ମା ଫଳେଷୁ କଦାଚନ

ହିନ୍ଦୀରେ ଏକ ବହୁଳ ପ୍ରଚଳିତ ପ୍ରବାଦ ରହିଛି, ଯାହାର ଓଡ଼ିଆ ଭାବାର୍ଥ ହେବ – ସମୟ ପୂର୍ବରୁ ଓ ଭାଗ୍ୟଠାରୁ ବଳି ଅଧିକ କିଛି ସମ୍ଭବ ନୁହେଁ। ଏହାର ବାସ୍ତବ ଓ ସଦ୍ୟତମ ଉଦାହରଣ ରୂପେ ଭିନେଶ୍‌‌ ଫୋଗଟ୍‌‌ଙ୍କୁ ନିଆଯାଇପାରେ। ସାମର୍ଥ୍ୟ, ପ୍ରତିଭା, ଦକ୍ଷତା, କୌଶଳ, ପରିଶ୍ରମ, ନିଷ୍ଠା ସବୁକିଛି ଯେ ସମୟର ଶକ୍ତି ଓ ଭାଗ୍ୟଚକ୍ର ଆଗରେ ବଳହୀନ, ତାହା ପୁଣି ଥରେ ପ୍ରମାଣିତ ହୋଇଛି ଭିନେଶ୍‌‌ଙ୍କ କ୍ଷେତ୍ରରେ। ବିଶ୍ୱର ଅପ୍ରତିଦ୍ୱନ୍ଦ୍ୱୀ ଅପରାଜେୟ ଜାପାନ୍‌‌ର କୁସ୍ତି […]

ମା ଫଳେଷୁ କଦାଚନ
sakala editorial

ହିନ୍ଦୀରେ ଏକ ବହୁଳ ପ୍ରଚଳିତ ପ୍ରବାଦ ରହିଛି, ଯାହାର ଓଡ଼ିଆ ଭାବାର୍ଥ ହେବ – ସମୟ ପୂର୍ବରୁ ଓ ଭାଗ୍ୟଠାରୁ ବଳି ଅଧିକ କିଛି ସମ୍ଭବ ନୁହେଁ। ଏହାର ବାସ୍ତବ ଓ ସଦ୍ୟତମ ଉଦାହରଣ ରୂପେ ଭିନେଶ୍‌‌ ଫୋଗଟ୍‌‌ଙ୍କୁ ନିଆଯାଇପାରେ। ସାମର୍ଥ୍ୟ, ପ୍ରତିଭା, ଦକ୍ଷତା, କୌଶଳ, ପରିଶ୍ରମ, ନିଷ୍ଠା ସବୁକିଛି ଯେ ସମୟର ଶକ୍ତି ଓ ଭାଗ୍ୟଚକ୍ର ଆଗରେ ବଳହୀନ, ତାହା ପୁଣି ଥରେ ପ୍ରମାଣିତ ହୋଇଛି ଭିନେଶ୍‌‌ଙ୍କ କ୍ଷେତ୍ରରେ। ବିଶ୍ୱର ଅପ୍ରତିଦ୍ୱନ୍ଦ୍ୱୀ ଅପରାଜେୟ ଜାପାନ୍‌‌ର କୁସ୍ତି ଯୋଦ୍ଧା ୟୁଇ ସୁସାକିଙ୍କୁ ପ୍ରଥମ ମୁକାବିଲାରେ ହିଁ ଭୂପତିତ କରିଦେଇଥିବା ଭିନେଶ୍‌‌ ଯେଭଳି ଭାବେ ନିଶ୍ଚିତ ସ୍ୱର୍ଣ୍ଣ ପଦକ କିମ୍ବା ରୌପ୍ୟ ପଦକରୁ ଅନ୍ତିମ ମୁହୂର୍ତ୍ତରେ ବିବାଦୀୟ ପରିସ୍ଥିତିରେ ଅବିଶ୍ୱସନୀୟ ଓ ଅପ୍ରତ୍ୟାଶିତ ଭାବେ ବାଦ୍‌‌ ପଡ଼ିଲେ, ତାହା କେବଳ ଭାରତକୁ ନୁହେଁ ବିଶ୍ୱ କ୍ରୀଡ଼ା ଜଗତକୁ ବିଷର୍ଣ୍ଣ କରିଛି। କ୍ରୀଡ଼ା ନ୍ୟାୟାଳୟରୁ ଯେଉଁ ଶେଷ ଆଶାଟିକକ ଭାରତବାସୀ ଚାହିଁ ବସିଥିଲେ ସେଥିରୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ନ୍ୟାୟାଳୟ ତାଙ୍କ ରାୟରେ ସ୍ପଷ୍ଟ କରିଦେଇଛନ୍ତି ଯେ ନୀତିନିୟମ କାହା ପାଇଁ କୌଣସି ପରିସ୍ଥିତିରେ ମଧ୍ୟ କୋହଳ କିମ୍ବା ଉଲ୍ଲଙ୍ଘନ କରାଯାଇପାରିବ ନାହିଁ। ଏହି ନିୟମ, ଶୃଙ୍ଖଳା ଓ କଟକଣା ଆଧାରରେ ଟୋକିଓ ପାରା ଅଲିମ୍ପିକ୍‌‌ରେ ଭାରତର ସ୍ୱର୍ଣ୍ଣପଦକ ବିଜେତା ପ୍ରମୋଦ ଭଗତ ମଧ୍ୟ ଆସନ୍ତା ପ୍ୟାରିସ୍‌‌ ପାରା ଅଲିମ୍ପିକ୍‌‌ରୁ ବାଦ୍‌‌ ପଡ଼ିଛନ୍ତି।

