ସହଦେବଙ୍କୁ ମିଛରେ କିଡନୀ ରୋଗୀ ସଜାଇଦେଲା ସରକାର
ସୁସ୍ଥଙ୍କୁ ସଜାଇଲେ କିଡନୀ ରୋଗୀ, ବିଜୁ ସ୍ୱାସ୍ଥ୍ୟକାର୍ଡରେ ଫଟୋ ଲଗାଇଲେ। ଫଟୋକୁ ପଞ୍ଚାୟତ ବୁକଲେଟ ଛାପି ବାଣ୍ଟିଲେ।
ସୁସ୍ଥ ସବଳ ବ୍ୟକ୍ତିଙ୍କୁ କିଡନୀ ରୋଗୀ ଦର୍ଶାଇଲେ, ମିଛ ବାହାବା ପାଇଁ ବିଜୁ ସ୍ୱାସ୍ଥ୍ୟକାର୍ଡରେ ଫଟୋ ଲଗାଇଲେ। ଆଉ ସେହି ଫଟୋକୁ ପଞ୍ଚାୟତର ବୁକଲେଟ ଛାପି ବାଣ୍ଟିଲେ। ଏବେ ସଂପୃକ୍ତ ବ୍ୟକ୍ତି ସାମ୍ନାକୁ ଆସି ସବୁ ମିଛର ଗୁମର ଖୋଲିଛନ୍ତି।
ସଂପୃକ୍ତ ବ୍ୟକ୍ତି ହେଉଛନ୍ତି ରାୟଗଡ଼ା ମୁନିଗୁଡ଼ା ବ୍ଲକ ସଦର ପଞ୍ଚାୟତ ପାତ୍ରଗୁଡ଼ା ଗାଁର ସହଦେବ ପ୍ରାଷ୍କା। ତାଙ୍କ ଅଭିଯୋଗ, ଭୁବନେଶ୍ୱରରଏକ ଘରୋଇ ହସ୍ପିଟାଲରେ କିଡନୀ ରୋଗର ଚିକିତ୍ସା କରାଯାଇଥିବା ପୋଷ୍ଟରରେ ଦର୍ଶାଯାଇଛି। କିନ୍ତୁ ନା ସେ କୌଣସି କିଡନୀ ରୋଗୀ, ନା ସେ କେବେ ସଂପୃକ୍ତ ଘରୋଇ ହସ୍ପିଟାଲକୁ ଯାଇ ଚିକିତ୍ସିତ ହୋଇଛନ୍ତି। ପାଲଟା ତାଙ୍କୁ ବିଏସକେୱାଇ(BSKY) କାର୍ଡରେ ମିଛରେ କିଡନୀ ରୋଗୀ ସଜାଇ ପୋଷ୍ଟର ଲଗାଯାଇଛି ବୋଲି ଅଭିଯୋଗ କରିଛନ୍ତି ସହଦେବ। ଫଳରେ ଲୋକଙ୍କ ଦ୍ୱାରା ସମାଲୋଚନାର ଶୀକାର ହେଉଥିବା ସହଦେବ କହିଛନ୍ତି।
ଏନେଇ ଥାନାର ଦ୍ୱାରସ୍ଥ ହେବି ବୋଲି ସହଦେବ ଚେତାବନୀ ଦେଇଛନ୍ତି। କେବଳ ଏତିକି ନୁହେଁ, ଆମ ଓଡ଼ିଶା ନବୀନ ଓଡ଼ିଶା ବୁକଲେଟରେ ସରକାରଙ୍କ ଯୋଜନା ଲୋକେ ପାଇଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି ବୋଲି ଦର୍ଶାଇ ପଞ୍ଚାୟତ ଶିବିରରେ ବଡ଼ ବଡ଼ ପୋଷ୍ଟର ହୋଡିଂ ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି। ତେବେ ସିଡିଏମଓ ଲାଲମୋହନ ରାଉତରାୟ କହିଛନ୍ତି, ଏଭଳି କିଛି ଅଭିଯୋଗ ଯଦି ଆସେ, ତେବେ ତଦନ୍ତ ହେବ।