ମହାକାଶରେ ଶିବ-ଶକ୍ତି
ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’ ଦୁର୍ଗାଙ୍କୁ। ଏହି ଦ୍ୱୟ ଏକତ୍ର ସୃଷ୍ଟିର ମୂଳ ପିଣ୍ଡ ବୋଲି ବିଚାର କରାଯାଏ। ଏହି ଆଧ୍ୟାତ୍ମିକ ବିଶ୍ୱାସକୁ ଆମେ ନାନାଦି ଭୌତିକ ରୂପ ଦେଇ ପୂଜା କରିଥାଉ। ତେବେ ଏହାକୁ ଏବେ ନୂତନ ବିଜ୍ଞାନଭିତ୍ତିକ ରୂପମାନ ପ୍ରଦାନ କରାଯାଇଛି। ତାହା ପ୍ରଥମେ ପ୍ରମାଣ କରାଯାଇଥିଲା ଗତ ୨୦୨୩ ମସିହା ଅଗଷ୍ଟ […] The post ମହାକାଶରେ ଶିବ-ଶକ୍ତି appeared first on Dharitri Odia News.
ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’ ଦୁର୍ଗାଙ୍କୁ। ଏହି ଦ୍ୱୟ ଏକତ୍ର ସୃଷ୍ଟିର ମୂଳ ପିଣ୍ଡ ବୋଲି ବିଚାର କରାଯାଏ। ଏହି ଆଧ୍ୟାତ୍ମିକ ବିଶ୍ୱାସକୁ ଆମେ ନାନାଦି ଭୌତିକ ରୂପ ଦେଇ ପୂଜା କରିଥାଉ। ତେବେ ଏହାକୁ ଏବେ ନୂତନ ବିଜ୍ଞାନଭିତ୍ତିକ ରୂପମାନ ପ୍ରଦାନ କରାଯାଇଛି। ତାହା ପ୍ରଥମେ ପ୍ରମାଣ କରାଯାଇଥିଲା ଗତ ୨୦୨୩ ମସିହା ଅଗଷ୍ଟ ୨୬ ତାରିଖ ଦିନ। ଏହିଦିନ ଚନ୍ଦ୍ରପୃଷ୍ଠରେ ଭାରତୀୟ ମହାକାଶଯାନ ‘ଚନ୍ଦ୍ରୟାନ-୩’ର ଲ୍ୟାଣ୍ଡର ‘ବିକ୍ରମ’ ଅବତରଣ କରିଥିଲା। ଏହି ପବିତ୍ର ସ୍ଥାନକୁ ‘ଶିବ-ଶକ୍ତି’ ନାମରେ ନାମିତ କରିବା ପାଇଁ ଆମ ଦେଶର ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ। ଚଳିତ ବର୍ଷ ଫେବୃଆରୀରେ ଆନ୍ତର୍ଜାତିକ ଜ୍ୟୋତର୍ବିଜ୍ଞାନୀ ସଂଘ (ଇଣ୍ଟରନ୍ୟାଶନାଲ ଆଷ୍ଟ୍ରୋନୋମିକାଲ ୟୁନିୟନ) ଏହି ନାମକୁ ସ୍ବୀକୃତି ପ୍ରଦାନ କରିଛି। ପୁନଶ୍ଚ ନିକଟରେ ଏହି ନାମର ପୁନଃ ଉପଯୋଗ କରିଛନ୍ତି ଜ୍ୟୋତିର୍ବିଜ୍ଞାନୀମାନେ ପୁଣି ଆହୁରି ଏକ ବୃହତ୍ତର କ୍ଷେତ୍ରରେ। ସେମାନେ ଆବିଷ୍କାର କରିଥିବା ଛାୟାପଥ ନକ୍ଷତ୍ରମଣ୍ଡଳର ଆଦିମତମ ମୂଳପିଣ୍ଡ ବୋଲି ବିଶ୍ୱାସ କରାଯାଉଥିବା ତାରକାଗୁଡ଼ିକର ଦୁଇଟି ପୁରାତନ ସ୍ରୋତକୁ ‘ଶିବ’ ଏବଂ ‘ଶକ୍ତି’ ନାମରେ ନାମିତ କରିଛନ୍ତି।
ଏହି ଦୁଇଟିର ଆବିଷ୍କାର ହେiଇଛି ୟୁରୋପୀୟ ମହାକାଶ ସଂସ୍ଥା ଦ୍ୱାରା ୨୦୧୩ ମସିହାରେ ମହାକାଶକୁ ପ୍ରେରିତ କରାଯାଇଥିବା ‘ଗାଲା’ ମହାକାଶ ଦୂରବୀକ୍ଷଣ ଯନ୍ତ୍ର ଦ୍ୱାରା। ଏହି ଶକ୍ତିଶାଳୀ ବ୍ୟବସ୍ଥାଟି ଇତିମଧ୍ୟରେ ପୃଥିବୀର ନିକଟତମ ନକ୍ଷତ୍ରମଣ୍ଡଳର ପ୍ରାୟ ୧.୫ ହଜାର ନିୟୁତ (ବିଲିୟନ) ତାରକାମାନଙ୍କର ଅବସ୍ଥିତି ସେମାନଙ୍କ ମଧ୍ୟରେ ଦୂରତ୍ୱ ଇତ୍ୟାଦି ସମ୍ପର୍କରେ ବହୁତ ତଥ୍ୟ ସଂଗ୍ରହ କରିସାରିଲାଣି।
