ମଣ୍ଡିରୁ ଉଠୁନି ଧାନ, ତେଜୁଛି ଆନ୍ଦୋଳନ

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଶନିବାର ମାସେ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମଣ୍ଡିକୁ ଯେଉଁ ଅନୁପାତରେ ଧାନ ଆସୁଛି, ସେହି ଅନୁପାତରେ ତାହା ବିକ୍ରି ହେଉ ନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ି ରହିଛି। ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନାହିଁ। ମିଲର୍ସଙ୍କ ମର୍ଜିରେ ମଣ୍ଡି ଗୁଡ଼ିକ ପରିଚାଳିତ ହେଉଥିବା ଚାଷୀମାନେ ଅଭିଯୋଗ […] The post ମଣ୍ଡିରୁ ଉଠୁନି ଧାନ, ତେଜୁଛି ଆନ୍ଦୋଳନ appeared first on Dharitri Odia News.

ମଣ୍ଡିରୁ ଉଠୁନି ଧାନ, ତେଜୁଛି ଆନ୍ଦୋଳନ

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଶନିବାର ମାସେ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଧାନ କିଣାବିକା ସମସ୍ୟା ଲାଗି ରହିଛି। ମଣ୍ଡିକୁ ଯେଉଁ ଅନୁପାତରେ ଧାନ ଆସୁଛି, ସେହି ଅନୁପାତରେ ତାହା ବିକ୍ରି ହେଉ ନାହିଁ। ଜିଲାର ବିଭିନ୍ନ ମଣ୍ଡିରେ ବହୁ ପରିମାଣରେ ଧାନ ପଡ଼ି ରହିଛି। ଚାଷୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଧାନ ଉଠାଣ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରୁ ନାହିଁ। ମିଲର୍ସଙ୍କ ମର୍ଜିରେ ମଣ୍ଡି ଗୁଡ଼ିକ ପରିଚାଳିତ ହେଉଥିବା ଚାଷୀମାନେ ଅଭିଯୋଗ କରୁଥିବାବେଳେ ଏହାକୁ ନେଇ ଚାଷୀ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ଶୁକ୍ରବାର ବିଜେପୁର ବ୍ଲକ କୃଷକ ସଙ୍ଗଠନ ପକ୍ଷରୁ ପୁଞ୍ଜିପଥରସ୍ଥିତ ଭଟିଗାଁ ମଣ୍ଡିରେ ଅନୁଷ୍ଠିତ ବୈଠକରେ ଚାଷୀମାନେ ଚରମ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୧୭ତାରିଖ ସୁଦ୍ଧା ଉକ୍ତ ମଣ୍ଡିରୁ ଧାନ ଉଠା ନଗଲେ ଅଞ୍ଚଳର ଚାଷୀମାନେ ୧୮ତାରିଖ ଆଇନ ଅମାନ୍ୟ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ସେହିପରି ଜିଲାର ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚାଷୀ ସଙ୍ଗଠନ ପକ୍ଷରୁ ବୈଠକ ଚାଲିଥିବାବେଳେ ଧାନ ଉଠାଣ ହେଉ ନଥିବା ପ୍ରତିବାଦରେ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ପୂରାଇବାକୁ ନେଇ ଚାଷୀଙ୍କ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି।
ଗତମାସ ୧୪ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ମଣ୍ଡି ଖୋଲିବା ପରେ ଚାଷୀମାନେ ସେମାନଙ୍କ କଷ୍ଟୋପାର୍ଜିତ ଧାନ ମଣ୍ଡି ଗୁଡ଼ିକୁ ବିକ୍ରି ପାଇଁ ଆଣୁଛନ୍ତି। ମାତ୍ର ଦୀର୍ଘଦିନ ଧରି ତାହା ମଣ୍ଡି ଗୁଡ଼ିକରେ ପଡ଼ି ରହୁଛି। ଧାନ ବିକ୍ରି ହୋଇ ପାରୁ ନଥିବାରୁ ଚାଷୀମାନେ ଧାନ ଅମଳ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ପାରିଶ୍ରମିକ ଦେଇ ପାରୁ ନାହାନ୍ତି। ଅନ୍ୟପଟେ ଆଗକୁ ମୌସୁମୀ ଆସୁଛି। ଗତମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆଁ ବର୍ଷାରେ ଜିଲାରେ ଅନେକ ଚାଷୀଙ୍କ ଧାନ ଉଜୁଡ଼ି ଯାଇଛି। କେତେକ ଚାଷୀ ସେମାନଙ୍କ ଧାନକୁ ଶୁଖାଇ ବିକ୍ରି ପାଇଁ ମଣ୍ଡିକୁ ଆଣିଛନ୍ତି। ଏହାସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ସେହି ଧାନକୁ ସେଠାରୁ ଉଠାଣ କରିବା ତ ଦୂରର କଥା, ବିଭିନ୍ନ ଆଳ ଦେଖାଇ ସମ୍ପୃକ୍ତ ଧାନକ୍ରୟ ସଂସ୍ଥା ଧାନକୁ କ୍ରୟ ମଧ୍ୟ କରୁ ନାହିଁ। ଏଭଳି ସ୍ଥିତିରେ ଚାଷୀମାନେ ବହୁ ହଟହଟାର ସମ୍ମୁଖୀନ ହେଉଥିବାବେଳେ ଖରିଫ ଫସଲ ପାଇଁ ମଧ୍ୟ ପ୍ରସ୍ତୁତ ହୋଇ ପାରୁ ନାହାନ୍ତି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଏହି କ୍ରମରେ ଭଟିଗାଁ ମଣ୍ଡିରେ ବିଜେପୁର ବ୍ଲକ କୃଷକ ସଂଗଠନର ବୈଠକ ବସିଥିଲା। ସଂଗଠନର ସଭାପତି ସୁବାଷ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଧାନ କିଣାବିକା ସମସ୍ୟା ନେଇ ଆଲୋଚନା ହୋଇଥିଲା। ମଣ୍ଡି ଗୁଡ଼ିକରେ ବହୁ ପରିମାଣରେ ଧାନ ପଡ଼ି ରହିଥିବାବେଳେ ଧାନ ଉଠାଣ ପାଇଁ ମିଲର୍ସ ଆସୁ ନଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏପରିକି ଏ ନେଇ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ କିଛି ସୁଫଳ ମିଳୁ ନଥିବା ଚାଷୀମାନେ ଅଭିଯୋଗ କରିଥିଲେ। ସେହିପରି ମଣ୍ଡି କର୍ମଚାରୀମାନେ ମଧ୍ୟ ଧାନ ଉଠାଣରେ ସେମାନଙ୍କ ଅସହାୟତା ପ୍ରକାଶ କରୁଥିବାବେଳେ ଏଥିପ୍ରତି ବିଭାଗୀୟ ପଦାଧିକାରୀଙ୍କ ନୀରବତା ବିଡ଼ମ୍ବନାର ବିଷୟ ବୋଲି ଉପସ୍ଥିତ ଚାଷୀମାନେ ମତପ୍ରକାଶ କରିଥିଲେ ଏବଂ ଧାନ ଉଠାଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିଲେ। ବୈଠକରେ ଅଞ୍ଚଳର ଅନେକ ଚାଷୀ ପ୍ରତିନିଧି ଉପସ୍ଥିତ ଥିଲେ।

 

The post ମଣ୍ଡିରୁ ଉଠୁନି ଧାନ, ତେଜୁଛି ଆନ୍ଦୋଳନ appeared first on Dharitri Odia News.