ଭୋଟିଂ ପୂର୍ବରୁ ହିଂସା, ଟିଏମ୍‌ସି କର୍ମୀଙ୍କୁ ପିଟିପିଟି ହତ୍ୟା

ଟିଏମ୍‌ସି କର୍ମୀଙ୍କ ହତ୍ୟା ପଛରେ ବିଜେପିର ହାତ ଥିବା ଦଳ ଅଭିଯୋଗ କରିଛି।

ଭୋଟିଂ ପୂର୍ବରୁ ହିଂସା, ଟିଏମ୍‌ସି କର୍ମୀଙ୍କୁ ପିଟିପିଟି ହତ୍ୟା

ଲୋକସଭା ନିର୍ବାଚନ ପାଇଁ ଷଷ୍ଠ ପର୍ଯ୍ୟାୟ ଭୋଟିଂ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି। ତେବେ ଭୋଟିଂ ପୂର୍ବରୁ ଘଟିଛି ହିଂସା। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଷଷ୍ଠ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହେବା ପୂର୍ବରୁ ପଶ୍ଚିମବଙ୍ଗର ତମଲୁକ ଲୋକସଭା ଆସନର ମହିଷାଦଳରେ ଜଣେ ତୃଣମୂଳ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ଶେଖ ମୋଇବୁଲ। ତାଙ୍କ ବୟସ ୪୨ ବର୍ଷ। ମୋଇବୁଲ ଟିଏମ୍‌ଓ୍ୱାଇସିର ଉପାଧ୍ୟକ୍ଷ ଥିଲେ।

ଗତ ବିଳମ୍ବିତ ରାତିରେ ମହିଷାଦଳ ଅଞ୍ଚଳରେ ମୃତ ଟିଏମ୍‌ସି କର୍ମୀ ଘରକୁ ଫେରୁଥିଲେ। ଏହି ସମୟରେ କିଛି ବିଜେପି କାର୍ଯ୍ୟକର୍ତ୍ତା ତାଙ୍କୁ ଘେରି ଯାଇଥିଲ। ପରେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ମାରପିଟ୍‌ ଯାଏ କଥା ଯାଇଥିଲା। ବିଜେପି କର୍ଯ୍ୟକର୍ତ୍ତାମାନେ ଶେଖ ମୋଇବୁଲଙ୍କୁ ପିଟିପିଟି ହତ୍ୟା କରିଥିବା ଟିଏମ୍‌ସି ଅଭିଯୋଗ କରିଛି। ଏନେଇ ମହିଷାଦଳ ଥାନରେ ଦଳ ମାମଲା ରୁଜୁ କରିଛି। ଏହି ମାମଲାରେ ପୁଲିସ ୫ ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ସେହିପରି ପୂର୍ବ ମିଦନାପୁରରେ ଅନ୍ୟ ଏକ ଘଟଣାରେ ଗତକାଲି ରାତିରେ ବଚା ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଟିଏମ୍‌ସି ଏବଂ ବିଜେପି ମଧ୍ୟରେ ହୋଇଥିବା ସଂଘର୍ଷରେ ଅନନ୍ତ ବିଜଲି ନାମକ ଜଣେ ଟିଏମ୍‌ସି କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ବିଜେପି କର୍ମୀମାନେ ତାଙ୍କୁ ଲୁହା ରଡ୍‌ ଓ ବାଉଁଶରେ ପିଟିପିଟି ରକ୍ତାକ୍ତ କରିଥିବା ଟିଏମ୍‌ସି ଅଭିଯୋଗ କରିଛି।

ଅନନ୍ତ ବିଜଲିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରୁ ମେନା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରୁ ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ତାଙ୍କୁ ତାମୁଲକ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି।