ମାଆର ମରଣ ନାହିଁ
ଆଇଜାକ୍ ବାସେଭିସ୍ ସିଙ୍ଗର ଜଣେ ପ୍ରସିଦ୍ଧ ପୋଲିସ୍-ଆମେରିକୀୟ କଥାଶିଳ୍ପୀ। ସାହିତ୍ୟ ପାଇଁ ସେ ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ୧୯୭୮ ମସିହାରେ। ସେ ଯେଉଁ ଭାଷାରେ ଲେଖାଲେଖି କରନ୍ତି, ତାହାକୁ ‘ୟିଡିସ୍’ ବୋଲି କୁହାଯାଏ। ଅନେକଙ୍କ ଧାରଣା ‘ୟିଡିସ୍’ ଏକ ମୁମୂର୍ଷୁ ଭାଷା। ନୋବେଲ ପୁରସ୍କାର ଗ୍ରହଣ ସମୟରେ ନିଜ ଭାଷା ସମ୍ପର୍କରେ ନିମ୍ନଲିଖିତ ବକ୍ତବ୍ୟ ପ୍ରଦାନ କରିଥିଲେ ସିଙ୍ଗର୍। ସେ କହିଥିଲେ – କେହିକେହି ଅଧିକାଂଶ ସମୟରେ ଏମିତି ଗୋଟିଏ ମୃତ ଭାଷାରେ […]

ଆଇଜାକ୍ ବାସେଭିସ୍ ସିଙ୍ଗର ଜଣେ ପ୍ରସିଦ୍ଧ ପୋଲିସ୍-ଆମେରିକୀୟ କଥାଶିଳ୍ପୀ। ସାହିତ୍ୟ ପାଇଁ ସେ ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ୧୯୭୮ ମସିହାରେ। ସେ ଯେଉଁ ଭାଷାରେ ଲେଖାଲେଖି କରନ୍ତି, ତାହାକୁ ‘ୟିଡିସ୍’ ବୋଲି କୁହାଯାଏ। ଅନେକଙ୍କ ଧାରଣା ‘ୟିଡିସ୍’ ଏକ ମୁମୂର୍ଷୁ ଭାଷା। ନୋବେଲ ପୁରସ୍କାର ଗ୍ରହଣ ସମୟରେ ନିଜ ଭାଷା ସମ୍ପର୍କରେ ନିମ୍ନଲିଖିତ ବକ୍ତବ୍ୟ ପ୍ରଦାନ କରିଥିଲେ ସିଙ୍ଗର୍।
ସେ କହିଥିଲେ – କେହିକେହି ଅଧିକାଂଶ ସମୟରେ ଏମିତି ଗୋଟିଏ ମୃତ ଭାଷାରେ କାହିଁକି ଲେଖାଲେଖି କରୁଛ ବୋଲି ମୋତେ ପଚାରିଥା’ନ୍ତି। ମୁଁ ସଂକ୍ଷିପ୍ତରେ ଆଉ ସରଳରେ ସେମାନଙ୍କୁ ଏହି କଥାକୁ ବୁଝାଇଥାଏ। ପ୍ରଥମରେ, ମୁଁ ଭୂତଗପ ଲେଖିବାକୁ ଭାରି ଭଲ ପାଏ ଆଉ ଭୂତଗପ ପାଇଁ ଶ୍ରେଷ୍ଠ ଜୋଡ଼ିଦାର ତ ଗୋଟିଏ ମରଣଶୀଳ ଭାଷା, ଆପଣ ଜାଣନ୍ତି। ଭାଷାଟି ଯେତିକି ଯେତିକି ମରଣଆଡ଼କୁ ଆଗେଇ ଯାଉଥିବ ଆମ ଭୂତର ଦିହ ସେତିକି ସେତିକି ସବଳ ହେଉଥିବ। ଭୂତମାନେ ‘ୟିଡିସ୍’ ଭାଷାକୁ ଭାରି ଭଲ ପାଆନ୍ତି ଆଉ ମୁଁ ଯେତିକି ଜାଣେ ସେମାନେ ସବୁ ସେଇ ଭାଷାରେ ହିଁ କଥାବାର୍ତ୍ତା କରୁଥା’ନ୍ତି।
ଦ୍ୱିତୀୟରେ, ମୁଁ ଖାଲି ଭୂତରେ ନୁହଁ, ପୁନର୍ଜନ୍ମରେ ବି ବିଶ୍ୱାସ କରେ। ମୁଁ ନିଶ୍ଚିତ ଯେ ଦିନେ ଏକଦା ଶତସହସ୍ର ‘ୟିଡିସ୍’ ଭାଷାରେ କଥା କହୁଥିବା ଶବମାନେ ନିଜନିଜ କବରରୁ ଉଠିଆସିବେ ଆଉ ସେଇଠୁ ଉଠିଆସିବା ପରେ ତାଙ୍କର ପ୍ରଥମ ପ୍ରଶ୍ନ ହେବ – ‘ୟିଡିସ୍’ରେ ପଢ଼଼ିବା ପାଇଁ ନୂଆ କ’ଣ ବହି ବାହାରିଛି? ସେମାନଙ୍କ ପାଇଁ ‘ୟିଡିସ୍’ ଭାଷାର ମରଣ ନାହିଁ। ତୃତୀୟରେ, ଗତ ୨୦୦୦ ବର୍ଷ ଧରି ‘ହିବ୍ରୁ’ ଭାଷାକୁ ଏକ ମୃତଭାଷା ବୋଲି କୁହାଯାଉଥିଲା। ହଠାତ୍ ଏଇ ଭାଷାଟି ଢେର୍ ସକ୍ରିୟ ହୋଇ ଉଠିଲା। ‘ହିବ୍ରୁ’ ଭାଷା କ୍ଷେତ୍ରରେ ଯାହା ହୋଇଛି ‘ୟିଡିସ୍’ କ୍ଷେତ୍ରରେ ସେମିତି ଦିନେ ହେବ ବୋଲି ମୋର ଧାରଣା।(ଯଦିଓ ଏ ପ୍ରକାର ଅଲୌକିକତାଟି କ’ଣ ଏବଂ ତାହା କେମିତି ଘଟିଗଲା ତାହା ବିଷୟରେ ମୋର ସାମାନ୍ୟତମ ଧାରଣା ନାହିଁ)। ଏହାସହିତ ‘ୟିଡିସ୍’ ଭାଷାକୁ ପରିତ୍ୟାଗ ନ କରିବା ପଛରେ ଗୋଟିଏ ଚତୁର୍ଥ ଆଉ ଗୌଣ କାରଣ ରହିଛି। ସେଇଟି ହେଉଛି ଏଇଟି ଗୋଟିଏ ବୋଲି ଭାଷା, ଯାହାକୁ ମୁଁ ଭଲଭାବରେ ଜାଣିଛି। ‘ୟିଡିସ୍’ ମୋର ମାଆର ଭାଷା ଆଉ ମାଆର ତ କେବେହେଲେ ମରଣ ନାହିଁ।
‘ମାଆର ତ କେବେହେଲେ ମରଣ ନାହିଁ।’ ଏଇ ଉପରର ଧାଡ଼ିଟିକୁ ଅନୁବାଦ କଲା ବେଳେ ଜାଣେ ନାହିଁ କାହିଁକି ଉପସ୍ଥିତ ଲେଖକର ଆଖି ଦୁଇଟି ଛଳଛଳ ହୋଇଗଲା। ଆଇଜାକ୍ ବାସେଭିସ୍ ସିଙ୍ଗର ଯେଉଁଟି ଚତୁର୍ଥ ଓ ଗୌଣକାରଣ ବୋଲି କହିଛନ୍ତି ସେଇଟି ହିଁ ଆମ ଭଳି କିଛି ସାଧାରଣ ଲୋକଙ୍କ ମାଆକୋଳରେ ରହି ଚିର ବଳବାନ ସାଜିବା ଭଳି ଏକମାତ୍ର ପାରିବାପଣ। ଆମେ ଭୁଲ୍ କରୁ କି ଠିକ୍ କରୁ ସେହି ନିରାପଦ ଆଶ୍ରୟରେ ରହି ଆମେ ଆମ ଭାଷାକୁ ନେଇ ଯାହାଯାହା କରୁ, ତାହା ହିଁ ଯଥେଷ୍ଟ। ‘ୟିଡିସ୍’ ଜାଗାରେ ଓଡ଼ିଆକୁ ଥୋଇ ପୂରା ଲେଖାଟିକୁ ପଢ଼଼ିବାକୁ ଅନୁରୋଧ। ଆନ୍ତର୍ଜାତିକ ମାତୃଭାଷା ଦିବସକୁ ଏମିତି ଗୋଟିଏ ଦୃଷ୍ଟିରେ ଦେଖିବାକୁ ଗଲା ବେଳେ ଉପସ୍ଥିତ ଲେଖକ ନିଜର ଭାଷା ଭାବନାଟିକୁ ନିଜ ପାଖରେ ନିଶ୍ଚୟ ଏମିତି ରଖିବ, ଠିକ୍ ଆଇଜାକ ବାସେଭିସ୍ ସିଙ୍ଗରଙ୍କ ଭଳି – ମୋ ମାଆ କୋଳରେ ମୁଁ ସବୁଠୁ ବଳଶାଳୀ, ପାରିବାର ପୁଅ। କାରଣ ମୋ ଭାଷା ମୋ ମାଆ ପରି ମୋର ସମସ୍ତେ ନପାରିଲା ପଣକୁ ଅତି ସହଜରେ ଘୋଡ଼ାଇ ରଖିବ ଯେ!
