ମଜଭୁତ ହେଉ ଭଉଣୀ-ଭାଇ ସମ୍ପର୍କର ଡୋରି

ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଭାଇ ମନରେ ଭଉଣୀ ପ୍ରତି ଥିବା ପ୍ରତିବଦ୍ଧତା ଆହୁରି ବଢ଼ିଯାଏ। ପବିତ୍ର ରାଖୀପୂର୍ଣ୍ଣିମାରେ ସ୍ନେହ, ମମତା ଆଉ ସମ୍ପର୍କର ଏହି ଡୋରି ଆହୁରି ମଜଭୁତ ହେଉ। ତେବେ ଆମ ଅଭିନେତ୍ରୀମାନେ କିଏ କିପରି ରାଖୀପୂର୍ଣ୍ଣିମା ପାଳନ କରୁଛନ୍ତି ତାହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର […] The post ମଜଭୁତ ହେଉ ଭଉଣୀ-ଭାଇ ସମ୍ପର୍କର ଡୋରି appeared first on Dharitri Odia News.

ମଜଭୁତ ହେଉ ଭଉଣୀ-ଭାଇ ସମ୍ପର୍କର ଡୋରି

ଭଉଣୀର ସୁରକ୍ଷା ପାଇଁ ଭାଇ ସବୁବେଳେ ତା’ସହ ରହିଥାଏ। ଆଉ ଭଉଣୀ ମଧ୍ୟ ସବୁବେଳେ ଭାଇର ଶୁଭ ମନାସିଥାଏ। ଭାଇ ଓ ଭଉଣୀର ଏହି ମଧୁର ସମ୍ପର୍କକୁ ଆହୁରି ମଜଭୁତ କରିଥାଏ ରାଖୀ। ଭାଇ ମନରେ ଭଉଣୀ ପ୍ରତି ଥିବା ପ୍ରତିବଦ୍ଧତା ଆହୁରି ବଢ଼ିଯାଏ। ପବିତ୍ର ରାଖୀପୂର୍ଣ୍ଣିମାରେ ସ୍ନେହ, ମମତା ଆଉ ସମ୍ପର୍କର ଏହି ଡୋରି ଆହୁରି ମଜଭୁତ ହେଉ। ତେବେ ଆମ ଅଭିନେତ୍ରୀମାନେ କିଏ କିପରି ରାଖୀପୂର୍ଣ୍ଣିମା ପାଳନ କରୁଛନ୍ତି ତାହାକୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା।

