ମା’ ଧରିତ୍ରୀ
ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍ଫରେନ୍ସ ଅଫ୍ ପାର୍ଟିଜ୍(କପ୍୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ ଏହି ରାଷ୍ଟ୍ରର ଦୁଇ ତୃତୀୟାଂଶ ତୈଳ ଓ ପ୍ରାକୃତିକ ବାଷ୍ପ ସମ୍ପଦରେ ସମୃଦ୍ଧ। ପର୍ଯ୍ୟାପ୍ତ ଜୀବାଶ୍ମ ଇନ୍ଧନ ସୃଷ୍ଟି କରୁଥିବାରୁ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବଢ଼ାଇବା ଦିଗରେ ଏହାର ଯୋଗଦାନ ରହିଛି। ସବୁଜ ପୃଥିବୀର ପରିପନ୍ଥୀ ହେଉଛି ଜୀବାଶ୍ମ ଇନ୍ଧନ ବ୍ୟବହାର। ତେଣୁ ପୃଥିବୀ ଓ ପରିବେଶ ସୁରକ୍ଷିତ […] The post ମା’ ଧରିତ୍ରୀ appeared first on Dharitri Odia News.
ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍ଫରେନ୍ସ ଅଫ୍ ପାର୍ଟିଜ୍(କପ୍୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ ଏହି ରାଷ୍ଟ୍ରର ଦୁଇ ତୃତୀୟାଂଶ ତୈଳ ଓ ପ୍ରାକୃତିକ ବାଷ୍ପ ସମ୍ପଦରେ ସମୃଦ୍ଧ। ପର୍ଯ୍ୟାପ୍ତ ଜୀବାଶ୍ମ ଇନ୍ଧନ ସୃଷ୍ଟି କରୁଥିବାରୁ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ବଢ଼ାଇବା ଦିଗରେ ଏହାର ଯୋଗଦାନ ରହିଛି। ସବୁଜ ପୃଥିବୀର ପରିପନ୍ଥୀ ହେଉଛି ଜୀବାଶ୍ମ ଇନ୍ଧନ ବ୍ୟବହାର। ତେଣୁ ପୃଥିବୀ ଓ ପରିବେଶ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ନେଇ ହେଉଥିବା କପ୍ ସମ୍ମିଳନୀ ଗତ ବର୍ଷ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଓ ଏ ବର୍ଷ ଆଜରବୈଜାନରେ ଆୟୋଜନ କରାଯିବା ପୃଥିବୀବ୍ୟାପୀ ପରିବେଶପ୍ରେମୀଙ୍କୁ ତାଚ୍ଛଲ୍ୟ କଲାଭଳି ମନେହେଉଛି। ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ବୁକର ପୁରସ୍କାର ବିଜେତା ସାମାନ୍ଥା ହାର୍ଭେ ତାଙ୍କ ପୁସ୍ତକ ‘ଅର୍ବିଟାଲ’ ପାଇଁ ବିଶ୍ୱବିଖ୍ୟାତ ଉପାଧି ପାଇବା ଅବସରରେ ଭାଷଣରେ କହିଥିଲେ, “ଆଜି ଆମେ ପୃଥିବୀକୁ ଯାହା କରୁଛେ, ତାହା ଆମେ ନିଜ ଉପରେ କରୁଛେ”।