ମହାମନୀଷୀମାନେ କହିଯାଇଛନ୍ତି ପରିଶ୍ରମର ଫଳ କେବେ ବୃଥା ଯାଏନି, କଷ୍ଟ କଲେ କୃଷ୍ଣ ମିଳେ, ଅପେକ୍ଷାର ଫଳ ମିଠା ହୋଇଥାଏ ଇତ୍ୟାଦି। କିନ୍ତୁ ଭିନେଶ୍‌‌ଙ୍କୁ ଏକ ଚରିତ୍ର ରୂପେ ରଖି ଏକ ରଙ୍ଗମଞ୍ଚର ଅବତାରଣା କରାଗଲେ ଉପରୋକ୍ତ ଆପ୍ତବାକ୍ୟଗୁଡ଼ିକ କେତେ ଯୁକ୍ତିଯୁକ୍ତ ତାହା ବିଚାରସାପେକ୍ଷ। ଭିନେଶ୍‌‌ଙ୍କ ପରିଶ୍ରମ, ଅଭ୍ୟାସ, କୁସ୍ତି କ୍ରୀଡ଼ା ପ୍ରତି ନିଷ୍ଠା, ପଦକ ଜିଣିବାର ଅଙ୍ଗୀକାରବଦ୍ଧତା ଯେ ପ୍ରଶ୍ନାତୀତ ଥିଲା ତାହା ତାଙ୍କ ତଥାକଥିତ ଶତ୍ରୁମାନେ ମଧ୍ୟ ସ୍ୱୀକାର କରିବେ। କିନ୍ତୁ ଯେଭଳି ଭାବେ ତାଙ୍କୁ ମାନବକୃତ ବିବାଦ, ପରିସ୍ଥିତି ଓ ସମସ୍ୟାରେ ଛନ୍ଦି ଦିଆଗଲା ସେଥିପାଇଁ ଦାୟୀ କିଏ? ଭିନେଶ୍‌‌ଙ୍କ ଘଟଣାବହୁଳ ସଂଘର୍ଷମୟ ଜୀବନ, ସଫଳତା, ବିଫଳତା ବିଷୟରେ ଆମେ ଏ ସ୍ତମ୍ଭରେ ପୂର୍ବରୁ ଆଲୋଚନା କରିସାରିଛୁ। ତେଣୁ ଭିନେଶ୍‌‌ଙ୍କ ଯୋଗ୍ୟତା ଅର୍ଜନରେ ବିଫଳତା ପାଇଁ ନିର୍ଦ୍ଦିଷ୍ଟ ଭାବେ ଦୁଇ/ତିନିଜଣଙ୍କୁ ଦାୟୀ ନ କରି ସାମଗ୍ରିକ ଭାବେ ପୂର୍ବଘଟଣାଚକ୍ରକୁ ନିର୍ଣ୍ଣାୟକ ବା ଫଳ ନିର୍ଦ୍ଧାରଣକାରୀ କାରକ ଭାବରେ ବର୍ଣ୍ଣନା କରାଯାଇପାରେ। ଦୀର୍ଘ ମାସ ଧରି ନିଷ୍ଠୁର ଶାରୀରିକ ଓ ମାନସିକ ନିର୍ଯାତନା ଭିତରେ ଶେଷମୁହୂର୍ତ୍ତରେ ଅଲିମ୍ପିକ୍‌‌ରେ ଭାଗ ନେବାର ସୁଯୋଗ ପାଇ ମଧ୍ୟ ସେ ଯେଭଳି ଭାବେ ପରିସ୍ଥିତିର ଶିକାର ହେଲେ ସେଥିପାଇଁ ଭୌତିକ ଓ ବସ୍ତୁବାଦୀ ମତାନୁଯାୟୀ ଭିନେଶ୍‌‌ଙ୍କୁ ଦାୟୀ କରାଯାଇପାରେ। କିନ୍ତୁ ଭିନ୍ନ ଦୃଷ୍ଟିକୋଣରୁ ଭାଗ୍ୟବାଦୀମାନଙ୍କ ଯୁକ୍ତି ଅଧିକ ଗ୍ରହଣୀୟ ମନେ ହୁଏ।