ଜ୍ୟୋତିର୍ବିଜ୍ଞାନୀମାନଙ୍କ ମତରେ ସମ୍ଭବତଃ ‘ଶିବ’ ଏବଂ ‘ଶକ୍ତି’ ଆଜିକୁ ପ୍ରାୟ ୧୨,୦୦୦ ନିୟୁତ ବର୍ଷ ପୂର୍ବେ ଛାୟାପଥ ସୃଷ୍ଟି ହେବାର ଆଦ୍ୟକାଳରେ ସେଥିରେ ମିଶିଥିବା ଦୁଇଟି ଅଲଗା ଅଲଗା ତାରକାପୁଞ୍ଜର ସ୍ମାରକୀ। କାରଣ ସଂଗୃହୀତ ତଥ୍ୟ ଅନୁସାରେ ସେ ଦୁଇଟିରେ ଥିବା ତାରକାଗୁଡିକର ରାସାୟନିକ ସଂରଚନା ୧୨/୧୩ ହଜାର ନିୟୁତ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ତାରକାଗୁଡିକର ସଦୃଶ। ଏ ପ୍ରତ୍ୟେକର ବସ୍ତୁତ୍ୱ ଆମ ସୂର୍ଯ୍ୟ ତୁଳନାରେ ପ୍ରାୟ ୧୦ ନିୟୁତ ଗୁଣ ଅଧିକ।
ହିନ୍ଦୁ ଧର୍ମ ଅନୁସାରେ ଶିବ ଏବଂ ଶକ୍ତିଙ୍କ ମିଳନରୁ ବିଶ୍ୱ ବ୍ରହ୍ମାଣ୍ଡର ଉତ୍ପତ୍ତି। ଅନ୍ୟପକ୍ଷରେ ସମ୍ଭବତଃ ଢାଞ୍ଚା ଦୁଇଟି ସେହି ସମୟରେ ସୃଷ୍ଟି ହୋଇଥିଲା। ଅତଏବ ଏହା ଚିହ୍ନଟ ହେବା ଛାୟାପଥର ବିକ୍ଷୁବ୍ଧ ଆଦ୍ୟକାଳ ସମ୍ପର୍କରେ ମତ ପ୍ରକାଶ କରାଯାଇଛି ଚଳିତ ବର୍ଷ ମାର୍ଚ୍ଚ ମାସରେ ପ୍ରକାଶିତ ‘ଆଷ୍ଟ୍ରୋଫିଜିକାଲ ଜର୍ଣ୍ଣାଲ’ର ଏକ ପ୍ରବନ୍ଧରେ। ଏହାର ମୁଖ୍ୟ ଲେଖକଙ୍କ ମତରେ ସେ ଏବଂ ତାଙ୍କର ସହଯୋଗୀମାନଙ୍କର ଏହି ଅଧ୍ୟୟନ ବିଶ୍ୱବ୍ରହ୍ମାଣ୍ଡ ତାରକାପୁଞ୍ଜମାନେ କିପରି ସୃଷ୍ଟି ହେଲେ ସେହି ମୌଳିକ ପ୍ରଶ୍ନର ସମାଧାନ ଲାଗି ନୂତନ ମାର୍ଗଦର୍ଶନ କରାଇଛି।
ଆଜକୁ ପ୍ରାୟ ୧୩.୮ ହଜାର ନିୟୁତ ବର୍ଷ ପୂର୍ବେ ଘଟିଥିବା ବ୍ରହ୍ମବିସ୍ଫୋଟ ବା ବିଗ୍ ବ୍ୟାଙ୍ଗ ହେତୁ ବିଶ୍ୱ ବ୍ରହ୍ମାଣ୍ଡର ଉଦ୍ଭବ ହୋଇଥିଲା। ଏହା ପରେ ପରେ ସମ୍ଭବତଃ ଅନ୍ୟାନ୍ୟ ତାରକାପୁଞ୍ଜ ସହିତ ଛାୟାପଥର ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଲା। ବିଶ୍ୱାସ କରାଯାଏ ଯେ ପ୍ରଥମେ ଏହାର ଆକୃତି ଅନିୟମିତ ଥିଲା ଏବଂ ତହିଁରେ ଭରି ରହିଥିଲା ବାଷ୍ପ ଏବଂ ଧୂଳି। ତାହା ଏକତ୍ରିତ ହୋଇ ଘନ ହୋଇଚାଲିବା ଫଳରେ ତାରକାମାନେ ଉତ୍ପନ୍ନ ହେଲେ। ବର୍ତ୍ତମାନର ଏହି ଆବିଷ୍କାର ଏହି ପ୍ରକ୍ରିୟା ଉପରେ ଅଧିକ ଆଲୋକପାତ କରିବ।
ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷା ନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୩୦୧୪୬୦
The post ମହାକାଶରେ ଶିବ-ଶକ୍ତି appeared first on Dharitri Odia News.