ଭୁବନେଶ୍ୱର ବିମାନ ବନ୍ଦରରେ ହେବ ନୂଆ ଟର୍ମିନାଲ, ୨ ବର୍ଷରେ ସରିବ କାମ

ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଟର୍ମିନାଲ ଥିବା ବେଳେ ଖୁବ୍‌ ଶୀଘ୍ର ଆଉ ଏକ ଟର୍ମିନାଲ ନିର୍ମାଣ କରାଯିବ ।

ଭୁବନେଶ୍ୱର ବିମାନ ବନ୍ଦରରେ ହେବ ନୂଆ ଟର୍ମିନାଲ, ୨ ବର୍ଷରେ ସରିବ କାମ

ଭୁବନେଶ୍ୱର ବିମାନବନ୍ଦରରେ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବଢ଼ୁଛି। ଏଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ତଥା ବିଦେଶକୁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ତେଣୁ ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଟର୍ମିନାଲ ଥିବା ବେଳେ ଖୁବ୍‌ ଶୀଘ୍ର ଆଉ ଏକ ଟର୍ମିନାଲ ନିର୍ମାଣ କରାଯିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଉଡ଼ୁ ଆଜି ଭୁବନେଶ୍ୱର ବିମାନବନ୍ଦରରରେ ପହଞ୍ଚି ସମୀକ୍ଷା କରିବା ପରେ ଏପରି ମନ୍ତବ୍ୟ ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲର କ୍ଷମତା ବାର୍ଷିକ ୪୦ ଲକ୍ଷ ରହିଛି। କିନ୍ତୁ ବର୍ଷକୁ ଏହି ଟର୍ମିନାଲ ଦେଇ ୫୦ ଲକ୍ଷ ଯାତ୍ରୀଙ୍କଠୁ ଅଧିକ ଯାତାୟତ କରୁଛନ୍ତି। ତେଣୁ ଏହାର କ୍ଷମତା ବଢ଼ାଇବାକୁ ଯୋଜନା ପ୍ରସ୍ତୁତ ହେଉଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ୧ ମିଲିୟନ କ୍ଷମତା ବିଶିଷ୍ଟ ଏକ ନୂଆ ଟର୍ମିନାଲ ନିର୍ମିତ ହେବ । ଫଳରେ ଆହୁରି ଅଧିକ ସଂଖ୍ୟକ ଯାତ୍ରୀ ଏହି ବିମାନବନ୍ଦରରୁ ଯାତାୟତ କରି ପାରିବେ।

ଏଥିସହ ଖୁବଶୀଘ୍ର ରନୱେ କ୍ୟାଟ୍ ଟୁ ଲାଇଟ୍ ବ୍ୟବସ୍ଥା ବି ହେବ । ଆଗାମୀ ମାସେ ମଧ୍ୟରେ ବହୁ କାମ ସମ୍ପନ୍ନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

aviation minister in bhubaneswarଭୁବନେଶ୍ୱର ବିମାନବନ୍ଦରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ।

ସେ କହିଛନ୍ତି, ଭୁବନେଶ୍ୱରରୁ ଏବେ ଦେଶର ୨୦ଟି ରାଜ୍ୟକୁ ଓ ୪ଟି ଦେଶକୁ ସିଧାସଳଖ ବିମାନ ସେବା ରହିଛି। ଏହି ସଂଖ୍ୟା ଅଧିକ ବୃଦ୍ଧି କରିବାକୁ ବି ଯୋଜନା ପ୍ରସ୍ତୁତ ହେଉଛି। କେନ୍ଦ୍ର ମନ୍ତ୍ରାଳୟର ଅନୁମତି ମିଳିବା ପରେ ଏହି କାମକୁ ତ୍ୱରାନ୍ୱିତ କରାଯିବ । ମୁଖ୍ୟତଃ ରାଜସ୍ଥାନର ଜୟପୁର, ଜମ୍ମୁକଶ୍ମୀର, ବିଶାଖାପାଟଣା ଓ ସୁରତ ଆଦି ସହର ସହ ସିଧାସଳଖ ବିମାନ ଚଳାଚଳ ନିମନ୍ତେ ଦାବି ହେଉଛି। ଏହାକୁ ପୂରଣ କରିବାକୁ କାମ କରିବୁ।

ଉଡ଼ାଣ ଯୋଜନାରେ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ରାଉରକେଲା, ଝାରସୁଗୁଡ଼ା, ଜୟପୁର, ଉତକେଳା ଆଦି ସ୍ଥାନରେ ବିମାନବନ୍ଦର ନିର୍ମାଣ ହୋଇଛି। ସେ ସବୁକୁ ଅଧିକ ଉନ୍ନତ କରିବାକୁ ଆହୁରି ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।