ଭାରତୀୟମାନଙ୍କୁ ପରିବେଶ ବିଷୟରେ ବୁଝିବା ପାଇଁ କୌଣସି ବାହ୍ୟ ଦେଶକୁ ଦେଖିବାର ପ୍ରୟୋଜନ ନାହିଁ। କେନ୍ଦ୍ର ସରକାର, ଖୋଦ୍ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ସମ୍ପୂର୍ଣ୍ଣ ଜାତୀୟ କ୍ୟାବିନେଟ୍ ସହିତ ସବୁ ବିଦେଶୀ ଦୂତାବାସ, ସୁପ୍ରିମକୋର୍ଟର ପ୍ରତ୍ୟେକ ବିଚାରପତି ଏବଂ ଆମ ଦେଶର ଅଧିକାଂଶ ଶିଳ୍ପପତି ଓ ବ୍ୟବସାୟୀ ଦିଲ୍ଲୀରେ ବିରାଟକାୟ ବାସଭବନରେ ରହୁଛନ୍ତି। ଏହିସବୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଦିଲ୍ଲୀର ଅସମ୍ଭାଳ ସ୍ତରର ପ୍ରଦୂଷଣ କୌଣସି ଭାବରେ ପ୍ରଭାବିତ କରୁଥିବା ଭଳି ମନେ ହେଉନାହିଁ। ଦିଲ୍ଲୀର ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇପଡ଼ିଥିବା ବେଳେ ଭାରତର ଅଧିକାଂଶ ସହରାଞ୍ଚଳ ସବୁପ୍ରକାର ପ୍ରଦୂଷଣରେ ଶ୍ୱାସରୁଦ୍ଧ ହୋଇଗଲେଣି। ବିପଦକୁ ବୁଝିପାରୁ ନ ଥିବା ହେତୁ ଭାରତର କୋଣ ଅନୁକୋଣରେ ଥିବା ଗ୍ରାମାଞ୍ଚଳରେ ମଧ୍ୟ ପ୍ଲାଷ୍ଟିକ୍ ଓ ଅଭୂତପୂର୍ବ ରାସାୟନିକ ପଦାର୍ଥର ବ୍ୟବହାର ମାରାତ୍ମକ ସ୍ଥିତି ସୃଷ୍ଟି କଲାଣି।
ଆମେ ଓଡ଼ିଶାବାସୀ କୌଣସି ଭାବରେ ପଛରେ ରହିଯାଇନାହୁଁ। ପ୍ରତ୍ୟେକ ବର୍ଷ ଗ୍ରୀଷ୍ମକାଳର ତାପମାତ୍ରା ଅସହ୍ୟ ସ୍ତରକୁ ଯାଉଥିବା ଦେଖି କେହି ବ୍ୟସ୍ତ ହେଲାଭଳି ମନେ ହେଉନାହିଁ। ଅର୍ଥନୈତିକ ସ୍ଥିତି ଅନୁଯାୟୀ ପଙ୍ଖା ତଳେ ନ ହେଲେ ଏୟାର୍କଣ୍ଡିଶନର ସାମ୍ନାରେ ବସିପଡ଼ିଲେ ସମସ୍ୟା ଅଳ୍ପ ସମୟ ପାଇଁ ଦୂର ହୋଇଯାଉଛି। ସ୍ବାଭାବିକ ମୌସୁମୀ ପରିବର୍ତ୍ତେ ଏବେ କେବଳ ଲଘୁଚାପରୁ ବର୍ଷା ଆଶା କରାଯାଇପାରୁଛି। ପର୍ବପର୍ବାଣି ସହିତ ଜଡ଼ିତ ଚାଷକାର୍ଯ୍ୟକୁ ଭିନ୍ନ ସମୟରେ କାର୍ଯ୍ୟକାରୀ କରାଇବା ପାଇଁ ଚାଷୀ ବାଧ୍ୟ ହେଉଛି। ପୃଥିବୀର ୧୦ଟି ସର୍ବାଧିକ ତାପମାତ୍ରା ସ୍ଥାନର ତାଲିକା ଦେଖିଲେ ସେଥିରୁ ୪ଟି ଓଡ଼ିଶା ଓ ଆଖପାଖ ଅଞ୍ଚଳର ବୋଲି ଜଣାପଡ଼େ। ଏଭଳି ପ୍ରାକୃତିକ ବିପଦ ସୃଷ୍ଟି ହେଉଥିବାବେଳେ ଓଡ଼ିଶାର ଗଣମାଧ୍ୟମ ଏକ ସମ୍ପୂର୍ଣ୍ଣ ଭିନ୍ନ ବାଟ ଧରିବାକୁ ଚେଷ୍ଟା କରୁଛି। ଜୁଆର ମାଡ଼ିଆସିବ, ବାତ୍ୟା ମାଡ଼ିଆସୁଛି, ସବୁ ଧୋଇନେବ, ଭୀଷଣ ବେଗରେ ପବନ ବହି ଘରଦ୍ୱାର ଭାଙ୍ଗିଦେବା ଭଳି ଅନେକ ଭୟ ଉଦ୍ରେକକାରୀ ଶିରୋନାମାରେ ଖବର ପ୍ରସାର କରି ଜନସାଧାରଣଙ୍କୁ ବାଉଳା କରୁଛନ୍ତି। ଯାହା କ୍ଷତି ଘଟୁଛି, ସେଥିପାଇଁ କେହି ପ୍ରସ୍ତୁତ ଥିଲାଭଳି ଜଣାପଡୁନାହିଁ। ଏଥିପାଇଁ ଗଣମାଧ୍ୟମ ଉପରେ ବିଶ୍ୱାସ ମଧ୍ୟ କମିଯାଉଛି। କିଛି ସମୟ ପାଇଁ ଟେଲିଭିଜନ ଚ୍ୟାନେଲର ଟିଆର୍ପି ବଢ଼ିଯାଇପାରେ କିମ୍ବା ଖବରକାଗଜ ବିକ୍ରି ବୃଦ୍ଧି ପାଇପାରେ, କିନ୍ତୁ ତାହା ଦୀର୍ଘସ୍ଥାୟୀ ହେଉ ନାହିଁ। ଗଣମାଧ୍ୟମର ଦାୟିତ୍ୱ କେବଳ ନକଲ କରି ନିଜର ପ୍ରସାର ବଢ଼ାଇବାରେ ସୀମିତ ହୋଇଗଲେ ତାହା ସାମାଜିକ କ୍ଷତି ଘଟାଉଛି। ଯେତେବେଳେ ହାତୀ ମୃତ୍ୟୁ ଘଟୁଛି, ସେତେବେଳେ ସେହି ସ୍ଥାନକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସମୟ ରହୁନାହିଁ। କିନ୍ତୁ ପୋଲିସକୁ ସାହାଯ୍ୟ କରିବାକୁ ଯାଇ ଗଣମାଧ୍ୟମର ପ୍ରତିନିଧିମାନେ ଏକଜୁଟ ହେବା ସହିତ ଜିଲା ପୋଲିସର ଜିନ୍ଦାବାଦ କରିବାକୁ ଆଗେଇ ଆସିବା ସମସ୍ତଙ୍କୁ ଲଜ୍ଜାରେ ପକାଉଛି।
ଏହା ସ୍ବୀକାର କରିବାକୁ ହେବ ଯେ, ବ୍ୟକ୍ତିବିଶେଷ ସହଯୋଗ କରିପାରେ। ସେହିଭଳି ସରକାର ଏବଂ ଶିଳ୍ପୋଦ୍ୟୋଗୀମାନଙ୍କ ସହଯୋଗରେ ପରିବେଶ ସୁରକ୍ଷିତ ରଖିବା ସମ୍ଭବପର ହୋଇପାରେ। ହେଲେ ସେମାନଙ୍କ ଅସହଯୋଗ ହେତୁ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପଟେ ଆମେ ପଲେ ଜନସାଧାରଣ ସରକାରୀ ନିର୍ଦ୍ଦେଶରେ ଏପାଖସେପାଖ ହେଉଛୁ, ୟାକୁତାକୁ ସଂଯୋଗ କରାଉଛୁ। ସେଭଳି କାର୍ଯ୍ୟରେ ସର୍ବଦା ଲିପ୍ତ ରହୁଥିବାରୁ ମା’ ଧରିତ୍ରୀକୁ ଅବହେଳା କରିଦେଉଛୁ। ଏହି ଅଣଦେଖା ଚରିତ୍ର ଆମ ସମସ୍ତଙ୍କ ଆସନ୍ତାକାଲିର ପିଢ଼ିକୁ ଅନେକ କଷ୍ଟ ଓ ଦୁଃଖ ଦେଇପାରେ।
The post ମା’ ଧରିତ୍ରୀ appeared first on Dharitri Odia News.