ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩ା୧୦: ପଶ୍ଚିମ ଏସିଆରେ ଯୁଦ୍ଧ ଘନଘଟା ଭିତରେ ଉତ୍ତେଜନା ବଢ଼ିବାରେ ଲାଗିଥିବାରୁ ସଂଯମ ରହିବା ପାଇଁ ବୁଧବାର ସବୁ ପକ୍ଷଙ୍କୁ ଭାରତ ପରାମର୍ଶ ଦେଇଛି। ଆଲୋଚନା ଓ କୂଟନୀତି ଜରିଆରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ଆହ୍ବାନ ଦେଇଛି। ପଶ୍ଚିମ ଏସିଆରେ ନୂଆ ଉତ୍ତେଜନା ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଭାରତ ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛି, ଏହି ସଂଘର୍ଷକୁ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ବିସ୍ତାର କରା ନ ଯାଉ। ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ […] The post ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର appeared first on Dharitri Odia News.

ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୩ା୧୦: ପଶ୍ଚିମ ଏସିଆରେ ଯୁଦ୍ଧ ଘନଘଟା ଭିତରେ ଉତ୍ତେଜନା ବଢ଼ିବାରେ ଲାଗିଥିବାରୁ ସଂଯମ ରହିବା ପାଇଁ ବୁଧବାର ସବୁ ପକ୍ଷଙ୍କୁ ଭାରତ ପରାମର୍ଶ ଦେଇଛି। ଆଲୋଚନା ଓ କୂଟନୀତି ଜରିଆରେ ଉତ୍ତେଜନା ହ୍ରାସ ପାଇଁ ଉଦ୍ୟମ କରାଯିବା ଉଚିତ ବୋଲି ଆହ୍ବାନ ଦେଇଛି।
ପଶ୍ଚିମ ଏସିଆରେ ନୂଆ ଉତ୍ତେଜନା ପ୍ରକାଶ ପାଇବା ପରିପ୍ରେକ୍ଷୀରେ ଭାରତ ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛି, ଏହି ସଂଘର୍ଷକୁ ସମ୍ପୃକ୍ତ କ୍ଷେତ୍ରରେ ଅଧିକ ବିସ୍ତାର କରା ନ ଯାଉ। ହେଜ୍‌ବୋଲ୍ଲା ମୁଖ୍ୟ ହସନ୍‌ ନସ୍‌ରୁଲ୍ଲା ଏବଂ ସଙ୍ଗଠନର ଅନେକ କମାଣ୍ଡର ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍‌ରେ ନିହତ ହେବା ପରେ ଇରାନ୍‌ ଉପରେ ଇସ୍ରାଏଲ୍‌ ପ୍ରାୟ ୨୦୦ ମିଶାଇଲ୍‌ ଆକ୍ରମଣ କରିବା ପରିପ୍ରେକ୍ଷୀରେ ନୂଆଦିଲ୍ଲୀ ପକ୍ଷରୁ ଉପରୋକ୍ତ ପରାମର୍ଶ ଦିଆଯାଇଛି। ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ପଶ୍ଚିମ ଏସିଆରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଏବଂ ନାଗରିକଙ୍କ ସୁରକ୍ଷାକୁ ନେଇ ନୂଆଦିଲ୍ଲୀ ଗଭୀର ଚିନ୍ତିତ। ଆଲୋଚନା ଓ କୂଟନୈତିକ ଉପାୟରେ ସବୁ ସମସ୍ୟାର ସମାଧାନ କରାଯିବା ଉଚିତ।
ଆମେରିକାର କାର୍ନେଜିଏ ଏଣ୍ଡୋମେଣ୍ଟ ଆଲୋଚନାରେ ଭାଗନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ମଧ୍ୟପ୍ରାଚ୍ୟର ସଂଘର୍ଷ ବଢ଼ିବା ନେଇ ଆଶଙ୍କା ବ୍ୟକ୍ତ କରିବା ସହ ଚିନ୍ତା ପ୍ରକଟ କରିଛନ୍ତି। ଜୟଶଙ୍କର କହିଛନ୍ତି, ଇସ୍ରାଏଲ୍‌ ଉପରେ ହମାସ୍‌ ଆକ୍ରମଣ ‘ଏକ ଆତଙ୍କବାଦୀ ଆକ୍ରମଣ’। ଇସ୍ରାଏଲ୍‌କୁ ଏହାର ଉଚିତ ଜବାବ ଦେବା ଆବଶ୍ୟକ ଥିଲା। କିନ୍ତୁ କୌଣସି ଦେଶକୁ ଅନ୍ୟ ରାଷ୍ଟ୍ରର ଜବାବ ଦେବାବେଳେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ଦୃଷ୍ଟିରେ ରଖିବାକୁ ପଡ଼ିବ। ଇସ୍ରାଏଲର ନୀତି ଓ ସଂଘର୍ଷ ବୃଦ୍ଧି ଆଶଙ୍କା ଉପରେ ଭାରତର ଆଭିମୁଖ୍ୟ ନେଇ ପ୍ରଶ୍ନ କରାଯିବାରୁ ଜୟଶଙ୍କର କହିଛନ୍ତି, ସାମ୍ପ୍ରତିକ ସ୍ଥିତିକୁ ଦେଖିଲେ ଗତ ଅକ୍ଟୋବର ୭ରୁ ଆରମ୍ଭ କରିବାକୁ ପଡ଼ିବ। ଏହି ଦିନ ଇସ୍ରାଏଲ୍‌ ଉପରେ ହୋଇଥିବା ଆକ୍ରମଣକୁ ଆମେ ଆତଙ୍କବାଦୀ ଆକ୍ରମଣ ବିବେଚନା କରୁ। ଆମେ ବୁଝିପାରୁଛୁ ଯେ, ଇସ୍ରାଏଲକୁ ଏହାର ଜବାବ ଦେବାର ଥିଲା। କିନ୍ତୁ ଗାଜାରେ ଅନ୍ତର୍ଜାତୀୟ ମାନବୀୟ ଆଇନକୁ ସମ୍ମାନ ଦେଇ ନାଗରିକଙ୍କ ଯେପରି କୌଣସି କ୍ଷତି ନ ହେବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଆବଶ୍ୟକ ଥିଲା।
ପ୍ରକାଶ ଯେ, ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ସଂଘର୍ଷର ଦୁଇ-ରାଷ୍ଟ୍ର ସମାଧାନ ସିଦ୍ଧାନ୍ତକୁ ଭାରତ ସମର୍ଥନ କରିଆସିଛି। ଅକ୍ଟୋବାର ୭ ଆକ୍ରମଣକୁ ପ୍ରଥମେ ନିନ୍ଦା କରିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟତମ ବିଶ୍ୱନେତା। ଅନ୍ୟପକ୍ଷେ ଗାଜାରେ ବିଗୁଡ଼ୁଥିବା ସ୍ଥିତିକୁ ନେଇ ଭାରତ ଅନେକ ଥର ଚିନ୍ତାବ୍ୟକ୍ତ କରିସାରିଛି। ୨୦୨୩ ଅକ୍ଟୋବରରେ ହମାସ୍‌ର ଶତାଧିକ ରକେଟମାଡ଼ରେ ୧୨୦୦ରୁ ଊର୍ଦ୍ଧ୍ୱ ଇସ୍ରାଏଲୀ ନିହତ ହୋଇଥିବାବେଳେ ଆତଙ୍କବାଦୀମାନେ ୨୫୦ରୁ ଅଧିକ ଲୋକଙ୍କୁ ଅପହରଣ କରିନେଇଥିଲେ। ପଣବନ୍ଦୀଙ୍କ ମଧ୍ୟରୁ ୧୦୦ ଜଣ ଏବେ ମଧ୍ୟ ହମାସ୍‌ କବଳରେ ରହିଛନ୍ତି। ସେପେଟ ୟେମେନ୍‌ରେ ହୁଟି ବିଦ୍ରୋହୀ ମଧ୍ୟ ଇସ୍ରାଏଲ୍‌ ଓ ଲୋହିତ ସାଗରୀୟ ରାଷ୍ଟ୍ରଗୁଡ଼ିକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ଇସ୍ରାଏଲ୍‌ ମଧ୍ୟ ଲେବାନନ୍‌ରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଛି। ଏହି ସଂଘର୍ଷ ଉତ୍ତେଜନା ବୃଦ୍ଧିର କାରଣ ହୋଇଥିବାବେଳେ ବଡ଼ ଦେଶଗୁଡ଼ିକ ଅସ୍ତ୍ରବିରତି ଓ ପଣବନ୍ଦୀଙ୍କ ମୁକ୍ତି ନେଇ ଡିଲ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଇତିମଧ୍ୟରେ ମଙ୍ଗଳବାର ରାତିରେ ଇସ୍ରାଏଲ ଉପରେ ଇରାନର ମିଶାଇଲ ଆକ୍ରମଣ ମଧ୍ୟପ୍ରାଚ୍ୟ ସ୍ଥିତିକୁ ଆହରି ସଙ୍ଗିନ କରିଦେଇଛି। ଇରାନୀୟ ରକେଟ୍‌ ମାଡ଼କୁ ଦୃଷ୍ଟିରେ ରଖି ସମସ୍ତ ଇସ୍ରାଏଲୀ ନାଗରିକଙ୍କୁ ବମ୍‌ ସେଲ୍ଟରରେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଥିବା ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଇସ୍ରାଏଲୀଙ୍କ ଗଣହତ୍ୟା ପାଇଁ ହେଜ୍‌ବୋଲ୍ଲା ଯୋଜନା କରୁଥିବାବେଳେ ଆଇଡିଏଫ୍‌ ଏହାକୁ ଭଣ୍ଡୁର କରିଦେଇଥିବାରୁ ସେମାନେ ନିରୀହ ନାଗରିକଙ୍କୁ ମିଶାଇଲ ଆକ୍ରମଣ କରିଥିବା ନେଇ ଏଥିରେ ନିନ୍ଦା କରାଯାଇଛି। ‘ଜେରୁଜେଲମ୍‌ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଇସ୍ରାଏଲ୍‌ ଉପରକୁ ୧୦୨ ମିଶାଇଲ ଛଡ଼ାଯାଇଥିଲା। ସେବେଠୁ ଇସ୍ରାଏଲ୍‌ରେ ଗର୍ଜୁଥିବା ସାଇରନ୍‌ ବନ୍ଦ ହେବାରେ ନଁା ନେଉନାହିଁ।

The post ମଧ୍ୟପ୍ରାଚ୍ୟ ସ୍ଥିତି ଗମ୍ଭୀର appeared first on Dharitri Odia News.