ଭାଇ ହାତରେ ରାଖୀ
ବାନ୍ଧିପାରିବିନି, କିନ୍ତୁ ଶୁଭ ମନାସିବି
ଏ ବର୍ଷ ଭାଇ ହାତରେ ରାଖୀ ବାନ୍ଧି ପାରିବିନି। ସେ ମୋ’ଠାରୁ ଦୂରରେ ଅଛି, ହେଲେ ତା’ ପାଇଁ ଶୁଭ ମନାସିବି। ସାଙ୍ଗମାନଙ୍କ ସହ ଓ ସମ୍ପର୍କୀୟ ଭାଇଙ୍କ ହାତରେ ରାଖି ବାନ୍ଧିବି। ମୋ ବେଷ୍ଟଫ୍ରେଣ୍ଡ୍‌ ମଧ୍ୟ ମୋ ହାତରେ ରାଖୀ ବାନ୍ଧିବ। ରାଖୀପୂର୍ଣ୍ଣିମା ସବୁ ଭାଇଭଉଣୀଙ୍କ ପାଇଁ ଏକ ପବିତ୍ର ଦିନ। କୁହାଯାଏ ରାଖୀ ହେଉଛି ସୁରକ୍ଷାର ବନ୍ଧନ। ଏବେ ଆମ ଦେଶରେ ଏଭଳି ଘଟଣା ଘଟୁଛି, ଯାହାକୁ ଦେଖିଲେ କାହାକୁ ଭାଇ ବୋଲି ମାନିବୁ କି ନାହିଁ ମଧ୍ୟ ଚିନ୍ତା ଲାଗିଲାଣି। ପ୍ରତ୍ୟେକ ନାରୀ ଯେଭଳି ଏକ ସୁରକ୍ଷିତ ସମାଜରେ ରହିପାପିବେ, ସେ ନେଇ ସମସ୍ତେ ବ୍ୟକ୍ତିଗତ ସ୍ତରରେ ଚେଷ୍ଟା କରିବା ଆବଶ୍ୟକ।
-ଦେବଯାନୀ ଦେଘୁରିଆ, ଅଭିନେତ୍ରୀ
ରାଖୀ ବାନ୍ଧିବାକୁ ଶୁଟିଂ ବନ୍ଦ କରି ଘରକୁ ଆସିଛି
ମୋର ହାଇଦ୍ରାବାଦରେ ଶୁଟିଂ ଚାଲିଛି, ହେଲେ ରାଖୀ ପାଇଁ ମୁଁ ଛୁଟି ନେଇ ଘରକୁ ଆସିଛି। ରାଖୀ ପୂର୍ଣ୍ଣମୀରେ ମୁଁ ସବୁବେଳେ ଚେଷ୍ଟା କରେ ମୋ ଭାଇମାନଙ୍କ ପାଖରେ ରହିବାକୁ। ପୁଣି ଏହିଦିନ ମୋ ମା’ଙ୍କ ମଧ୍ୟ ଜନ୍ମଦିନ। ତେଣୁ ଘରେ ଗୋଟେ ଛୋଟ ଫେଷ୍ଟିଭାଲ ହେବ। ଭାଇମାନେ ମୋଠାରୁ ବହୁତ ସାନ ହେଲେ ବି ସେମାନେ ମା’ଙ୍କଠୁ ଟଙ୍କା ଆଣି ମୋ ପାଇଁ କିଛି ନା କିଛି କିଣି ରଖିଥାନ୍ତି। ସେମାନଙ୍କୁ ମୁଁ ବହୁତ ଭଲପାଏ। ମୋ ମାମୁଙ୍କ ପୁଅଙ୍କୁ ମଧ୍ୟ ରାଖୀ ବାନ୍ଧିବାକୁ ଯିବି।
-ଜସ୍ମିନ ରଥ, ଅଭିନେତ୍ରୀ
ଏମିତି ସମୟ ହିଁ ନ ଆସୁ, ଯେଉଁଥିପାଇଁ ଗୋଟିଏ ଝିଅ ସୁରକ୍ଷା ଖୋଜିବ
ମୁଁ ମୋର ଶୁଟିଂ ସହ ପାଠପଢ଼ା ପାଇଁ ଘରେ ବେଶି ସମୟ ରହିପାରେନି। ମୋ ଭାଇ ମଧ୍ୟ ଛୋଟ। ସେ ପାଠ ପଢ଼ାରେ ବ୍ୟସ୍ତ ରହୁଛି। ତେଣୁ ଆମେ ପରସ୍ପରକୁ ବେଶି ସମୟ ଦେଇପାରୁନାହୁଁ। ମାତ୍ର ରାଖୀରେ ଘରେ ଛୋଟ ଗେଟ୍‌ ଟୁଗେଦର ହୁଏ। ସମ୍ପର୍କୀୟ ଭାଇ, ଭଉଣୀମାନେ ମଧ୍ୟ ଘରକୁ ଆସନ୍ତି। ରାଖୀ ବାନ୍ଧିବା ସହ ହରର୍‌ ମୁଭି ଦେଖିବା ଓ ଗପସପ ହେବାରେ ସମୟ ବିତାଇଦେଉ। ସବୁଥର ପରି ଏଥର ମଧ୍ୟ ରାଖୀକୁ ନେଇ ଉତ୍ସାହ ରହିଛି। ମାତ୍ର ନିକଟରେ ଘଟିଥିବା ଘଟଣାଗୁଡ଼ିକୁ ଦେଖିଲେ ବହୁତ କଷ୍ଟ ଲାଗୁଛି। ଆମେ ଅଚିହ୍ନା ଲୋକଙ୍କୁ ବି ଭାଇ ଡାକୁ। ଏବେ କାହା ସହ ମିଶିବାକୁ ମଧ୍ୟ ଭୟ ଲାଗିଲାଣି। ଏମିତି କିଛି ସମୟ ହିଁ ନ ଆସୁ, ଯେଉଁଥିପାଇଁ ଗୋଟିଏ ଝିଅ ସୁରକ୍ଷା ଖୋଜିବ।
-ଶୀତଲ ପାତ୍ର, ଅଭିନେତ୍ରୀ
ଭାଇକୁ ମିସ୍‌ କରିବି, ଶୁଟିଂ ସେଟ୍‌ରେ ରାଖୀ ଉତ୍ସବ ପାଳିବି
ଜଣେ କଳାକାର ଭାବେ ବହୁତ କିଛି ସାକ୍ରିଫାଇସ୍‌ କରିବାକୁ ପଡ଼େ। ମୁଁ ଏବେ ଶୁଟିଂରେ ଅଛି। ଏଥର ରାଖୀ ଉତ୍ସବ ସେଟ୍‌ରେ ପାଳନ ହେବ। ଏତେ ବର୍ଷ ହେବ କାମ କଲିଣି। ତେଣୁ ଭାଇ ବୋଲି ଏଠାରେ ଅନେକଙ୍କୁ ସମ୍ବୋଧନ କରେ। ଏଠି ମଧ୍ୟ ଏକ ପରିବାର ଅଛି। ସେମାନଙ୍କ ସହ ରାଖୀ ପାଳିବି। ଦୂରରେ ଥିବାରୁ ମୋ ସାନଭାଇକୁ ମୁଁ ବହୁତ ମିସ୍‌ କରିବି। କାମ ପାଇଁ ଅନେକ ସମୟରେ ପର୍ବପର୍ବାଣିରେ ଘରକୁ ଯାଇପାରେନାହିଁ। ମାତ୍ର କେବେ ମନଦୁଃଖ କରେନି, କାରଣ ପରିବାର ପରେ କାମ ହିଁ ଏକ ଭିନ୍ନ ଭଲପାଇବା।
-ସୂର୍ଯ୍ୟମୟୀ ମହାପାତ୍ର, ଅଭିନେତ୍ରୀ

The post ମଜଭୁତ ହେଉ ଭଉଣୀ-ଭାଇ ସମ୍ପର୍କର ଡୋରି appeared first on Dharitri Odia News.