ଭୁବନେଶ୍ବରରେ ଡବଲ୍‌ ଡେକର ବସ୍‌ ଚଳାଚଳକୁ ନେଇ ଦ୍ୱନ୍ଦ୍ୱ : ଜନପଥ ବ୍ୟତୀତ କେଉଁଠି ବି ଚାଲିବା ସ୍ଥିତି ନାହିଁ

ଭୁବନେଶ୍ୱର : ସହରସାରା ହାତଗଣତି କେତୋଟି ରାସ୍ତାକୁ ଛାଡ଼ିଦେଲେ, ପ୍ରାୟ ସବୁ ରାସ୍ତାରେ ଓଭର୍‌ହେଡ୍‌ କେବୁଲ୍‌, ବିଦ୍ୟୁତ୍‌ ତାର ଅତି ବିପଦସଂକୁଳ ଅବସ୍ଥାରେ ଝୁଲିରହିଛି। ଅନେକ ସମୟରେ ବିଭିନ୍ନ ପର୍ବପର୍ବାଣୀରେ ଠାକୁରଙ୍କ ପ୍ରତିମୂର୍ତ୍ତି ବେଢ଼ାକୁ ଆଣିବାବେଳେ ହେଉ ଅବା ବିସର୍ଜନ ପାଇଁ ନେବାବେଳେ ବାଡ଼ି ସାହାଯ୍ୟରେ ତାର ଉଠାଇ ନେବାକୁ ପଡୁଛି। ଏପରିସ୍ଥଳେ ସହର ଭିତରେ ଡବଲ ଡେକର ‘ମୋ ବସ୍‌’ କେମିତି ଗଡ଼ିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସଚେତନ ନାଗରିକଙ୍କ ଯୁକ୍ତି ହେଲା, […]

ଭୁବନେଶ୍ବରରେ ଡବଲ୍‌ ଡେକର ବସ୍‌ ଚଳାଚଳକୁ ନେଇ ଦ୍ୱନ୍ଦ୍ୱ : ଜନପଥ ବ୍ୟତୀତ କେଉଁଠି ବି ଚାଲିବା ସ୍ଥିତି ନାହିଁ
No space to run double-decker bus except janpath road in bbsr

