ପ୍ରାର୍ଥୀ ଘୋଷଣାକୁ ନଜର, ଗ୍ରୀନ୍‌ ସିଗ୍‌ନାଲ ଦେବା ଆରମ୍ଭ କଲାଣି ବିଜେଡି

ଭୁବନେଶ୍ୱର,୨୪।୩(ସୁନିତ୍‌ ମିଶ୍ର): ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ଆସନ୍ତା ନିର୍ବାଚନ ପୂର୍ବରୁ ଯେଉଁ ମେଣ୍ଟ ହେବାର ଥିଲା ତାହା ଆଉ ହେବ ନାହିଁ। ଏନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ନିଜ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟକରି ସୂଚନା ଦେଇସାରିଛନ୍ତି। ସେହି କ୍ରମରେ ଭାଜପା ଏବଂ ବିଜେଡି ଉଭୟ ୧୪୭ ବିଧାନସଭା ଏବଂ ୨୧ ଲୋକ ସଭା ଆସନରେ ଅଲଗା ଲଢ଼ିବେ ବୋଲି ମଧ୍ୟ କହିସାରିଛନ୍ତି। ତେବେ […] The post ପ୍ରାର୍ଥୀ ଘୋଷଣାକୁ ନଜର, ଗ୍ରୀନ୍‌ ସିଗ୍‌ନାଲ ଦେବା ଆରମ୍ଭ କଲାଣି ବିଜେଡି appeared first on Dharitri Odia News.

