ମହାରାଷ୍ଟ୍ର ନିର୍ବାଚନରେ ବିଟ୍‌କଏନ୍‌ ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ, ୨୧।୧୧: ମହାରାଷ୍ଟ୍ର ନିର୍ବାଚନର ମତଦାନ ମଧ୍ୟରେ ବିଟ୍‌କଏନ୍‌କୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି। ମହାରାଷ୍ଟ୍ର ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବିଟ୍‌କଏନ୍‌କୁ ଅବୈଧ ଭାବେ ନଗଦ ଟଙ୍କା ଆକାରରେ ପରିଣତ କରିଥିବା ନେଇ ଏନ୍‌ସିପି(ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନାନା ପଟୋଲେଙ୍କ ବିରୋଧରେ ଭାଜପା ମଙ୍ଗଳବାର ଅଭିଯୋଗ ଆଣିଥିଲା। ୨୦୧୮ର କ୍ରିପ୍ଟୋକରେନ୍ସି ଦୁର୍ନୀତିରେ ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟର ଏହି ୨ ପ୍ରମୁଖ ନେତାଙ୍କର ସମ୍ପୃକ୍ତି […] The post ମହାରାଷ୍ଟ୍ର ନିର୍ବାଚନରେ ବିଟ୍‌କଏନ୍‌ ବିବାଦ appeared first on Dharitri Odia News.

ମହାରାଷ୍ଟ୍ର ନିର୍ବାଚନରେ ବିଟ୍‌କଏନ୍‌ ବିବାଦ

ନୂଆଦିଲ୍ଲୀ/ମୁମ୍ବାଇ, ୨୧।୧୧: ମହାରାଷ୍ଟ୍ର ନିର୍ବାଚନର ମତଦାନ ମଧ୍ୟରେ ବିଟ୍‌କଏନ୍‌କୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି। ମହାରାଷ୍ଟ୍ର ନିର୍ବାଚନକୁ ପ୍ରଭାବିତ କରିବା ଉଦ୍ଦେଶ୍ୟରେ ବିଟ୍‌କଏନ୍‌କୁ ଅବୈଧ ଭାବେ ନଗଦ ଟଙ୍କା ଆକାରରେ ପରିଣତ କରିଥିବା ନେଇ ଏନ୍‌ସିପି(ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ ଏବଂ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି ସଭାପତି ନାନା ପଟୋଲେଙ୍କ ବିରୋଧରେ ଭାଜପା ମଙ୍ଗଳବାର ଅଭିଯୋଗ ଆଣିଥିଲା। ୨୦୧୮ର କ୍ରିପ୍ଟୋକରେନ୍ସି ଦୁର୍ନୀତିରେ ମହା ବିକାଶ ଅଘାଡ଼ି(ଏମଭିଏ) ମେଣ୍ଟର ଏହି ୨ ପ୍ରମୁଖ ନେତାଙ୍କର ସମ୍ପୃକ୍ତି ରହିଛି ବୋଲି ଭାଜପା ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଅଭିଯୋଗ ଆଣିଥିଲେ। ଏହି ଅବସରରେ ସେ ମାମଲା ସହ ସମ୍ବନ୍ଧିତ ଥିବା ସୁପ୍ରିୟା ଓ ପଟୋଲେଙ୍କର ଏକ ଭଏସ୍‌ ନୋଟକୁ ଜାରି କରିଥିଲେ। ମାମଲାର ତଦନ୍ତ ଚାଲିଥିବାରୁ ୨ ନେତାଙ୍କର ଭୂମିକା ଖୁବ୍‌ଶୀଘ୍ର ସାମ୍‌ନାକୁ ଆସିବ ବୋଲି ବୁଧବାର ଏକ ଖବରଦାତା ସମ୍ମିଳନୀ କରି ଭାଜପା ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି। ଏମ୍‌ଭିଏର ୨ ପ୍ରମୁଖ ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଉତ୍ତର ରଖିବା ପାଇଁ ସେ ଆହ୍ବାନ କରିଛନ୍ତି। ସମ୍ବିତ କହିଛନ୍ତି, କ୍ରିପ୍ଟୋ ମୁଦ୍ରା ଠକେଇରେ ସୁପ୍ରିୟା ଓ ପଟୋଲେଙ୍କର ସମ୍ପୃକ୍ତି ରହିଛି ଏବଂ ଚଳିତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଭୟେ ବିଟ୍‌କଏନ୍‌ ଦ୍ୱାରା ଅର୍ଜିତ ଅବୈଧ ଟଙ୍କାକୁ ବ୍ୟବହାର କରିଛନ୍ତି। କୌଣସି ରାଜ୍ୟର ନିରପେକ୍ଷ ନିର୍ବାଚନ ପରିଚାଳନାରେ ଏହା ଗମ୍ଭୀର ପ୍ରଶ୍ନ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି।

ଭାଜପାର ଅଭିଯୋଗକୁ ସୁପ୍ରିୟା ଖଣ୍ଡନ କରିଛନ୍ତି। ଭାଇରାଲ ହେଉଥିବା ଅଡିଓ ରେକର୍ଡ ତାଙ୍କର ନୁହେଁ ବୋଲି ଏନ୍‌ସିପି(ଏସ୍‌ପି)ର ଏହି ବରିଷ୍ଠ ନେତା କହିଛନ୍ତି। ଏନେଇ ସେ ନିର୍ବାଚନ ଆୟୋଗ ଏବଂ ମହାରାଷ୍ଟ୍ର ପୋଲିସର ସାଇବର ଅପରାଧ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ମତଦାତାମାନଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ଭାଜପା ପକ୍ଷରୁ ଏହି ମିଥ୍ୟା ପ୍ରଚାର କରାଯାଉଛି ବୋଲି ସୁପ୍ରିୟା କହିଛନ୍ତି। ସେହିପରି ବୁଧବାର ଭଣ୍ଡାରା ଜିଲାରେ ନିଜ ମତାଧିକାରକୁ ସାବ୍ୟସ୍ତ କରିବା ପରେ ମହାରାଷ୍ଟ୍ର ପିସିସି ସଭାପତି ପଟୋଲେ କହିଛନ୍ତି, ଏହା ଏକ ମିଥ୍ୟା ଅଭିଯୋଗ। ଏନେଇ ସେ ଆଇନଗତ ରାସ୍ତା ଆପଣାଇବେ। ଜଣେ କୃଷକ ହୋଇଥିବାରୁ ବିଟ୍‌କଏନ୍‌ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ଅଡିଓ କ୍ଲିପ୍‌ରେ ଯେଉଁ ସ୍ବର ରହିଛି, ତାହା ତାଙ୍କର ନୁହେଁ। ଅଭିଯୋଗ ଆଣିଥିବା ଭାଜପା ନେତା ସୁଧାଂଶୁ ତ୍ରିବେଦୀ ଓ ପୂର୍ବତନ ଆଇପିଏସ୍‌ ଅଧିକାରୀ ରବୀନ୍ଦ୍ରନାଥ ପାଟିଲଙ୍କ ବିରୋଧରେ ସେ ଖୁବ୍‌ଶୀଘ୍ର ମାନହାନି ମକଦ୍ଦମା ଦାଏର କରିବେ।

The post ମହାରାଷ୍ଟ୍ର ନିର୍ବାଚନରେ ବିଟ୍‌କଏନ୍‌ ବିବାଦ appeared first on Dharitri Odia News.