ଯଦି ପଦକରୁ ବଞ୍ଚିତ ହେବା ପାଇଁ ଭିନେଶଙ୍କ ବ୍ୟକ୍ତିଗତ ବିଫଳତା ହିଁ ଦାୟୀ, ତେବେ ବାହୁବଳୀ ପ୍ରତିପତ୍ତିଶାଳୀ ରାଜନେତା ତଥା ତତ୍କାଳୀନ ଭାରତୀୟ କୁସ୍ତିସଂଘର ସର୍ବେସର୍ବା ବ୍ରିଜ ଭୂଷଣ ଶରଣ ସିଂହଙ୍କ ଯୌନ ଉତ୍ପୀଡ଼ନକୁ ବିରୋଧ କରି ନ୍ୟାୟ ପାଇଁ ରାଜଧାନୀର ଖୋଲା ଆକାଶ ତଳେ ଧାରଣା ଦେବା, ପରିସ୍ଥିତି ଓ ବ୍ୟବସ୍ଥା ସହିତ ସାଲିସ୍‌‌ ନ କରିବା କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତ ପାଇଁ ପଦକ ଜିତିଥିବା ଯୋଦ୍ଧା ଭାବରେ ଅନ୍ୟାୟ ଅନ୍ୟାଚାର ଆଗରେ ପରାଜୟ ସ୍ୱୀକାର ନ କରିବା ବୋଧହୁଏ ତାଙ୍କର ଭୁଲ୍‌‌ ଥିଲା। ନିଷ୍ଠୁର ଓ ନଗ୍ନ ସତ୍ୟ ହେଲା ବ୍ରିଜ୍‌‌ ଭୂଷଣଙ୍କ ବିରୋଧରେ ଭିନେଶ ଓ ତାଙ୍କ ସତୀର୍ଥମାନେ ଆଣିଥିବା ଗୁରୁତର ଅଭିଯୋଗର ତଦନ୍ତ କରିବା ବଦଳରେ ସମଗ୍ର ବ୍ୟବସ୍ଥା ଯେପରି ତାଙ୍କୁ ସମର୍ଥନ କଲା ସେଥିରେ ଭାରତର ମାନ ସମ୍ମାନ ତ କ୍ଷୁଣ୍ଣ ହେଲା, ତା’ସହିତ ଏକ ନିଶ୍ଚିତ ଅଲିମ୍ପିକ ପଦକ ବିଜୟ ଗୌରବରୁ ଭିନେଶ ଓ ଦେଶବାସୀ ବଞ୍ଚିତ ହେଲେ। ଏହି ଏକାଦି ଘଟଣାକ୍ରମ ସଙ୍କେତ ଦେଉଛି ଯେ ଶାସନ ପ୍ରଶାସନକୁ କରାଗତ କରି ରଖିଥିବା ବାହୁବଳୀମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କଲେ ପରିମାଣ କ’ଣ ହୁଏ।

