ଭୋଟ ଦେଖି ଦଳ ଡିଆଁ; ବ୍ରହ୍ମପୁର ରାଜନୈତିକ ମାହୋଲରେ ହଟଚମଟ !

୪ ବିଜେପି କର୍ପୋରେଟରଙ୍କ ଦଳ ଡିଆଁ ଘଟଣା । ବ୍ରହ୍ମପୁର ମହାନଗର ନିଗମରେ ରାଜନୈତିକ ହଟଚମଟ । ଘଟଣାକୁ ଶୁଭଙ୍କର ନୁହେଁ କହିଲେ ରାଜନୈତିକ ସମୀକ୍ଷକ । 

ଭୋଟ ଦେଖି ଦଳ ଡିଆଁ; ବ୍ରହ୍ମପୁର ରାଜନୈତିକ ମାହୋଲରେ ହଟଚମଟ !

ବ୍ରହ୍ମପୁର ମହାନଗର ନିଗମର ୪ଜଣ ବିଜେପି କର୍ପୋରେଟର ବିଜେଡିରେ ସାମିଲ ହେବାପରେ ବ୍ରହ୍ମପୁର ରାଜନୈତିକ ମାହୋଲରେ ହଟଚମଟ । ଏହି ଘଟଣାକୁ ବିଜେପିରେ ଥିବା ଅନ୍ୟ କର୍ପୋରେଟର ନିନ୍ଦା କରିଛନ୍ତି । ସେପଟେ ଦଳ ବଦଳପରେ ବିକାଶର ସ୍ବର ଆଉ ଶୁଭିବ କି ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ । ଦଳ ଡିଆଁ ରାଜନୀତିକୁ ନେଇ ବ୍ରହ୍ମପୁରରେ ଏବେ ବେଶ୍ ଚର୍ଚ୍ଚା ।

ବିଜେପିରୁ ଟିକେଟ ପାଇଥିଲେ... ଲୋକଙ୍କ ଭୋଟ୍ ପାଇ ଜିତିଥିଲେ। ହେଲେ ଦିନକତଳେ ହଠାତ୍ ବ୍ରହ୍ମପୁର ମହାନଗର ନିଗମର ୪ ଜଣ ବିଜେପି କର୍ପୋରେଟର ଭୁବନେଶ୍ବର ଯାଇ ବିଜେଡିରେ ସାମିଲ ହୋଇଗଲେ । ଆଉ ଗତକାଲି ବ୍ରହ୍ମପୁର ସାଂସଦ, ବିଧାୟକ ମେୟର ପ୍ରମୁଖ ସେମାନଙ୍କୁ ସମ୍ବର୍ଦ୍ଧିତ ବି କଲେ । ଯାହାକୁ ନେଇ ଏବେ ବ୍ରହ୍ମପୁର ରାଜନୀତିରେ ଦେଖାଦେଇଛି ହଟଚମଟ ।
  
ଦଳ ଡେଇଁ ଯାଇଥିବା ୪ କର୍ପୋରେଟର ହେଲେ ପ୍ରଦୀପ ଶତପଥୀ, ରଂଜିତା ବେହେରା, ନୀଳକଣ୍ଠ ସାହୁ ଏବଂ ଡି.କରୁଣାକର। ଦିନ ଥିଲା, ଯେବେ ଏମାନେ ବିରୋଧୀ ସିଟ୍ ରେ ବସି ସହର ବିକାଶ ପାଇଁ ସ୍ବର ଉଠାଉଥିଲେ। ହେଲେ ଏବେ ଶାସକ ଦଳରେ ମିଶିବା ପରେ ସେ ସ୍ବର ଆଉ ଶୁଭିବ କି ନାହିଁ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ। ସେପଟେ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।