ମଣିପୁରରେ ବ୍ୟାଙ୍କ୍‌ ଓ ରେସ୍ତୁରାଁ ସମ୍ମୁଖରେ ଗ୍ରେନେଡ୍‌; ପୁଲିସର ତଦନ୍ତ ଆରମ୍ଭ

ଇମ୍ଫାଲ୍‌: ହିଂସାଗ୍ରସ୍ତ ମଣିପୁରର ଏକ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏକ ରେସ୍ତୁରାଁ ସମ୍ମୁଖରେ ଗ୍ରେନେଡ୍‌ ମିଳିଛି। ଏହାପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସୂଚନାନୁସାରେ, ଇମ୍ଫାଲ୍‌ (ପଶ୍ଚିମ) ଜିଲ୍ଲାର ସିଂଜାମେଇ ମାୟେନ୍‌ଗାବମ୍‌ ଲେଇକିର ଆଇସିଆଇସିଆଇ ବ୍ୟାଙ୍କ ଶାଖା ଓ ବିଷ୍ଣୁପୁର ଜିଲ୍ଲା ନାମବୋଲ୍‌ ସ୍ଥିତ କାଙ୍ଗଲା ଫୁଡ୍‌ସ ସମ୍ମୁଖରୁ ଗ୍ରେନେଡ୍‌ ଜବତ ହୋଇଛି। ଧମକାଇ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ଏହି ଗ୍ରେନେଡ୍‌ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଏହାପରେ ପୁଲିସର ସ୍ବତନ୍ତ୍ର ଟିମ୍‌ ପକ୍ଷରୁ […]

ମଣିପୁରରେ ବ୍ୟାଙ୍କ୍‌ ଓ ରେସ୍ତୁରାଁ ସମ୍ମୁଖରେ ଗ୍ରେନେଡ୍‌; ପୁଲିସର ତଦନ୍ତ ଆରମ୍ଭ

ଇମ୍ଫାଲ୍‌: ହିଂସାଗ୍ରସ୍ତ ମଣିପୁରର ଏକ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏକ ରେସ୍ତୁରାଁ ସମ୍ମୁଖରେ ଗ୍ରେନେଡ୍‌ ମିଳିଛି। ଏହାପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସୂଚନାନୁସାରେ, ଇମ୍ଫାଲ୍‌ (ପଶ୍ଚିମ) ଜିଲ୍ଲାର ସିଂଜାମେଇ ମାୟେନ୍‌ଗାବମ୍‌ ଲେଇକିର ଆଇସିଆଇସିଆଇ ବ୍ୟାଙ୍କ ଶାଖା ଓ ବିଷ୍ଣୁପୁର ଜିଲ୍ଲା ନାମବୋଲ୍‌ ସ୍ଥିତ କାଙ୍ଗଲା ଫୁଡ୍‌ସ ସମ୍ମୁଖରୁ ଗ୍ରେନେଡ୍‌ ଜବତ ହୋଇଛି। ଧମକାଇ ବଟି ଆଦାୟ କରିବା ଉଦ୍ଦେଶ୍ୟରେ ଏହି ଗ୍ରେନେଡ୍‌ ରଖାଯାଇଥିବା ପୁଲିସ ସନ୍ଦେହ କରୁଛି। ଏହାପରେ ପୁଲିସର ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି। ସ୍ଥାନୀୟ ଏସ୍‌ଡିପିଓ କହିଛନ୍ତି, ସକାଳ ୮ଟାରେ ପ୍ରାତଃ ଭ୍ରମଣକାରୀମାନେ ଗ୍ରେନେଡ୍‌ ଦେଖି ପୁଲିସକୁ ସୂଚିତ କରିଥିଲେ। ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳକୁ ଡକାଯାଇଥିଲା। ସେମାନେ ୨ ଘଣ୍ଟା ପରିଶ୍ରମ ପରେ ଗ୍ରେନେଡ୍‌କୁ ନିଷ୍କ୍ରିୟ କରିଥିଲେ। ଏହି ଗ୍ରେନେଡ୍‌ଟି ତୀବ୍ର ବିସ୍ଫୋରଣ ଶକ୍ତିଯୁକ୍ତ ଏନ୍‌-୩୬ ହ୍ୟାଣ୍ଡ୍‌ଗ୍ରେନେଡ୍‌ ଅଟେ। କିଏ ଓ କାହିଁକି ଏହାକୁ ସ୍ଥାପିତ କରିଛି ତାହା ସ୍ପଷ୍ଟ ହୋଇନାହିଁ, ଏନେଇ ଅନୁସନ୍ଧାନ ଜାରି ରହିଛି। ଅପରପକ୍ଷରେ, ବିଷ୍ଣୁପୁର ଜିଲ୍ଳାରୁ ମିଳିଥିବା ଗ୍ରେନେଡ୍‌ ନିକଟରେ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏଥିରେ ଲେଖାଯାଇଛି, ୨୪ ଘଣ୍ଟା ମଧ୍ୟରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ। ଏହା ପରିଚାଳକଙ୍କୁ ଶେଷ ଚେତାବନୀ। ଏହି ବୋମାଟିକୁ ମଧ୍ୟ ସଫଳ ଭାବେ ନିଷ୍କ୍ରିୟ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।