ଭ୍ରମଣବିଳାସୀ ବ୍ୟାଖ୍ୟାକାର

ବିଶ୍ୱ ସାହିତ୍ୟ କ୍ଷେତ୍ରରେ ଓ୍ବେସ୍‌ଟନ୍‌ ଇଣ୍ଟନ୍ୟାଶନାଲ ଆଓ୍ବାର୍ଡ ଏକ ପରିଚିତ ପୁରସ୍କାର। ଏହି କାନାଡୀୟ ସାହିତ୍ୟ ସମ୍ମାନ ପ୍ରତିବର୍ଷ ଅଣକାଳ୍ପନିକ (ନନ୍‌ଫିକ୍ସନ) ଲେଖାରେ ଶ୍ରେଷ୍ଠ ପୁସ୍ତକ ରଚନା କରିଥିବା ଲେଖକଙ୍କୁ ପ୍ରଦାନ କରାଯାଇଥାଏ। ୧୯୯୭ରେ ଏହା ରାଇଟର୍ସ ଟ୍ରଷ୍ଟ ଅଫ୍‌ କାନାଡା ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ କାନାଡୀୟ ବ୍ୟବସାୟୀ, ଲେଖକ, ଜନହିତକର ମହିଳା ତଥା ଅଣ୍ଟାରିଓର ଲ୍ୟୁଟନାଣ୍ଟ ଗର୍ଭନର ହିଲାରୀ ଓ୍ବେସ୍‌ଟନ୍‌ ଏହି ପୁରସ୍କାରର ପ୍ରାୟୋଜକ ହେବା ପରେ ତାଙ୍କ ନାମରେ ଏହା ନାମିତ […] The post ଭ୍ରମଣବିଳାସୀ ବ୍ୟାଖ୍ୟାକାର appeared first on Dharitri Odia News.

ଭ୍ରମଣବିଳାସୀ ବ୍ୟାଖ୍ୟାକାର

ବିଶ୍ୱ ସାହିତ୍ୟ କ୍ଷେତ୍ରରେ ଓ୍ବେସ୍‌ଟନ୍‌ ଇଣ୍ଟନ୍ୟାଶନାଲ ଆଓ୍ବାର୍ଡ ଏକ ପରିଚିତ ପୁରସ୍କାର। ଏହି କାନାଡୀୟ ସାହିତ୍ୟ ସମ୍ମାନ ପ୍ରତିବର୍ଷ ଅଣକାଳ୍ପନିକ (ନନ୍‌ଫିକ୍ସନ) ଲେଖାରେ ଶ୍ରେଷ୍ଠ ପୁସ୍ତକ ରଚନା କରିଥିବା ଲେଖକଙ୍କୁ ପ୍ରଦାନ କରାଯାଇଥାଏ। ୧୯୯୭ରେ ଏହା ରାଇଟର୍ସ ଟ୍ରଷ୍ଟ ଅଫ୍‌ କାନାଡା ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ପରବର୍ତ୍ତୀ ସମୟରେ କାନାଡୀୟ ବ୍ୟବସାୟୀ, ଲେଖକ, ଜନହିତକର ମହିଳା ତଥା ଅଣ୍ଟାରିଓର ଲ୍ୟୁଟନାଣ୍ଟ ଗର୍ଭନର ହିଲାରୀ ଓ୍ବେସ୍‌ଟନ୍‌ ଏହି ପୁରସ୍କାରର ପ୍ରାୟୋଜକ ହେବା ପରେ ତାଙ୍କ ନାମରେ ଏହା ନାମିତ ହୋଇଛି। ପୁରସ୍କାର ପାଇଁ ଯୋଗ୍ୟ ହେବାକୁ ହେଲେ ସମ୍ପୃକ୍ତ ଲେଖକଙ୍କର ଅତିକମ୍‌ରେ ଉଚ୍ଚକୋଟୀର ୩ଟି ନନ୍‌ଫିକ୍ସନ ପୁସ୍ତକ ଥିବା ଆବଶ୍ୟକ। ସେଗୁଡ଼ିକ ଇଂଲିଶ ଭାଷା କିମ୍ବା ବହୁଳ ଭାବେ ଅନୁବାଦିତ ହୋଇଥିବା ପୁସ୍ତକ ହେବା ବାଞ୍ଛନୀୟ। ୨୦୨୪ ପାଇଁ ଭାରତୀୟ ଲେଖକ ପଙ୍କଜ ମିଶ୍ରା ଏହି ସମ୍ମାନ ପାଇବେ। ‘ଗ୍ଲୋବାଲ ସାଉଥ୍‌, ଓ୍ବେଷ୍ଟର୍ନ ଇମ୍ପେରିଆଲିଜମ୍‌ ଇନ୍‌ ଏସିଆ ଆଣ୍ଡ୍‌ କଣ୍ଟେମ୍ପୋରାରି ସ୍ପିରିଚ୍ୟୁଆଲିଟି’ ପାଇଁ ତାଙ୍କୁ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ମିଳିବ। ସେପ୍ଟେମ୍ବର ୧୬ରେ କାନାଡାର ରୟାଲ ଅଣ୍ଟାରିଓ ମ୍ୟୁଜିୟମ୍‌ରେ ତାଙ୍କୁ ସମ୍ମାନିତ କରାଯିବ।
ଉତ୍ତରପ୍ରଦେଶର ଝାନ୍ସିରେ ୯ ଫେବୃଆରୀ ୧୯୬୯ରେ ପଙ୍କଜ ଜନ୍ମ ଲାଭ କରିଥିଲେ। ତାଙ୍କ ପିତା ଜଣେ ରେଳ ଶ୍ରମିକ ଥିଲେ। ସେ ଶ୍ରମିକ ସଂଘ ସହ ମଧ୍ୟ ଜଡ଼ିତ ଥିଲେ। ସ୍ବାଧୀନତା ପରବର୍ତ୍ତୀ ସମୟରେ ହୋଇଥିବା ଜମି ପୁନଃବଣ୍ଟନ ଯୋଗୁ ତାଙ୍କ ପରିବାର ଦାରିଦ୍ର୍ୟ ଭିତରକୁ ଚାଲିଯାଇଥିଲା। ଅଭାବ ଅନଟନ ଦେଇ ଗତି କରୁଥିଲେ ମଧ୍ୟ ପିତା ପଙ୍କଜଙ୍କ ପଢ଼ାକୁ ଗୁରୁତ୍ୱ ଦେଇଥିଲେ। ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ପଙ୍କଜ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ପରେ ସେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରୁ ଇଂଲିଶ ସାହିତ୍ୟରେ ସ୍ନାତକୋତ୍ତର କରିଥିଲେ। ଅର୍ଥଚିନ୍ତା ପରିବାରକୁ ଘାରିଥିବା ବେଳେ ସେ ୧୯୯୨ରେ ହିମାଚଳ ପ୍ରଦେଶର ଶିମ୍‌ଲା ଜିଲା ଅନ୍ତର୍ଗତ ମାଶୋବ୍ରା ଚାଲିଯାଇଥିଲେ। ସେଠାରେ ରହି ସେ ‘ଦି ଇଣ୍ଡିଆନ୍‌ ରିଭ୍ୟୁ ଅଫ୍‌ ବୁକ୍ସ’, ‘ଦି ଇଣ୍ଡିଆନ୍‌ ମାଗାଜିନ୍‌’ ଏବଂ ଇଂଲିଶ ଖବରକାଗଜ ‘ଦି ପାଓନିୟର’ରେ ସାହିତ୍ୟ ସମୀକ୍ଷା କରିବା ସହ ସେଗୁଡ଼ିକ ପାଇଁ ଲେଖାଲେଖି କରିଥିଲେ। ତାଙ୍କ ସୃଜନଶୀଳତା ଉଚ୍ଚପ୍ରଶଂସିତ ହେବା ପରେ ସେ ପୁସ୍ତକ ଲେଖିବାରେ ମନୋନିବେଶ କଲେ। ୧୯୯୫ରେ ତାଙ୍କ ପ୍ରଥମ ପୁସ୍ତକ ‘ବଟର ଚିକେନ୍‌ ଇନ୍‌ ଲୁଧିଆନା: ଟ୍ରାଭେଲ୍ସ ଇନ୍‌ ସ୍ମଲ୍‌ ଟାଉନ ଇଣ୍ଡିଆ’ ପ୍ରକାଶ ପାଇଥିଲା। ଏହା ଏକ ଭ୍ରମଣ ସାହିତ୍ୟ ଥିଲା, ଯେଉଁଥିରେ ସେ ଜଗତୀକରଣ ପରିପ୍ରେକ୍ଷୀରେ ଭାରତର ସାମାଜିକ ଓ ସାଂସ୍କୃତିକ ପରିବର୍ତ୍ତନକୁ ଦର୍ଶାଇଥିଲେ। ୨୦୦୦ ମସିହାରେ ପଙ୍କଜଙ୍କ ଉପନ୍ୟାସ ‘ରୋମାନ୍‌ଟିକ୍ସ’ ବଜାରକୁ ଆସିଥିଲା। ଏଥିରେ ଲୋକେ ସେମାନଙ୍କ ନିଜ ଅଭିଳାଷ ଅପେକ୍ଷା ସାଂସ୍କୃତିକ ପୂର୍ଣ୍ଣତା ସକାଶେ ଅଭୀପ୍ସା ରଖିଥିବାର ଏକ ବକ୍ରୋକ୍ତି ପ୍ରୟୋଗାତ୍ମକ କାହାଣୀ ବାଢ଼ି ସେ ପାଠକୀୟ ଆଦୃତି ପାଇଥିଲେ। ମୁଖ୍ୟ ଚରିତ୍ର ୧୯ ବର୍ଷୀୟ ସମର ଆଲ୍ଲାହାବାଦରୁ ବାରାଣସୀ ଆସିଛନ୍ତି। ଉପନ୍ୟାସର ବହୁଳାଂଶ ଏପରିକି ଶେଷ ଯାଏ ବାରାଣସୀକୁ କେନ୍ଦ୍ରିତ କରାଯାଇଛି। ଶେଷରେ ସମର ଅନୁଭବ କରୁଛନ୍ତି ସେହି ସହର ରହସ୍ୟରେ ପରିପୂର୍ଣ୍ଣ। ଉକ୍ତ ଉପନ୍ୟାସ ୧୧ଟି ୟୁରୋପୀୟ ଭାଷାରେ ପ୍ରକାଶ ପାଇଥିଲା ଓ ଫିକ୍ସନ୍‌ ବର୍ଗରେ ଲସ୍‌ ଏଞ୍ଜେଲ୍ସ ଟାଇମ୍ସ ଆର୍ଟ ସେଇଡେନ୍‌ବଉମ୍‌ ପୁରସ୍କାର ଜିତିଥିଲା। ୨୦୦୪ରେ ‘ଆନ୍‌ ଏଣ୍ଡ୍‌ ଟୁ ସଫରିଂ: ଦି ବୁଦ୍ଧ ଇନ୍‌ ଦି ଓ୍ବାର୍ଲଡ’ ପ୍ରକାଶ ପାଇଥିଲା। ସେଥିରେ ବୁଦ୍ଧଙ୍କ ଇତିହାସ, ସ୍ମୃତି, ଦର୍ଶନକୁ ଗଭୀର ଅନ୍ବେଷଣ କରିବା ସହ ଆଜିର ସମୟରେ ତାଙ୍କ ପ୍ରାସଙ୍ଗିକତାକୁ ପଙ୍କଜ ଉଲ୍ଲେଖ କରିଛନ୍ତି। ୨୦୦୬ରେ ‘ଟେମ୍ପ୍‌ଟେଶନ ଅଫ୍‌ ଦି ଓ୍ବେଷ୍ଟ: ହାଓ ଟୁ ବି ମଡର୍ନ ଇନ୍‌ ଇଣ୍ଡିଆ, ପାକିସ୍ତାନ ଆଣ୍ଡ୍‌ ବିୟଣ୍ଡ’ ବହିରେ ସେ କଶ୍ମୀରଠାରୁ ଆରମ୍ଭ କରି ଆଫଗାନିସ୍ତାନ, ତିବ୍ବତ, ନେପାଳ ଏବଂ ଦକ୍ଷିଣ ଓ ମଧ୍ୟଏସିଆର ବିଭିନ୍ନ ସ୍ଥାନକୁ କରିଥିବା ଭ୍ରମଣକୁ ସ୍ଥାନ ଦେବା ସହ ବଲିଉଡ୍‌କୁ ମଧ୍ୟ ସେଥିରେ ଯୋଡ଼ିଛନ୍ତି। ‘ଏଜ୍‌ ଅଫ୍‌ ଏଙ୍ଗର’, ‘ଫ୍ରମ୍‌ ଦି ରୁଇନ୍ସ ଅଫ୍‌ ଏମ୍ପାୟାର’କୁ ମିଶାଇଲେ ପଙ୍କଜ ୮ଟି ନନ୍‌ଫିକ୍ସନ୍‌ ଲେଖିଥିବା ବେଳେ ‘ରୋମାଣ୍ଟିକ୍ସ’ ଓ ‘ରନ୍‌ ଆଣ୍ଡ୍‌ ହାଇଡ୍‌’ ନାମରେ ଦୁଇଟି ଉପନ୍ୟାସ ଲେଖି ଚର୍ଚ୍ଚିତ ହୋଇଛନ୍ତି। ସାହିତ୍ୟ ରଚନା ସହ ସେ ‘ଦି ଗାର୍ଡିଆନ୍‌’, ‘ଦି ନ୍ୟୁୟର୍କ ଟାଇମ୍ସ’, ‘ଦି ନ୍ୟୁୟର୍କର’ ଆଦି ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ସ୍ତମ୍ଭ ଲେଖି ସୁଖ୍ୟାତି ଅର୍ଜନ କରିଛନ୍ତି। ପୁସ୍ତକ ଓ ସ୍ତମ୍ଭ ରଚନାରେ ସିଦ୍ଧହସ୍ତ ପଙ୍କଜ କ୍ରସ୍‌ଓ୍ବାର୍ଡ ବୁକ୍‌ ଆଓ୍ବାର୍ଡ, ଲିପ୍‌ଜିଗ୍‌ ବୁକ୍‌ ଆଓ୍ବାର୍ଡଠାରୁ ଆରମ୍ଭ କରି ବହୁ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
ପଙ୍କଜ ତାଙ୍କ ସମୟକୁ ଲଣ୍ଡନ ଓ ମାଶୋବ୍ରା ମଧ୍ୟରେ ଭାଗ କରିଚାଲିଛନ୍ତି। ଏକ ଗରିବ ପରିବାରୁ ଆସିଥିବା ପଙ୍କଜଙ୍କ ସଫଳତା ପଛରେ ରହିଛି ନିଷ୍ଠା ଓ ଅଧ୍ୟବସାୟ। ଲଣ୍ଡନଭିତ୍ତିକ ସମ୍ପାଦକ ମେରୀ ମାଉଣ୍ଟଙ୍କୁ ସେ ୨୦୦୫ରେ ବିବାହ କରିଛନ୍ତି। ମେରୀ ହେଉଛନ୍ତି ଲେଖକ ସାର୍‌ ଫର୍ଡିନାଣ୍ଡ୍‌ ମାଉଣ୍ଟଙ୍କ କନ୍ୟ ତଥା ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ଡେଭିଡ୍‌ କାମେରୁନ୍‌ଙ୍କ ସମ୍ପର୍କୀୟ।

The post ଭ୍ରମଣବିଳାସୀ ବ୍ୟାଖ୍ୟାକାର appeared first on Dharitri Odia News.