ମା' ତାରିଣୀଙ୍କ ୮୮ତମ ଚଇତି ପର୍ବ

ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଘଟଗାଁ ଅଞ୍ଚଳ।

ମା' ତାରିଣୀଙ୍କ ୮୮ତମ ଚଇତି ପର୍ବ

କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା' ତାରିଣୀଙ୍କ ପୀଠରେ ପାଳିତ ହେଉଛି ୮୮ ତମ ଚଇତି ପର୍ବ। ଏହି ଚଇତି ପର୍ବ ୭ ଦିନ ଧରି ପାଳନ କରାଯାଉଥିବା ବେଳେ ଆଜି ପର୍ବର ତୃତୀୟ ଦିନ। ଆଜି ସକାଳୁ ମା' ତାରିଣୀଙ୍କୁ ବିଶେଷ ପୂଜା ନୀତି ସହ ମାର୍ଜଣା, ମଙ୍ଗଳ ଆଳତି, ମହାସ୍ନାନ, ବଡ଼ସିଂହାର ବେଶ ସହ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ମା' ସୁନାବେଶରେ ସୁସଜ୍ଜିତ ହୋଇଥିଲେ।

ଚଇତି ପର୍ବ ପାଇଁ ଶଙ୍ଖ, ହୁଳହୁଳି, ଯୋଡ଼ି ନାଗରା ଓ ମହୁରୀ ଶବ୍ଦରେ ଉଛୁଳି ପଡୁଛି ମା'ଙ୍କ ବେଢା। ମନ୍ଦିର ପରିସରରେ ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ ଆଦି ପ୍ରତ୍ୟେହ ଅନୁଷ୍ଠିତ ହେଉଛି। ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଘଟଗାଁ ଅଞ୍ଚଳ।

କେଉଁ ଆବାହନ କାଳରୁ ମା’ ଶାଳବଣରେ ପୂଜା ପାଇ ଆସୁଥିବ ବେଳେ ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ପାଳିତ ହେଉଛି ମା’ଙ୍କ ଏହି ଚଇତି ପର୍ବ। ଚଇତି ପର୍ବରେ ମା’ ତାରିଣୀ ୭ ଦିନ ଧରି ସୁନାବେଶରେ ଭକ୍ତକୁ ଦର୍ଶନ ଦେଇଥା’ନ୍ତି।

ପ୍ରତ୍ୟେକ ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତମାନଙ୍କ ଭିଡ଼ ମଧ୍ୟ ମା'ଙ୍କ ପୀଠରେ ଲାଗି ରହିଛି। ଏଥିସହ ମା’ ତାରିଣୀଙ୍କ ସାସ୍କୃତିକ ମଣ୍ଡପର ବହୁ ସୁନାମଧନ୍ୟ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।