ଭୁବନେଶ୍ୱର : ସହରସାରା ହାତଗଣତି କେତୋଟି ରାସ୍ତାକୁ ଛାଡ଼ିଦେଲେ, ପ୍ରାୟ ସବୁ ରାସ୍ତାରେ ଓଭର୍‌ହେଡ୍‌ କେବୁଲ୍‌, ବିଦ୍ୟୁତ୍‌ ତାର ଅତି ବିପଦସଂକୁଳ ଅବସ୍ଥାରେ ଝୁଲିରହିଛି। ଅନେକ ସମୟରେ ବିଭିନ୍ନ ପର୍ବପର୍ବାଣୀରେ ଠାକୁରଙ୍କ ପ୍ରତିମୂର୍ତ୍ତି ବେଢ଼ାକୁ ଆଣିବାବେଳେ ହେଉ ଅବା ବିସର୍ଜନ ପାଇଁ ନେବାବେଳେ ବାଡ଼ି ସାହାଯ୍ୟରେ ତାର ଉଠାଇ ନେବାକୁ ପଡୁଛି। ଏପରିସ୍ଥଳେ ସହର ଭିତରେ ଡବଲ ଡେକର ‘ମୋ ବସ୍‌’ କେମିତି ଗଡ଼ିବ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସଚେତନ ନାଗରିକଙ୍କ ଯୁକ୍ତି ହେଲା, କେବଳ ବାଣୀବିହାରରୁ ଶିଶୁ ଭବନ ପର୍ଯ୍ୟନ୍ତ ଅର୍ଥାତ୍‌ ଜନପଥ ରାସ୍ତାରେ ଓଭର୍‌ହେଡ୍‌ କେବୁଲ୍‌ ନାହିଁ। ବାକି ଅନ୍ୟ ସବୁ ରାସ୍ତାରେ ତାର ଝୁଲିକି ରହିଛି। ମୂର୍ତ୍ତି ବା ଜିନିଷ ପରିବହନବେଳେ ସିନା ଲୋକମାନେ ବାଡ଼ି ଧରି ତାର ଟେକି ଦେଉଛନ୍ତି। ହେଲେ ଡବଲ ଡେକର ବସ୍‌କୁ କେମିତି ଚଲାଯିବ? ଚଳିତ ମାସ ୧୦ ତାରିଖରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଘୋଷଣା କଲେ ଯେ ରାଜ୍ୟରେ ଡବଲ୍‌ ଡେକର ଇ-ବସ୍‌ ଚାଲିବ। ପ୍ରବାସୀ ଭାରତୀୟ ସମ୍ମିଳନୀଠାରୁ ଏହା ଆରମ୍ଭ ହେବ। ତା’ପରେ ନିୟମିତ ଭାବେ ବସ୍‌ ଚଳାଚଳ କରିବ। ହେଲେ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ଆଉ ଦିନ କେଇଟା ବାକି ଅଛି, ଏପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଏ ବସ୍‌ ଚଳାଚଳ କରିନି। ତେଣୁ ସେତେବେଳେ ହଠାତ୍‌ ଚାଲିପାରିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି। କାରଣ ସାଧାରଣ ବସ୍‌ ତୁଳନାରେ ଏହି ବସ୍‌ର ଉଚ୍ଚତା ଦୁଇଗୁଣ ହେବ। ଏଥିରେ ଦୁଇ ଗୁଣ ଯାତ୍ରୀ ଯା’ଆସ କରିପାରିବେ। ଏହାର ଉଚ୍ଚତା ୧୬ ଫୁଟ୍‌ ଥିବାବେଳେ ଲମ୍ବା ୩୩ ଫୁଟ୍‌, ଓସାର ୯ଫୁଟ୍‌ ରହିଛି। ସେହିଭଳି ରାଜଧାନୀରେ ପ୍ରମୁଖ ସ୍ଥାନରେ ଏକାଧିକ ବୁଲାଣି ଅଛି, ଯେଉଁଠି ସକାଳୁ ରାତି ଯାଏଁ ଭିଡ଼ ଲାଗି ରହୁଛି। ସେହି ସବୁ ସ୍ଥ୍‌ାନରେ ବସ୍‌ ବୁଲାଇବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ସ୍ଥାନର ଅଭାବ ରହିବ। ଏସବୁ ସମସ୍ୟାକୁ ଦେଖିଲାବେଳକୁ ବସ୍‌ ଚଳାଚଳ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ ‘ମୋ ବସ୍‌’ ଚାଳକଙ୍କ ବେପରୁଆ ଡ୍ରାଇଭିଂ ଯୋଗୁଁ କ୍ରୁଟ୍‌ ଓ ‘ମୋ ବସ୍‌’ ଦୁର୍ନାମ ମୁଣ୍ଡାଇଛି। ଏପରିସ୍ଥଳେ ଡବଲ୍‌ ଡେକର ବସ୍‌ ପାଇଁ ଅଭିଜ୍ଞ ଡ୍ରାଇଭର୍‌ଙ୍କୁ ନିଯୁକ୍ତି ଦିଆଯିବ ନା ‘ମୋ ବସ୍‌’କୁ ଚଲାଉଥିବା ଡ୍ରାଇଭର୍‌ଙ୍କୁ ଦିଆଯିବ। ସହର ଭିତରେ ଏହି ଡବଲ ଡେକର ବସ୍‌ ଚାଲିବା ପୂର୍ବରୁ ଯାତ୍ରୀଙ୍କ ଭିତରେ ଏଭଳି ଏକାଧିକ ପ୍ରଶ୍ନ ଉଙ୍କିମାରୁଛି। କ୍ରୁଟ୍‌ ଏସବୁ ପ୍ରଶ୍ନରୁ ପରଦା ହଟାଇବାରେ କେତେ ସକ୍ଷମ ହେଉଛି, ତାହା ବସ୍‌ ଚଳାଚଳ ପରେ ଜଣାପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏନେଇ କ୍ରୁଟ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବସ୍‌ କେଉଁ ରୁଟ୍‌ରେ ଚାଲିବ, କେଉଁଠି କ’ଣ ପ୍ରତିବନ୍ଧକ ସବୁ ସୃଷ୍ଟି ହେବ, ଏହା ଉପରେ ଗଭୀର ଅନୁଧ୍ୟାନ କରାଯାଉଛି। ଏସବୁକୁ ଦୃଷ୍ଟିରେ ରଖି ବସ୍‌ ଚଳାଚଳ କରାଯିବ ବୋଲି ସେ କହିଛନ୍ତି।