ମଦ ଭାବି ପିଇ ଦେଲେ ଟଏଲେଟ୍‌ କ୍ଲିନର୍‌, ଚାଲିଗଲା ଜୀବନ

କାଚ ବୋତଲରେ ରଖାଯାଇଥିବା ଟଏଲେଟ୍‌ କ୍ଲିନର୍‌କୁ ମଦ ଭାବି ଜଣେ ୬୭ ବର୍ଷୀୟ ବୃଦ୍ଧ ପିଇବା ପରେ ତାଙ୍କର ମୃତ୍ୟୁ ହୋଇଛି।

ମଦ ଭାବି ପିଇ ଦେଲେ ଟଏଲେଟ୍‌ କ୍ଲିନର୍‌, ଚାଲିଗଲା ଜୀବନ

ଘାରିଲା ମଦ ନିଶା। ନିଶା ଏମିତି ଯେ, ବୋତଲରେ କ'ଣ ଅଛି ତାହା ବି ଭୁଲିଗଲେ। ମଦ ଭାବି ପିଇ ଢ଼କ ଢ଼କ କରି ପିଇ ଗଲେ ଟଏଲେଟ୍ କ୍ଲିନର୍‌। ଏହାପରେ ଚାଲିଗଲା ଜଣେ ବୃଦ୍ଧଙ୍କ ଜୀବନ। ଉତ୍ତରାଖଣ୍ଡର ପୌଡି ଜିଲ୍ଲାରେ ଘଟିଛି ଏଭଳି କିଛି ଘଟଣା।

ମୃତକ ଜଣକ ହେଲେ ଭଗବାନ ସିଂହ। ତାଙ୍କ ବୟସ ୬୭ ବର୍ଷ। ସେ ଉତ୍ତରାଖଣ୍ଡ ପୌଡି ଜିଲ୍ଲାର ଜାମଲା ଗାଁର ବାସିନ୍ଦା। ପୁଲିସ କହିବା ମୁତାବକ, ଭଗବାନ ସିଂହ ନିଜ ପୁତୁରାର ବିବାହ ସମାରୋହରେ ସାମିଲ ହେବା ପରେ ରବିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ତେବେ ଘରେ ଏକ କାଚ ବୋତଲରେ ପାଣି ବଦଳରେ ଟଏଲେଟ୍‌ କ୍ଲିନର ରଖାଯାଇଥିଲା।

ତେବେ ଭଗବାନ ସିଂହ ଭୁଲ୍‌ରେ ତାକୁ ମଦ ଭାବି ଟଏଲେଟ୍‌ କ୍ଲିନର୍‌ ପିଇ ଦେଇଥିଲେ। ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ପୌଡିର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରବୀଣ କୁମାର କହିଛନ୍ତି ଯେ ପୋଷ୍ଟମର୍ଟମ ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ସେପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇପଡିଛନ୍ତି।

କହିରଖୁ ଯେ, ଉତ୍ତରାଖଣ୍ଡର ଅନେକ ପାହାଡିଆ ଜିଲ୍ଲାରେ ବିବାହରେ ମଦ ପରଷିବା ଉପରେ ନିଷେଧାଦେଶ ଜାରି ରହିଛି। ନିୟମ ପାଳନ ନକଲେ ସମ୍ପୃକ୍ତ ପରିବାର ଉପରେ ମୋଟା ଅଙ୍କର ଜରିମାନା ଆଦାୟ କରିବାର ବ୍ୟବସ୍ଥା ମଧ୍ୟ ଅଛି।