ମଝି ଆକାଶରେ କ୍ରୁ ସଦଦ୍ୟଙ୍କୁ କାମୁଡ଼ି ଦେଲେ ଯାତ୍ରୀ, ଅଧାରାସ୍ତାରୁ ଫେରିଗଲା ବିମାନ

ବିମାନ ବନ୍ଦରରେ ବିମାନଟି ଲ୍ୟାଣ୍ଡ କରିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ପୁଲିସ ଗିରଫ କରିଛି।

ମଝି ଆକାଶରେ କ୍ରୁ ସଦଦ୍ୟଙ୍କୁ କାମୁଡ଼ି ଦେଲେ ଯାତ୍ରୀ, ଅଧାରାସ୍ତାରୁ ଫେରିଗଲା ବିମାନ

ଦିନକୁ ଦିନ ବିମାନ ଭିତରେ ହିଂସକ ହୋଇପଡୁଛନ୍ତି ଯାତ୍ରୀ। ଏପରିକି କ୍ରୁ ସଦସ୍ୟଙ୍କୁ ମାଡ ମାରିବାକୁ ମଧ୍ୟ ପଛାଉ ନାହାନ୍ତି। ଦିଲ୍ଲୀରୁ ଗୋଆ ଯାଉଥିବା ଇଣ୍ଡିଗୋ ବିମାନ ବିଳମ୍ବ ହେବା ପରେ ପାଇଲଟଙ୍କୁ ଜଣେ ଯାତ୍ରୀ ଚାପୁଡା ମାରିବ ଘଟଣା ପରେ ଏବେ ସେଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମଝି ଆକାଶରେ କ୍ରୁ ସଦସ୍ୟଙ୍କୁ କାମୁଡ଼ି ଦେଇଛନ୍ତି ଯାତ୍ରୀ। ଫଳରେ ବିମାନଟି ନିଜ ଗନ୍ତବ୍ୟସ୍ଥଳକୁ ନ ଯାଇ ଅଧାରାସ୍ତାରୁ ଫେରି ଯାଇଛି।

ଜାପାନର ରାଜଧାନୀ ଟୋକିଓରୁ ଆମେରିକା ଯାଉଥିବା ଏଏନ୍‌ଏ ବିମାନରେ ମଝି ଆକାଶରେ ଏକ ଚକିତ କଲା ଭଳି ଘଟଣା ଘଟିଛି। ଜଣେ ନିଶାଶକ୍ତ ଅବସ୍ଥାରେ ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କୁ ରାଗି ଯାଇ କାମୁଡି ଦେଇଛନ୍ତି। ଏହି ଘଟଣା ପରେ ବିମାନଟି ଆଉ ଆମେରିକାକୁ ନ ଯାଇ ଅଧାରାସ୍ତାରୁ ପୁଣି ଥରେ ଜାପାନକୁ ଫେରି ଆସିଛି। ଜାପାନର ହନେଡା ବିମାନ ବନ୍ଦରରେ ବିମାନଟି ଲ୍ୟାଣ୍ଡ କରିବା ପରେ ଅଭିଯୁକ୍ତ ଯାତ୍ରୀଙ୍କୁ ପୁଲିସ ଗିରଫ କରିଛି। ଉକ୍ତ ଯାତ୍ରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏୟରଓ୍ୱେଜ୍‌ କହିଛି।

ରିପୋର୍ଟ ମୁତାବକ, ଉକ୍ତ ଯାତ୍ରୀଙ୍କ ବୟସ ୫୫ ବର୍ଷ। ସେ ଆମେରିକାର ବାସିନ୍ଦା। ସେ ବିମାନରେ ଅତ୍ୟନ୍ତ ମଦ୍ୟପିଇ କରି ଯାତ୍ରା କରୁଥିଲେ। ଏହାପରେ ଏହି ମଦ୍ୟପ ଯାତ୍ରୀ ଜଣକ ଜଣେ କ୍ୟାବିନ୍‌ କ୍ରୁ ସଦସ୍ୟଙ୍କୁ ତାଙ୍କ ଡେଣାକୁ କାମୁଡି ଦେଇଥିଲେ। ଫଳରେ କ୍ୟାବିନ୍‌ କ୍ରୁ ସଦସ୍ୟ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି କାରଣରୁ ବିମାନଟିକୁ ପ୍ରଶାନ୍ତ ଅଞ୍ଚଳରୁ ହନେଡା ବିମାନବନ୍ଦରକୁ ଫେରାଇ ଆଣିବାକୁ ପଡିଥିଲା। ବିମାନରେ ୧୫୯ ଜଣ ଯାତ୍ରୀ ଥିଲେ ବୋଲି ଅଲ୍ ନିପନ୍ ଏୟାରୱେଜ୍ କହିଛି।