କାମନା କରୁଛି ମାଆର ଅନ୍ୟ ସମସ୍ତ ସନ୍ତାନମାନେ ଅଧିକରୁ ଅଧିକ ବଳଶାଳୀ ହୁଅନ୍ତୁ। ଭାଷାନ୍ତରରେ ବିଶ୍ୱବନ୍ଦିତ ହେବାର ସମସ୍ତ ଶିରୋପା ଯଦି ସେମାନେ ଅର୍ଜନ କରୁଛନ୍ତି, ତା’ହାଲେ ଆମ ପାଇଁ ତାହା ଅତ୍ୟନ୍ତ ଆନନ୍ଦର କଥା। ଅନେକଙ୍କର ଯେପରି ମଞ୍ଚ ଆରୋହଣ କରିବା ଭଳି ତିଳାର୍ଦ୍ଧ ଅଭିଳାଷ ନ ଥାଏ, ଠିକ୍ ସେହିଭଳି ଉପସ୍ଥିତ ଲେଖକ ତଳେ ରହି ସମସ୍ତ ମଞ୍ଚ ପର ଦୃଶ୍ୟରେ ସର୍ବଦା ଆହ୍ଲାଦିତ ହେଉଥିବ। ଉପସ୍ଥିତ ଲେଖକ କହିବା ବାହୂଲ୍ୟ ଆଇଜାକ୍ ବାସେଭିସ୍ ସିଙ୍ଗର୍ଙ୍କର ଦ୍ୱାରା ବିଶେଷ ଭାବରେ ପ୍ରଭାବିତ। କିନ୍ତୁ ଯେତେ ପ୍ରଭାବିତ ହେଲେ କ’ଣ ହେବ? ମୁଣ୍ଡରେ ଆସ୍ଥାନ ଜମେଇ ବସିଥିବା ଚରିତ୍ରମାନ ତଳକୁ ଓହ୍ଲାଇଲେ ତ! ସେମାନେ ତାଙ୍କର ପାଦ କାଳେ ମଇଳା ହୋଇଯିବ ବୋଲି ତଳକୁ ଓହ୍ଲାଇବା ପାଇଁ ସବୁବେଳେ ଏତେ କୁନ୍ଥୁକୁନ୍ଥୁ ହେଉଛନ୍ତି ଯେ, ଅପେକ୍ଷା କରିବା ଛଡ଼ା ଆଉ କ’ଣ କରାଯାଇପାରେ! ସେଇସବୁ ନାରାଜ ଚରିତ୍ରମାନେ ଅର୍ଥାତ୍ ଭୂତମାନଙ୍କର କଥା ତ ଏଠାରେ କୁହାଯାଉଛି। ବିଶ୍ୱାସ ଅଛି କେତେବେଳେ ସେଇ ଭୂତମାନେ ତଳକୁ ଆସି ହଠାତ୍ ଚମକାଇ ଦେବା ଭଳି ବଡ଼ପାଟିରେ କାନପାଖରେ କହିବେ।
ଜ୍ୟୋତି ନନ୍ଦ
ଭୁବନେଶ୍ୱର, ମୋ: ୯୮୬୧୦୮୬୩୧୧