ମନ୍ଦିରରେ ମଞ୍ଚ ଭୁଶୁଡ଼ି ଜଣେ ମହିଳା ମୃତ, ୧୭ ଆହତ

ବିନା ଅନୁମତିରେ ମନ୍ଦିର ପରିସରରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ବୋଲି କହିଛି ପୁଲିସ୍।

ମନ୍ଦିରରେ ମଞ୍ଚ ଭୁଶୁଡ଼ି ଜଣେ ମହିଳା ମୃତ, ୧୭ ଆହତ

ଦିଲ୍ଲୀର କାଲକାଜୀ ମନ୍ଦିରରେ ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ଶନିବାର ମଧ୍ୟରାତ୍ରରେ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଘଟଣା ଘଟିଥିଲା।

ମଞ୍ଚ ଭୁଶୁଡ଼ି ପଡ଼ିବା ପରେ ଗୁରୁତର ଭାବେ ଆହତ ହୋଇଥିବା ଜଣେ ମହିଳାଙ୍କୁ ଦୁଇ ଜଣ ବ୍ୟକ୍ତି ଅଟୋରେ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ସମସ୍ତ ୧୭ ଆହତଙ୍କୁ ଦିଲ୍ଲୀ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କାହାକୁ ଏମ୍‌ସରେ ତ କାହାକୁ ସଫଦରଜଙ୍ଗ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କୁ ମ୍ୟାକ୍ସ ହସ୍‌ପିଟାଲରେ ମଧ୍ୟ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ହାଡ଼ ଭାଙ୍ଗି ଥିବା ଜଣାପଡ଼ିଛି। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି।

ଗତକାଲି କାଲକାଜୀ ମନ୍ଦିରରେ ‘ଜାଗରଣ’ ବା ‘ଜାଗ୍ରତ’ କାର୍ଯ୍ୟକ୍ରମ ଚାଲିଥିଲା। ଏହାକୁ ଘରୋଇ ଭାବେ ଆୟୋଜିତ କରାଯାଇଥିଲା। ମୁଖ୍ୟ ମଞ୍ଚରେ ଭଜନ ଚାଲିଥିଲା। ଭଜନର ତାଳେ ତାଳେ ଭକ୍ତମାନେ ନୃତ୍ୟ କରୁଥିଲେ। ଭଜନ ଚାଲିଥିବା ବେଳେ ଅନେକ ଶ୍ରଦ୍ଧାଳୁ ଉତ୍ସାହିତ ହୋଇ ମୁଖ୍ୟ ମଞ୍ଚ ଉପରକୁ ମଧ୍ୟ ଚଢ଼ି ଯାଇଥିଲେ।

ମୁଖ୍ୟ ମଞ୍ଚ ନିକଟରେ କାଠ ଓ ଲୁହାର ଫ୍ରେମ୍‌ରେ ଆଉ ଏକ ମଞ୍ଚ କରାଯାଇଥିଲା। ସେହି ମଞ୍ଚରେ ଏହି କାର୍ଯ୍ୟକ୍ରମର ଆୟୋଜକଙ୍କ ପରିବାରର ସଦସ୍ୟଙ୍କ ସହିତ ଭିଆଇପିମାନେ ବସିଥିଲେ। ତେବେ କୌଣସି କାରଣ ବଶତଃ ଏହି ମଞ୍ଚଟି ଭାଙ୍ଗି ଯାଇଥିଲା।

ଦକ୍ଷିଣପୂର୍ବ ଦିଲ୍ଲୀ ଡିସିପି ରାଜେଶ ଦେଓ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ନେଇ କୌଣସି ଅନୁମତି ନିଆଯାଇ ନଥିଲା। ତଥାପି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମନ୍ଦିର ପରିସରରେ ଯଥେଷ୍ଟ ପୁଲିସ୍ କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। ଏହି ଅଘଟଣ ଘଟିବା ବେଳେ ସେଠାରେ ୧୫୦୦ରୁ ୧୬୦୦ ଲୋକ ଉପସ୍ଥିତ ଥିଲେ। ମଞ୍ଚଟି କାଠ ଓ ଲୁହା ଫ୍ରେମ୍‌ରେ ତିଆରି ହୋଇଥିଲା। ମଞ୍ଚ ଭୁଶୁଡ଼ି ପଡ଼ିବା ଯୋଗୁ ଏଥିରେ ବସିଥିବା ଶ୍ରଦ୍ଧାଳୁମାନେ ଆହତ ହୋଇଛନ୍ତି। ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି।

ଏହି ଘଟଣା ନେଇ ଦିଲ୍ଲୀ ପୁଲିସ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ କରିଛି। ସେମାନଙ୍କ ଅବହେଳା ଯୋଗୁ ଜଣଙ୍କ ମୃତ୍ୟୁ ଘଟିବା ଓ ଅନ୍ୟମାନଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ହୋଇଯିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।