ମହାରାଷ୍ଟ୍ର ନିର୍ବାଚନ, ସିଟ୍‌ ଭାଗ ବଣ୍ଟାକୁ ନେଇ ରାହୁଲ ଖପ୍ପା!

ରାହୁଲ ଗାନ୍ଧି ବୈଠକର ଅଧାରୁ ହିଁ ଉଠି ଚାଲି ଆସିଥିବା ସୂଚନା ମିଳିଛି।

ମହାରାଷ୍ଟ୍ର ନିର୍ବାଚନ, ସିଟ୍‌ ଭାଗ ବଣ୍ଟାକୁ ନେଇ ରାହୁଲ ଖପ୍ପା!

ପାଖେଇ ଆସିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଆଉ ଦିନ କେଇଟା ପରେ ପଡ଼ିବ ଭୋଟ୍‌। ଏଥିପାଇଁ ସମସ୍ତ ରାଜନୈତିକ ଦଳଗୁଡିକ ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି। ବିଭିନ୍ନ ଦଳଗୁଡିକ ନିଜ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରୁଛନ୍ତି। ଏହାରି ଭିତରେ କିନ୍ତୁ କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧି ଖପ୍ପା ହୋଇଯାଇଛନ୍ତି। ମହାରାଷ୍ଟ୍ରରେ ଆସନ ଭାଗ ବଣ୍ଟାକୁ ନେଇ ସେ ରାଗିଥିବା କୁହାଯାଉଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସମ୍ପର୍କରେ ଶୁକ୍ରବାର ଦିନ ଦିଲ୍ଲୀ ଦଳୀୟ ମୁଖ୍ୟାଳୟରେ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧି ଏହି ବୈଠକର ଅଧାରୁ ହିଁ ଛାଡି ଚାଲି ଆସିଥିଲେ। କଂଗ୍ରେସର ଦବ୍‌ଦବା ଥିବା ଆସନଗୁଡ଼ିକୁ ଏମଭିଏ ସହଯୋଗୀ ଶିବସେନା (ୟୁବିଟି) କୁ ଦେଇଥିବାରୁ ସେ ରାଗି ଯାଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ କେନ୍ଦ୍ରୀ ନିର୍ବାଚନ କମିଟି ବୈଠକରେ ରାହୁଲ ଗାନ୍ଧି ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶିବସେନା (ୟୁବିଟି) କୁ ବିଦର୍ଭ ଏବଂ ମୁମ୍ବାଇ ଭଳି ଅଞ୍ଚଳରେ କଂଗ୍ରେସର ଦୃଢ଼ତା ତଥା ବିଶେଷ ସଂରକ୍ଷିତ ଆସନ ପ୍ରଦାନ କରିବାକୁ ନେଇ ସେ ଖପ୍ପା ହୋଇଯାଇଛନ୍ତି। ଏହା ବ୍ୟତୀତ ସ୍କ୍ରିନିଂ କମିଟି ସିଇସିକୁ ଦେଇଥିବା ପ୍ରାର୍ଥୀଙ୍କ ନାମ ଉପରେ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି। ରାଜ୍ୟର ଅନେକ ନେତାଙ୍କ ପ୍ରତି ପକ୍ଷପାତ କରାଯାଇଥିବା ଭଳି ମନେ ହେଉଥିବା ସେ କହିଛନ୍ତି।

ଆସନ ବାଣ୍ଟିବା ନେଇ ଆଲୋଚନା ବେଳେ ମହାରାଷ୍ଟ୍ର କଂଗ୍ରେସ ନେତାମାନେ ସେମାନଙ୍କର ଭୂମିକା ସଠିକ୍ ଭାବେ ତୁଳାଇ ନାହାଁନ୍ତି ବୋଲି ରାହୁଲ ବିଶ୍ୱସ। ସେ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ବୈଠକକୁ ଅଧାରୁ ଉଠି ଚାଲି ଆସିଛନ୍ତି। ହାଇ କମାଣ୍ଡର ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ବାଲାସାହେବ ଥୋରାଟଙ୍କୁ ବିଦର୍ଭ ଏବଂ ମୁମ୍ବାଇ ଆସନ ସମ୍ପର୍କରେ ଏମଭିଏ ସହଯୋଗୀ ଶରଦ ପାୱାର ଏନସିପି ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସହ ଆଲୋଚନା କରିବାକୁ ଦାୟିତ୍ୱ ଦେଇଛନ୍ତି।

କହିରଖୁ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏକ ମାସରୁ ବି କମ୍ ସମୟ ବାକି ଅଛି। କିନ୍ତୁ ମହା ବିକାଶ ଆଘାଡିରେ ଆସନ ଭାଗ ବଣ୍ଟାକୁ ନେଇ ଟଣାଓଟରା ଜାରି ରହିଛି। କଂଗ୍ରେସ, ଉଦ୍ଧବ ସେନା ଏବଂ ଶରଦ ପାୱାରଙ୍କ ଦଳ ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ୨୮୮ ସଦସ୍ୟ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ଏହି ତିନି ଦଳ ସମାନ ଆସନ ୮୫-୮୫ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ହୋଇଛି। ଅବଶିଷ୍ଟ ୩୩ ଟି ଆସନ ଉପରେ ମଧ୍ୟ ନିଷ୍ପତ୍ତି ଶୀଘ୍ର ନିଆଯିବ। କିନ୍ତୁ ପରେ ସିଟ୍ ବାଣ୍ଟନ ନେଇ ତିନିଟି MVA ଦଳ ମଧ୍ୟରେ କୌଣସି ସହମତି ହୋଇନଥିବା ଖବର ସାମ୍ନାକୁ ଆସିଥିଲା।