ମହାକୁମ୍ଭ ଆରମ୍ଭ : ପ୍ରଥମ ଦିନରେ ବୁଡ଼ ପକାଇଲେ ୧.୬ କୋଟି
ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ସୋମବାରଠାରୁ ମହାକୁମ୍ଭ ମେଳା ଆରମ୍ଭ ହୋଇଛି। ପୌଷ ପୂର୍ଣ୍ଣିମା ଅବସରରେ ପ୍ରଥମ ଶାହୀ ସ୍ନାନ ଯୋଗ ପଡିଥିବାବେଳେ ସୋମବାର ପ୍ରାୟ ୧.୬ କୋଟି ଭକ୍ତ ସଙ୍ଗମରେ ବୁଡ଼ ପକାଇଥିବା ଜଣାପଡିଛି। ପ୍ରବଳ ଶୀତ ସତ୍ତ୍ବେ ସଙ୍ଗମରେ ବୁଡ ପକାଇବାରେ ଭକ୍ତଙ୍କ ମନରେ କୌଣସି କୁଣ୍ଠା ଲକ୍ଷ୍ୟ କରାଯାଇ ନାହିଁ। ହର ହର ମହାଦେବ, ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି ଧ୍ବନିରେ ସଙ୍ଗମ ସ୍ଥଳ ପ୍ରକମ୍ପିତ ହୋଇପଡିଛି। ପ୍ରଥମ […]

ପ୍ରୟାଗରାଜ : ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ତ୍ରିବେଣୀ ସଙ୍ଗମରେ ସୋମବାରଠାରୁ ମହାକୁମ୍ଭ ମେଳା ଆରମ୍ଭ ହୋଇଛି। ପୌଷ ପୂର୍ଣ୍ଣିମା ଅବସରରେ ପ୍ରଥମ ଶାହୀ ସ୍ନାନ ଯୋଗ ପଡିଥିବାବେଳେ ସୋମବାର ପ୍ରାୟ ୧.୬ କୋଟି ଭକ୍ତ ସଙ୍ଗମରେ ବୁଡ଼ ପକାଇଥିବା ଜଣାପଡିଛି। ପ୍ରବଳ ଶୀତ ସତ୍ତ୍ବେ ସଙ୍ଗମରେ ବୁଡ ପକାଇବାରେ ଭକ୍ତଙ୍କ ମନରେ କୌଣସି କୁଣ୍ଠା ଲକ୍ଷ୍ୟ କରାଯାଇ ନାହିଁ। ହର ହର ମହାଦେବ, ଜୟ ଶ୍ରୀରାମ, ଜୟ ବଜରଙ୍ଗବାଲି ଧ୍ବନିରେ ସଙ୍ଗମ ସ୍ଥଳ ପ୍ରକମ୍ପିତ ହୋଇପଡିଛି। ପ୍ରଥମ ଦିନରେ ଏତେ ସଂଖ୍ୟକ ଭକ୍ତଙ୍କ ସମାଗମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୋଦୀ ତାଙ୍କର ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ପାଇଁ ସୋମବାର ଅତ୍ୟନ୍ତ ସ୍ବତନ୍ତ୍ର ଦିନ ପାଲଟିଛି। ସଙ୍ଗମ ଘାଟରେ ବିଶ୍ବାସ, ଭକ୍ତି ଓ ପରମ୍ପରାର ଅଦ୍ଭୁତ ମିଳନ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି। ୪୫ ଦିନ ଧରି ଚାଲିବାକୁ ଥିବା ଏହି ଧାର୍ମିକ ସମାବେଶରେ ସମସ୍ତ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ସୁରକ୍ଷିତ ରୁହନ୍ତୁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପ୍ରଥମ ଶାହୀ ସ୍ନାନ ପୂର୍ବରୁ ଯୋଗୀ ଆଦିତ୍ୟନାଥ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିବିଧତା ମଧ୍ୟରେ ଏକତାର ପ୍ରମାଣ ଦେବାକୁ ଆଜି ଦେଶ ବିଦେଶରୁ ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିଥିବାରୁ ଏହା ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ ବୋଲି ସେ କହିଛନ୍ତି।