ଭିନେଶ୍‌‌ଙ୍କ ସଂଘର୍ଷ ଜୀବନର କ୍ଷୁଦ୍ର ପରିସରରୁ ବାହାରି ଏବେ ଏକ ବୃହତ୍‌‌ ପରିଧି ବିଷୟରେ ଚିନ୍ତା କରାଯାଉ। କ୍ରୀଡ଼ା ଏଭଳି ଏକ ଅନିଶ୍ଚିତ କ୍ଷେତ୍ର, ଯେଉଁଠି ମାତ୍ର କିଛି ସେକେଣ୍ଡ ହାର-ଜିତର ନିର୍ଣ୍ଣୟ କରିବା ପାଇଁ ଯଥେଷ୍ଟ। କ୍ରୀଡ଼ା ଇତିହାସରେ ଏଭଳି ଉଦାହରଣ ବିରଳ ନୁହେଁ, ଯେଉଁଠାରେ ପ୍ରତିପକ୍ଷ ପ୍ରତିଯୋଗୀଙ୍କ ବିଫଳତା ଓ ବିବଶତା ଅନ୍ୟ ପାଇଁ ସଫଳତାର ସ୍ୱାଦ ଆଣିଦିଏ। ଅତି ସୂକ୍ଷ୍ମାତିସୂକ୍ଷ୍ମ ବ୍ୟବଧାନ ମଧ୍ୟ ନିର୍ଣ୍ଣାୟକ ହୁଏ, ଯାହା ଉପରେ କ୍ରୀଡ଼ାବିତ୍‌‌ ବା ପ୍ରତିଯୋଗୀର କର୍ତ୍ତୃତ୍ୱ ଖୁବ୍‌‌ କମ୍‌‌ ଥାଏ। ଯେତେବେଳେ ଏଭଳି ବିରଳ ବ୍ୟତିକ୍ରମମାନ ଘଟେ, ଯେଉଁଠାରେ ସର୍ବଶ୍ରେଷ୍ଠ ଦୁର୍ଜୟ ଦୁର୍ଦ୍ଧର୍ଷ ଖେଳାଳିମାନେ ଅପ୍ରତ୍ୟାଶିତ ଓ ଆଶ୍ଚର୍ଯ୍ୟଜନକ ଭାବେ ବିଫଳ ହୋଇଯାଆନ୍ତି, ସେତେବେଳେ ବିଶାରଦମାନେ ତାହାକୁ ଦୁର୍ଭାଗ୍ୟ ଭାବେ ଆଖ୍ୟାୟିତ କରନ୍ତି। ଭାରତର ସର୍ବଶ୍ରେଷ୍ଠ ଲୋକପ୍ରିୟ ଖେଳର ‘ଭଗବାନ’ ଭାବେ ବିଦିତ କ୍ରୀଡ଼ାବିତ୍‌‌ ପ୍ରାୟତଃ ନିର୍ଣ୍ଣାୟକ ବା ଚୂଡ଼ାନ୍ତ ପ୍ରତିଯୋଗିତାରେ ବିଫଳ ହେବାର ଉଦାହରଣ ଅନେକ। ତେଣୁ ଏଭଳି କ୍ଷେତ୍ରରେ ସେମାନଙ୍କ ସାମର୍ଥ୍ୟ ଓ ପାରିଦର୍ଶିତା ଅପେକ୍ଷା ଭାଗ୍ୟବାଦ ସାମ୍ନାକୁ ଆସେ। ଭିନେଶ୍‌‌ଙ୍କ କ୍ଷେତ୍ରରେ ମଧ୍ୟ ତାହା ହିଁ ଘଟିଛି। ‘ଭାଗ୍ୟ’ ତାଙ୍କ କ୍ରୀଡ଼ା ଭବିଷ୍ୟତକୁ ସମାପ୍ତ କରିଦେଇଛି। କୁସ୍ତି ତାଙ୍କୁ ହରାଇଦେଇଥିବା ସେ ଦୁଃଖ ଓ କ୍ଷୋଭର କହିଛନ୍ତି ସତ, ମାତ୍ର ସେ ସମୟ ଓ ପରିସ୍ଥିତି ଆଗରେ ହାରି ଯାଇଛନ୍ତି।

ପ୍ରାରମ୍ଭରେ କୁହାଯାଇଥିବା ଆପ୍ତବାକ୍ୟଟି ତାଙ୍କ ପାଇଁ ଏଠାରେ ଅବତାରଣା କରି କୁହାଯାଇପାରିବ ଯେ ଶତ ପରିଶ୍ରମ ସତ୍ତ୍ବେ ତାଙ୍କ ସଫଳତା ପାଇଁ ସମୟ ପ୍ରସ୍ତୁତ ନଥିଲା ଏବଂ ଭାରତକୁ ଗୌରବମଣ୍ଡିତ କରିବାର ଭାଗ୍ୟ ତାଙ୍କର ନ ଥିଲା। ଯଦି ଭିନେଶ୍‌‌ ଗୀତା ପଢ଼଼ିଥିବେ ତେବେ – ‘କର୍ମଣ୍ୟେବାଧିକାରସ୍ତୁ ମା ଫଳେଷୁ କଦାଚନ’ ବାଣୀ ତାଙ୍କର ସ୍ମରଣ ଥିବ। ସେ ତାଙ୍କ କର୍ମ ସମ୍ପାଦନରେ ହେଳା କରିଥିଲେ ବୋଲି କୁହାଯାଇପାରିବ ନାହିଁ। ବାହ୍ୟ ପରିସ୍ଥିତି ଓ ପ୍ରତିଯୋଗୀଙ୍କ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ସହିତ ସେ ନିଜେ ନିଜ ସହିତ ଲଢ଼ୁଥିଲେ। ଏହାସତ୍ତ୍ବେ ଫଳ ଉପରେ ତାଙ୍କର ଅଧିକାର ନ ଥିଲା। ଭିନେଶ୍‌‌ଙ୍କ ପାଇଁ ଏହା ବିଧିର ବିଧାନ ଥିଲା ନା ବିଡ଼ମ୍ବନା ତାହା ଜାଣିବାର ଅଧିକାର କେବଳ ସର୍ବଶକ୍ତିମାନ ‘ସମୟ’ର ହିଁ ଅଛି। n