ପ୍ରାର୍ଥୀ ଘୋଷଣାକୁ ନଜର, ଗ୍ରୀନ୍‌ ସିଗ୍‌ନାଲ ଦେବା ଆରମ୍ଭ କଲାଣି ବିଜେଡି
ଭୁବନେଶ୍ୱର,୨୪।୩(ସୁନିତ୍‌ ମିଶ୍ର): ରାଜ୍ୟରେ ବିଜେଡି-ଭାଜପା ମଧ୍ୟରେ ଆସନ୍ତା ନିର୍ବାଚନ ପୂର୍ବରୁ ଯେଉଁ ମେଣ୍ଟ ହେବାର ଥିଲା ତାହା ଆଉ ହେବ ନାହିଁ। ଏନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ନିଜ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟକରି ସୂଚନା ଦେଇସାରିଛନ୍ତି। ସେହି କ୍ରମରେ ଭାଜପା ଏବଂ ବିଜେଡି ଉଭୟ ୧୪୭ ବିଧାନସଭା ଏବଂ ୨୧ ଲୋକ ସଭା ଆସନରେ ଅଲଗା ଲଢ଼ିବେ ବୋଲି ମଧ୍ୟ କହିସାରିଛନ୍ତି। ତେବେ ଉଭୟ ଦଳର ପ୍ରାର୍ଥୀ ଘୋଷଣା ଉପରେ ସମସ୍ତଙ୍କ ନଜର ରହିଛି। ବିଜେଡି ପର୍ଯ୍ୟାୟକ୍ରମେ ପ୍ରତ୍ୟେକ ଦିନ ୨ଟି ଏବଂ ୩ଟି ଲେଖାଏ ଲୋକ ସଭା ନିର୍ବାଚନମଣ୍ଡଳୀ ଓ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରର ନେତାମାନଙ୍କୁ ଡାକି ନିର୍ବାଚନ ଲଢ଼ିବା ନେଇ ଗ୍ରୀନ୍‌ ସିଗ୍‌ନାଲ ଦେବା ଆରମ୍ଭ କରିଦେଲାଣି। ଭାଜପା ମଧ୍ୟ ତା’ର ରାଜ୍ୟ ନିର୍ବାଚନ କମିଟି ବୈଠକ ଶେଷ କରିସାରିଥିବା ବେଳେ ଶନିବାର ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି(ସିଇସି) ବୈଠକ ବସିଛି। ଓଡ଼ିଶା ସମେତ ଏହି ବୈଠକରେ ୯ଟି ରାଜ୍ୟର ପ୍ରାର୍ଥୀ ଚୂଡ଼ାନ୍ତ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି। ଗତ ୩ଟି ପର୍ଯ୍ୟାୟରେ ଭାଜପା ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଥିବା ବେଳେ ସେଥିରେ ଓଡ଼ିଶା ନ ଥିଲା। ହେଲେ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାରୁ କେତେକ  ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ଏହି ବୈଠକରେ ଯୋଗଦେବା ଲାଗି ଓଡ଼ିଶାରୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଦଳର ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି।
କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇ ନ ଥିବାବେଳେ ରବିବାର ସୁଦ୍ଧା ତାହା ପ୍ରକାଶ ପାଇବ ବୋଲି ଦଳୀୟ ମହଲରୁ ସୂଚନା ମିଳିଛି। ତେବେ ଭାଜପା ଓଡ଼ିଶା ପାଇଁ ଯଦି ତାଲିକା ପ୍ରକାଶ କରେ ସେଥିରେ କେତୋଟି ଲୋକ ସଭା ଏବଂ ବିଧାନସଭା ଆସନ ରହିବ, ତା’ ଉପରେ ମଧ୍ୟ ଅନେକଙ୍କ ନଜର ରହିଛି। ଏହାସହ କେଉଁସବୁ ଆସନକୁ ପ୍ରଥମ ପର୍ଯ୍ୟାୟରେ ଘୋଷଣା କରୁଛି ସେକଥା ମଧ୍ୟ ବହୁ ଗୁରୁତ୍ୱ ବହନ କରୁଛି। କାରଣ ଏହା ଭିତରେ ବିଜେଡି ପୁରୀ, କେନ୍ଦ୍ରାପଡ଼ା, ନବରଙ୍ଗପୁର, କୋରାପୁଟ, ଆସ୍କା, ବ୍ରହ୍ମପୁର, ଭୁବନେଶ୍ୱର, ଗଜପତି, ବରଗଡ଼, ବଲାଙ୍ଗୀର ଏବଂ କଳାହାଣ୍ଡି ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରକୁ ନେଇ ଦଳ ପକ୍ଷରୁ ନିର୍ବାଚନୀ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇସାରିଲାଣି। ଏହିସବୁ ଲୋକ ସଭା ଆସନରେ ଯେଉଁମାନେ ପ୍ରାର୍ଥୀ ହେବେ ସେମାନଙ୍କୁ ମଧ୍ୟ କ୍ଷେତ୍ର ଉପରକୁ ଓହ୍ଲାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ଭାଜପା କେଉଁ ଆସନରେ କାହାକୁ ଚୂଡ଼ାନ୍ତ ଭାବେ ପ୍ରାର୍ଥୀ କରୁଛି ତା’ ଉପରେ ସମସ୍ତଙ୍କ ନଜର ଥିବାବେଳେ କଂଗ୍ରେସ ମଧ୍ୟ ଜାଣିଶୁଣି ବିଳମ୍ବ କରୁଥିବା ଚର୍ଚ୍ଚା ହେଉଛି।
ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ହେବା ନେଇ ଅତିମାତ୍ରାରେ ଚର୍ଚ୍ଚା ଚାଲିବା କାରଣରୁ ୨ଥର କଂଗ୍ରେସର ଦିଲ୍ଲୀରେ ବୈଠକ ହେବା ସତ୍ତ୍ୱେ ପ୍ରାର୍ଥୀ ତାଲିକା ପ୍ରକାଶ କରାଗଲା ନାହିଁ। କଂଗ୍ରେସ ନେତାମାନେ ମଧ୍ୟ ମେଣ୍ଟ ହେବା ନେଇ ଅପେକ୍ଷା କରି ରହିଲେ। ହେଲେ ଭାଜପା ଏବଂ ବିଜେଡି ଏକାକୀ ଲଢ଼ିବେ ବୋଲି ସୂଚନା ଦେବାପରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ଉପରେ ନଜର ରହିଛି।  ୧୯ ତାରିଖରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ବସିବାର ଥିଲା।  ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ପ୍ରଭାରୀ ଅଜୟ କୁମାର ମଧ୍ୟ ଦିଲ୍ଲୀ ଗସ୍ତ କରିଥିଲେ। ମାତ୍ର ଶେଷ ସମୟରେ ସ୍କ୍ରିନିଂ କମିଟି ବୈଠକ ହେଲା ନାହିଁ। ହୋଲି ପରେ ସ୍କ୍ରିନିଂ କମିଟି କରିବାକୁ ଦଳ ନିଷ୍ପତ୍ତି ନେଇଥିବା ପିସିସି ସଭାପତି ସୂଚନା ଦେଇଥିଲେ। ତେଣୁ ମେଣ୍ଟ ନେଇ ବିଜେଡି-ଭାଜପା ଦୀର୍ଘଦିନ ବିଳମ୍ବ କରିବା ଏବଂ ଏବେ ଏକାକୀ ଲଢ଼ିବା କଥା କହୁଥିବା ବେଳେ ଏ ପର୍ଯ୍ୟନ୍ତ କଂଗ୍ରେସ ଏହାକୁ ଭରସା କରୁନାହିଁ। ଯେପର୍ଯ୍ୟନ୍ତ ଉଭୟ ଦଳଙ୍କ ପ୍ରାର୍ଥୀ ଘୋଷଣା ନ ହେଉଛି ସେପର୍ଯ୍ୟନ୍ତ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରି ନ ପାରେ ବୋଲି ସେମାନଙ୍କ ଦଳର ବହୁ ନେତା ଯୁକ୍ତି ରଖୁଛନ୍ତି। ଯଦି ମେଣ୍ଟ ହୁଏ ତେବେ ଉଭୟ ଦଳର ଅସନ୍ତୁଷ୍ଟଙ୍କୁ ନିଜ ସପକ୍ଷରେ ନେବାରେ କଂଗ୍ରେସ ସକ୍ଷମ ହେବ ବୋଲି ଚିନ୍ତାକରି ପ୍ରାର୍ଥୀ ଘୋଷଣାରେ ବିଳମ୍ବ କରିଚାଲିଥିବା, ଯାହା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି।

The post ପ୍ରାର୍ଥୀ ଘୋଷଣାକୁ ନଜର, ଗ୍ରୀନ୍‌ ସିଗ୍‌ନାଲ ଦେବା ଆରମ୍ଭ କଲାଣି ବିଜେଡି appeared first on Dharitri Odia News.