ଶ୍ରଦ୍ଧାଳୁଙ୍କ ନିମନ୍ତେ ମହାକୁମ୍ଭରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାୟ ୪୦ ହଜାର ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯାଇଥିବାବେଳେ ଅଣ୍ଡର ୱାଟର ଡ୍ରୋନ ଏବଂ ୨୭୦୦ ଉଚ୍ଚ ଶକ୍ତି ସମ୍ପନ୍ନ ସିସିଟିଭି ଖଞ୍ଜାଯାଇଛି। ସାଇବର ଠକାମି ରୋକିବାକୁ ଏଆଇ (କୃତ୍ରିମ ବୁଦ୍ଧିମତ୍ତା) ସାଇବର ହେଲ୍ପ କାଉଣ୍ଟର ସ୍ଥାପନ କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ ନିୟନ୍ତ୍ରଣ କରିବାକୁ ସଙ୍ଗମ ସ୍ଥଳୀକୁ ସଂଯୋଗ କରୁଥିବା ସାତଟି ରାସ୍ତା ନିର୍ମାଣ କରାଯାଇଛି। ଏହା ବ୍ୟତୀତ ସେନା ପକ୍ଷରୁ ଗଙ୍ଗା ନଦୀ ଉପରେ ଏକାଧିକ ଅସ୍ଥାୟୀ ପୋଲ ମଧ୍ୟ ନିର୍ମାଣ କରାଯାଇଛି। ପ୍ରବଳ ଭିଡରେ ପ୍ରଥମ ଦିନରେ ପ୍ରାୟ ୨୫୦ ଭକ୍ତ ସେମାନଙ୍କ ଆତ୍ମୀୟ ସ୍ବଜନଙ୍କ ଠାରୁ ଅଲଗା ହୋଇଥିବାବେଳେ ସିସିଟିଭି ଫୁଟେଜ ଜରିଆରେ ସେମାନେ ପୁଣି ଏକାଠି ହୋଇପାରିଛନ୍ତି। ପ୍ରଥମ ଦିନରେ ବିଭିନ୍ନ ଆଖଡାର ସାଧୁ ସଙ୍ଗମରେ ବୁଡ ପକାଇଛନ୍ତି। ଏମାନଙ୍କ ଉପସ୍ଥିତି ପରିବେଶକୁ ଅଧିକ ଧାର୍ମିକ କରିଥିବା କୁହାଯାଇଛି। ଜଣେ ସାଧୁ ଦାମୀ ହାର୍ଲେ ଡେଭିଡସନ ବାଇକ୍ରେ ବୁଡ ପକାଇବାକୁ ଆସିଥିବା ଲକ୍ଷ୍ୟ କରାଯାଇଛି। ଭିଡରେ ଚୋର, ପକେଟମାରଙ୍କ ଉପରେ କଡା ନଜର ରଖାଯାଇଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍ ମଧ୍ୟ ପ୍ରଥମ ଦିନରେ ଗଙ୍ଗା ସ୍ନାନ କରିଛନ୍ତି। ପ୍ରଥମ ଦିନରେ ବିଦେଶୀ ଭକ୍ତମାନେ ମଧ୍ୟ ସଙ୍ଗମରେ ସ୍ନାନ କରିଥିବା ଲକ୍ଷ୍ୟ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ଇସ୍କନ ଭକ୍ତ ସାମିଲ ଅଛନ୍ତି। ଏପରିକି କେତେକ ବିଦେଶୀ ଭକ୍ତ ପୂର୍ବରୁ କୁମ୍ଭରେ ବୁଡ ପକାଇଥିବା କହିଛନ୍ତି। ଭକ୍ତଙ୍କ ଭୋଜନ ନିମନ୍ତେ ଶତାଧିକ ଭୋଜନାଳୟ ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ମାତ୍ର ୯ ଟଙ୍କାରେ ‘ମାଆ କି ରୋଷେଇ’ ଥାଳିର ବ୍ୟବସ୍ଥା କରାଯାଇଛି। ଏଥିରେ ଭାତ, ଡାଲି, ୪ ପଟ ରୁଟି, ତରକାରି, ସାଲାଡ ଓ ମିଠା ଖାଇବାକୁ ମିଳିବ। ଭକ୍ତଙ୍କ ଯାତାୟାତ ନିମନ୍ତେ ରେଳବାଇ ପକ୍ଷରୁ ସହସ୍ରାଧିକ ଟ୍ରେନ୍ ବ୍ୟବସ୍ଥା କରାଯାଇଛି। ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରୟାଗରାଜକୁ ୧୦ ହଜାର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିବାବେଳେ ଏଥିମଧ୍ୟରେ ୩୩୦୦ ସ୍ବତନ୍ତ୍ର ଟ୍ରେନ ସାମିଲ ଥିବା କୁହାଯାଇଛି। ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ମହାକୁମ୍ଭରେ ପ୍ରାୟ ୪୫ କୋଟି ଭକ୍ତଙ୍କ ସମାବେଶ ଘଟିବ ବୋଲି ଆଶା କରାଯାଉଛି। ଚଳିତ କୁମ୍ଭ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।