ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ପରଲୋକ
କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି ।
କଳାହାଣ୍ଡି ଜିଲ୍ଲାର ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଦେହାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ ଇନ୍ଚାର୍ଜ ଭିସି ନିବେଦିତା ନାଥ ।
ଦୀର୍ଘଦିନ ହେବ ସଞ୍ଜୟ ଶତପଥୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେ କ୍ୟାନସରରେ ପୀଡ଼ିତ ହୋଇଥିଲେ। ଗତ ଅକ୍ଟୋବରରେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ସେବେଠୁ ସେ ଛୁଟିରେ ଥିଲେ।
ସେ କିଛି ଦିନ ହେବ ଭୁବନେଶ୍ୱରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମାତ୍ର ଡାକ୍ତରଙ୍କ ସବୁ ଉଦ୍ୟମ ସତ୍ତ୍ୱେ ସଞ୍ଜୟ ଶତପଥୀ ଆଜି ସକାଳେ ଆଖି ବୁଜିଥିବା ଜଣାଯାଇଛି।
୨୦୨୧ ମସିହାରୁ ସଞ୍ଜୟ ଶତପଥୀ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ରୂପେ ଦାୟିତ୍ୱ ଗ୍ରହଣ ନେଇଥିଲେ। ତା’ ପୂର୍ବରୁ ଭୁବନେଶ୍ୱରରେ ସେ କାର୍ଯ୍ୟରତ ଥିଲେ। ସଞ୍ଜୟ ଶତପଥୀଙ୍କ ପରିବାରରେ ପତ୍ନୀ ଓ ଜଣେ ପୁଅ ଓ ଜଣେ ଝିଅ ଥିବା ଜଣାଯାଇଛି।
ଶିକ୍ଷା ଜଗତ ପ୍ରତି ନିଜ ଅବଦାନ ନିମନ୍ତେ ୨୦୨୨ ମସିହାରେ ସଞ୍ଜୟ ଶତପଥୀଙ୍କୁ ‘ଦେବଗିରି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଶିକ୍ଷା ବ୍ୟତୀତ ସେ ଟିଭି ତଥା ରେଡିଓରେ ତଥା ଷ୍ଟେଜରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରୁଥିଲେ । ସେ ଟେଲିଭିଜନରେ ଜଣେ ଉପସ୍ଥାପକ ଭାବେ ସେ ବେଶ୍ ଜଣାଶୁଣା ଥିବା ବେଳେ ଅଲ ଇଣ୍ଡିଆ ରେଡିଓରେ ଗୀତିକାର ଓ ସଙ୍ଗୀତଜ୍ଞ ରୂପେ ବେଶ୍ ପରିଚିତ ଥିଲେ। ତାଙ୍କ ବିୟୋଗ ଅପୂରଣୀୟ କ୍ଷତି ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।