଳନା କମିଟୀ ଓ ଏନଏସି ପ୍ରଶାସନର ସହାୟତାରେ ଚଳିତ ବର୍ଷ ମଧ୍ୟ ମହା ଆଡମ୍ବରରେ ପାଳିତ ହୋଇଯାଇଛି ରଥଯାତ୍ରା ।