ମା’ ଙ୍କ ପୀଠକୁ ଯାଉଥିଲେ ପୁରା ପରିବାର, ଅଧା ବାଟରେ ଘଟିଲା ବଡ଼ ଅଘଟଣ
ଭଞ୍ଜନଗର: ମା’ ଙ୍କ ପୀଠକୁ ଆଉ ଅଳ୍ପ ଦୂର ରାସ୍ତା ଥିଲା । ସେଠାରେ ପହଞ୍ଚି ସନ୍ତାନର ମାନସିକ ପୂଜା ଓ ଭୋଜିଭାତ ଆୟୋଜନ ହୋଇଥାନ୍ତା । ହେଲେ ଭଗବାନ କି’ ଦଣ୍ଡ ଦେଲେ କେଜାଣି ଅଧା ରାସ୍ତାରେ ଗାଡି ଓଲଟି ପଡ଼ିଲା । ତା’ ପରେ ମୁଁ ଆଉ କିଛି ଜାଣିନି । ଏବେ ଦେଖିଲା ବେଳକୁ, ମେଡିକାଲରେ ପଡିଛି । ଏ ହେଉଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସୋରଡା – ଭଞ୍ଜନଗର […] The post ମା’ ଙ୍କ ପୀଠକୁ ଯାଉଥିଲେ ପୁରା ପରିବାର, ଅଧା ବାଟରେ ଘଟିଲା ବଡ଼ ଅଘଟଣ appeared first on KNews Odisha.

ଭଞ୍ଜନଗର: ମା’ ଙ୍କ ପୀଠକୁ ଆଉ ଅଳ୍ପ ଦୂର ରାସ୍ତା ଥିଲା । ସେଠାରେ ପହଞ୍ଚି ସନ୍ତାନର ମାନସିକ ପୂଜା ଓ ଭୋଜିଭାତ ଆୟୋଜନ ହୋଇଥାନ୍ତା । ହେଲେ ଭଗବାନ କି’ ଦଣ୍ଡ ଦେଲେ କେଜାଣି ଅଧା ରାସ୍ତାରେ ଗାଡି ଓଲଟି ପଡ଼ିଲା । ତା’ ପରେ ମୁଁ ଆଉ କିଛି ଜାଣିନି । ଏବେ ଦେଖିଲା ବେଳକୁ, ମେଡିକାଲରେ ପଡିଛି । ଏ ହେଉଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସୋରଡା – ଭଞ୍ଜନଗର ରାସ୍ତାର କୁଲାଙ୍ଗି ଗାଁ ନିକଟ ମୁଖ୍ୟ ରାସ୍ତା କଡ଼ରେ ଘଟିଥିବା ଦୁର୍ଘଟଣାରେ ଆହତ ମହିଳାଙ୍କ ପ୍ରତିକ୍ରିୟା ।
ଏପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ହସ୍ପିଟାଲ ପରିସର । ପୁଅକୁ ହରାଇ ପାଗଳ ପ୍ରାୟ କାନ୍ଦୁଛି ମା’ । ଭୋଜିଭାତ ପାଇଁ ମା’ଙ୍କ ପୀଠକୁ ବେଶ ଖୁସି ମନରେ ଯାଉଥିଲେ ପରିବାର ଲୋକେ । କିନ୍ତୁ କିଏ ଜାଣିଥିଲା ରାସ୍ତାରେ ଏତେ ବଡ଼ ଅଘଟଣ ଘଟିଯିବ । କ୍ଷଣକରେ ଓଲଟ ପାଲଟ ହୋଇଗଲା ସବୁକିଛି । ଅକାଳରେ ଚାଲିଗଲା ଦୁଇ ଦୁଇଟି ଅମୂଲ୍ୟ ଜୀବନ । ଏପଟେ ଅନେକ ଆହତ ଓ ଗୁରୁତର । ସୂଚନା ଅନୁଯାୟୀ, ମାଲବାହୀ ପିକଅପ୍ ଭ୍ୟାନର ଚକା ଫାଟି ଯିବାରୁ ତାହା ରାସ୍ତା ଉପରେ ହିଁ ଓଲଟି ପଡିଥିଲା ।
ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ ସୋରଡ଼ା ଥାନା ଅନ୍ତର୍ଗତ ବାଘଲିଙ୍ଗି ଗାଁର ଚନ୍ଦ୍ରମା ଗୈାଡ ଏବଂ ବାଦଲ ଗୈାଡ । ମୃତକ ଏବଂ ଆହତ ମାନେ ବାଘଲିଙ୍ଗି ଗାଁର ଗୋଟିଏ ପରିବାରର ଏବଂ ତାଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।
ଖବର ପାଇ ଗାଙ୍ଗପୁର ଥାନା ପୋଲିସ ଘଟଣାସ୍ଥଳ ଏବଂ ଭଞ୍ଜନଗର ମେଡିକାଲରେ ପହଞ୍ଚିଥିଲେ । ଏହାସହ ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଏବଂ ଉପଜିଲ୍ଲାପାଳ ଉମାଶଙ୍କର ବେହେରା ପହଞ୍ଚି ଆହତଙ୍କ ଚିକିତ୍ସା ବାବଦରେ ଅନୁଧ୍ୟାନ କରିଥିଲେ । ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଏବଂ ଆହତଙ୍କ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ଉପଜିଲ୍ଲାପାଳ । ସୂଚନା ଅନୁଯାୟୀ ସଂପୃକ୍ତ ପିକଅପ୍ ଭ୍ୟାନରେ ପ୍ରାୟ ୨୫ ରୁ ୩୦ ଜଣ ଯାତ୍ରୀ ରହିଥିବା ଜଣା ପଡ଼ିଛି ।
ଅନ୍ୟପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ମାନସିକ ପୂରଣ ପାଇଁ ମାଆଙ୍କ ପାଖକୁ ଯାଉଥିଲେ । ହେଲେ କିଏ ଜାଣିଥିଲା ଏମିତି ଅଧାବାଟରେ ଛକି ବସିଥିବ ଯମ । ଏଭଳି ଦୁର୍ଘଟଣା ପାଇଁ ଆଜି ଉଛନ୍ନ ହୋଇଯାଇଛି ଏକ ପରିବାର । ଅନ୍ୟପଟେ ସହଜରେ ଏହି ଦୁଃଖଦ ଘଟଣାକୁ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ଏବଂ ସ୍ଥାନୀୟ ବାସିନ୍ଦା । ଏନେଇ ସମଗ୍ର ଅଞ୍ଚଳରେ ଏକ ପ୍ରକାରର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Also read: ୪ ବର୍ଷର ଶିଶୁ ପୁତ୍ରକୁ ଅପହରଣ କଲା ଧରମ ମାମୁଁ, ତିନି ଘଣ୍ଟା ଭିତରେ ଅଭିଯୁକ୍ତକୁ ଧରିଲା ପୋଲିସ
The post ମା’ ଙ୍କ ପୀଠକୁ ଯାଉଥିଲେ ପୁରା ପରିବାର, ଅଧା ବାଟରେ ଘଟିଲା ବଡ଼ ଅଘଟଣ appeared first on KNews Odisha.