ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ମନ୍ତ୍ରୀ, ଅଫିସର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେବା ସହ ମହିଳାଙ୍କ ସ୍ବରରେ ମୋବାଇଲ ଫୋନରେ କଥା ହୋଇ ଓଡ଼ିଶାର ବିଭିନ୍ନ ଜିଲାରେ ଲୋକଙ୍କୁ ବିପୁଳ ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀମାନେ। ଏନେଇ ତଦନ୍ତ କରୁଥିବା ବଲାଙ୍ଗୀର ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲା କିଶୋରନଗର ଥାନା ରାନିଆକଟାର ସୌମ୍ୟରଞ୍ଜନ ପ୍ରଧାନ (୩୧) ଓ କଟକ ଜିଲା ଜଗତପୁର ଥାନା ସୁଜାପୁର ଗାଁର କ୍ଷୀତିଶ […] The post ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ appeared first on Dharitri Odia News.

ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ

ବଲାଙ୍ଗୀର,୧୫ା୭(ବୀରେନ୍ଦ୍ର କୁମାର ଝାଙ୍କର): ମନ୍ତ୍ରୀ, ଅଫିସର ଓ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ନାଁ ନେବା ସହ ମହିଳାଙ୍କ ସ୍ବରରେ ମୋବାଇଲ ଫୋନରେ କଥା ହୋଇ ଓଡ଼ିଶାର ବିଭିନ୍ନ ଜିଲାରେ ଲୋକଙ୍କୁ ବିପୁଳ ଟଙ୍କା ଠକି ନେଇଛନ୍ତି ସାଇବର ଅପରାଧୀମାନେ। ଏନେଇ ତଦନ୍ତ କରୁଥିବା ବଲାଙ୍ଗୀର ସାଇବର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୋଳ ଜିଲା କିଶୋରନଗର ଥାନା ରାନିଆକଟାର ସୌମ୍ୟରଞ୍ଜନ ପ୍ରଧାନ (୩୧) ଓ କଟକ ଜିଲା ଜଗତପୁର ଥାନା ସୁଜାପୁର ଗାଁର କ୍ଷୀତିଶ ନନ୍ଦୀ (୨୮)। ସୌମ୍ୟ ଓ କ୍ଷୀତିଶ ନିଜକୁ ମନ୍ତ୍ରୀ, ଅଫିସ ଏବଂ ବ୍ୟବସାୟୀଙ୍କ ପିଏ (ବ୍ୟକ୍ତିଗତ ସହାୟକ) ବୋଲି ପରିଚୟ ଦେଇ ଲୋକଙ୍କୁ ଠକିଥିବା ପୋଲିସ କହିଛି। ସେମାନଙ୍କୁ ଅନୁଗୋଳ ଓ କଟକ ଜିଲାରୁ ଗିରଫ କରାଯାଇ ବଲାଙ୍ଗୀର ଅଣାଯାଇଛି। ରବିବାର ସନ୍ଧ୍ୟା ସାଢ଼େ ୬ଟାରେ ବଲାଙ୍ଗୀର ଜିଲା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ଖବରଦାତା ସମ୍ମିଳନୀ କରି ସାଇବର ଠକେଇ ସମ୍ପର୍କରେ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ ସାହୁ କହିଛନ୍ତି ଯେ, ଅଭିଯୁକ୍ତମାନେ ବିଭିନ୍ନ ସମୟରେ ମହିଳାଙ୍କ ସ୍ବରରେ କଥା ହୋଇ ଲୋକଙ୍କୁ ପ୍ରଲୋଭିତ କରୁଥିଲେ। ଏପରିକି ଇଣ୍ଟରନେଟ୍‌ ଯୋଗେ ପ୍ରତିଷ୍ଠିତ ହସ୍ପିଟାଲ ଏବଂ ସ୍କୁଲ ମାଲିକଙ୍କ ନାମ ସଂଗ୍ରହ କରି ସେମାନଙ୍କୁ ବରିଷ୍ଠ ମନ୍ତ୍ରୀ, ଅଧିକାରୀ ଓ ବ୍ୟବସାୟୀଙ୍କ ବ୍ୟକ୍ତିଗତ ସହାୟକ କହି ଲକ୍ଷାଧିକ ଟଙ୍କା ସେମାନଙ୍କଠାରୁ ନେଇ ଯାଉଥିଲେ। ଏଭଳି କାମ କଲାବେଳେ ଅନେକ ସମୟରେ ନିଜକୁ ଅନୀଲ ପଟ୍ଟନାୟକ ଭାବେ ପରିଚୟ ଦେଉଥିଲେ। ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ସେମାନଙ୍କ ଅଞ୍ଚଳ ଗସ୍ତ କରିବେ ଏବଂ ସେମାନଙ୍କ ଅନେକ କାମ ମଧ୍ୟ କରିଦେବେ ବୋଲି ମଧ୍ୟ ପ୍ରଲୋଭନ ଦେଖାଉଥିଲେ। ଏଭଳି କହି ବିଭିନ୍ନ ଲୋକଙ୍କଠାରୁ ଫୋନ୍‌ ପେ’ ଯୋଗେ ଟଙ୍କା ହଡ଼ପ କରି ନେଇଥିଲେ। ସେହପରି କେତେଜଣ ଲୋକଙ୍କ ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା ସମ୍ପର୍କରେ କଥା ହୋଇ ଦେବୀ କାମାକ୍ଷା ସବୁ ଠିକ୍‌ କରିଦେବେ କହି ପୂଜା ନାଁରେ ମଧ୍ୟ ସେମାନଙ୍କୁ ଲୁଟୁଥିଲେ। ଏଭଳି ଏକ ସାଇବର ଠକେଇ ସମ୍ପର୍କରେ ଜାଣିବା ପରେ ବଲାଙ୍ଗୀର ସାଇବର ପୋଲିସ ନିଜ ତରଫରୁ ମାମଲା (ନଂ ୨୬/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍‌ ତଦନ୍ତ କରି ଅନୁଗୋଳ ଓ କଟକ ଜିଲାରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ତେବେ ଏମାନେ କାହାଠାରୁ କେତେ ଟଙ୍କା ଲୁଟିଛନ୍ତି, ସେନେଇ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ସାହୁ କହିଛନ୍ତି। ଖବରଦାତା ସମ୍ମିଳନୀରେ ବଲାଙ୍ଗୀର ସାଇବର ଥାନା ଆଇଆଇସି ଭାରତୀ ନାଏକ ଉପସ୍ଥିତ ଥିଲେ। ଅଭିଯୁକ୍ତମାନଙ୍କଠାରୁ ପୋଲିସ ୩ଟି ମୋବାଇଲ ଫୋନ୍‌, ଗୋଟିଏ ଆଧାର କାର୍ଡ ଓ ଗୋଟିଏ ପାନ କାର୍ଡ ଜବତ କରିଛି।

The post ମନ୍ତ୍ରୀ-ଅଫିସରଙ୍କ ନାଁ ନେଇ ମହିଳାଙ୍କ ସ୍ବରରେ କରୁଥିଲେ ଠକେଇ appeared first on Dharitri Odia News.