ମାଗଣାଜୀବୀଙ୍କ ସମାଜ
ସାମାଜିକ-ଆର୍ଥିକ ବୈଷମ୍ୟ ଦୂର କରି ଏକ ସମାବେଶୀ ରାଷ୍ଟ୍ରଗଠନର ମହତ୍ ଲକ୍ଷ୍ୟରେ ଆମ ବିଜ୍ଞ ସମ୍ବିଧାନ ପ୍ରଣେତାମାନେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା କାଳକ୍ରମେ କ୍ଷମତାସର୍ବସ୍ୱ ନିର୍ବାଚନୀ ରାଜନୀତିର ଅସ୍ତ୍ର ଭାବେ ସାମାଜିକ ଗୋଷ୍ଠୀବାଦକୁ ଯେପରି ବିଦୀର୍ଣ୍ଣ କରିଚାଲିଛି, ତାହାର ବର୍ଣ୍ଣନା ଅନାବଶ୍ୟକ। ଜଗତୀକରଣ ପରବର୍ତ୍ତୀ ତୀବ୍ର ପ୍ରତିଯୋଗିତାପୂର୍ଣ୍ଣ ବଜାର-ଅର୍ଥନୈତିକ ବ୍ୟବସ୍ଥାରେ ଏହି ସଂରକ୍ଷଣ-ରାଜନୀତି ଅସ୍ତ୍ରର ପ୍ରଭାବ କ୍ରମଶଃ ନିଷ୍ପ୍ରଭ ହେଉଥିବା ଲକ୍ଷ୍ୟ କରି ନିର୍ବାଚନୀ ରଣନୀତିକାରମାନେ ‘ମାଗଣା ଯୋଜନା(ଫ୍ରିବିଜ୍)’ ନାମରେ ଆଉ ଏକ […]

ସାମାଜିକ-ଆର୍ଥିକ ବୈଷମ୍ୟ ଦୂର କରି ଏକ ସମାବେଶୀ ରାଷ୍ଟ୍ରଗଠନର ମହତ୍ ଲକ୍ଷ୍ୟରେ ଆମ ବିଜ୍ଞ ସମ୍ବିଧାନ ପ୍ରଣେତାମାନେ ଯେଉଁ ସଂରକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା କାଳକ୍ରମେ କ୍ଷମତାସର୍ବସ୍ୱ ନିର୍ବାଚନୀ ରାଜନୀତିର ଅସ୍ତ୍ର ଭାବେ ସାମାଜିକ ଗୋଷ୍ଠୀବାଦକୁ ଯେପରି ବିଦୀର୍ଣ୍ଣ କରିଚାଲିଛି, ତାହାର ବର୍ଣ୍ଣନା ଅନାବଶ୍ୟକ। ଜଗତୀକରଣ ପରବର୍ତ୍ତୀ ତୀବ୍ର ପ୍ରତିଯୋଗିତାପୂର୍ଣ୍ଣ ବଜାର-ଅର୍ଥନୈତିକ ବ୍ୟବସ୍ଥାରେ ଏହି ସଂରକ୍ଷଣ-ରାଜନୀତି ଅସ୍ତ୍ରର ପ୍ରଭାବ କ୍ରମଶଃ ନିଷ୍ପ୍ରଭ ହେଉଥିବା ଲକ୍ଷ୍ୟ କରି ନିର୍ବାଚନୀ ରଣନୀତିକାରମାନେ ‘ମାଗଣା ଯୋଜନା(ଫ୍ରିବିଜ୍)’ ନାମରେ ଆଉ ଏକ ନିର୍ବାଚନୀ ଅସ୍ତ୍ର ଉଦ୍ଭାବନ କରିଛନ୍ତି, ଯାହାର ଲକ୍ଷ୍ୟଭେଦୀ କ୍ଷମତା ଅଭୂତପୂର୍ବ ଓ ପ୍ରଶ୍ନାତୀତ। ରାଜ୍ୟ ଓ ଅଞ୍ଚଳ ଭିତ୍ତିରେ ନୂଆ ରୂପ ଓ ନୂଆ ନାମରେ ପ୍ରୟୋଗ ହେଉଥିବା ଶତପ୍ରତିଶତ ସାଫଲ୍ୟମଣ୍ଡିତ ଏହି ଅମୋଘ ଅସ୍ତ୍ର ବ୍ୟବହାରୀଙ୍କ ବିଜୟ ସମ୍ଭାବନାକୁ ସୁନିଶ୍ଚିତ କରୁଛି ଏବଂ ଅପରପକ୍ଷରେ ସ୍ୱାଭାବିକ ଭାବରେ ଏକ କର୍ମକୁଣ୍ଠ ସମାଜିକ ଅର୍ଥବ୍ୟବସ୍ଥାର ଭିତ୍ତି ପ୍ରସ୍ତୁତ କରିଚାଲିଛି। ଏହି ଅସ୍ତ୍ରର ସଂକ୍ରାମକ ଶକ୍ତି ଏତେ ପ୍ରଖର ଯେ ପ୍ରତିଟି ନିର୍ବାଚନ ପରେ ଲକ୍ଷଲକ୍ଷ ଭୋଟର ମାଗଣାଜୀବୀ ବା ସରକାରୀ-ଅନ୍ନଜୀବୀରେ ରୂପାନ୍ତରିତ ହୋଇଚାଲିଛନ୍ତି। ନିର୍ବାଚନୀ ରାଜନୀତିର ଚକ୍ରବ୍ୟୂହରେ ଆମ ଲକ୍ଷ୍ୟ-ଅଲକ୍ଷ୍ୟରେ ସମ୍ପ୍ରସାରିତ ହୋଇଚାଲିଥିବା ଏଭଳି କର୍ମକୁଣ୍ଠ ସାମାଜିକ-ଅର୍ଥ ବ୍ୟବସ୍ଥାର ସୁଦୂରପ୍ରସାରୀ ପ୍ରଭାବ କେତେ ଭୟଙ୍କର ହୋଇପାରେ ତାହା କ୍ଷମତାନ୍ଧ ନୀତିନିର୍ଦ୍ଧାରକମାନେ ଜାଣି ମଧ୍ୟ ଅକ୍ଷମଣୀୟ ସମ୍ବେଦନହୀନତା ପ୍ରଦର୍ଶନ କରିଚାଲିଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ପୁଣି ଥରେ ଉଦ୍ବେଗ ପ୍ରକାଶ କରି ରାଜନୈତିକ ଦଳମାନଙ୍କୁ ଏହାର ପରାଭବ ବିଷୟରେ ଚେତାଇ ଦେଇଛନ୍ତି।
ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦାରିଦ୍ର୍ୟ ଦୂରୀକରଣ ପାଇଁ ବୈଶ୍ୱିକ, ଜାତୀୟ ଓ ଆଞ୍ଚଳିକ ସ୍ତରରେ ବିଭିନ୍ନ ଦୀର୍ଘମିଆଦୀ କାର୍ଯ୍ୟପନ୍ଥାମାନ ଗ୍ରହଣ କରାଯାଉଛି। ଏହାପଛର ମହତ୍ ଉଦ୍ଦେଶ୍ୟ ହେଉଛି – ଯଦି ଲୋକଙ୍କ ମନରୁ ଦୈନନ୍ଦିନ ପେଟପାଟଣା ଚିନ୍ତା ଦୂର କରିଦିଆଯାଏ ସେମାନେ ରୋଜଗାରର ରାହା ଖୋଜିବାରେ ଅବଶିଷ୍ଟ ସମୟ ବିନିଯୋଗ କରିପାରିବେ। ଅବହେଳିତ ଓ ଦରିଦ୍ର ବର୍ଗଙ୍କ କଲ୍ୟାଣ ଓ ବିକାଶ ଏକ ଜନମଙ୍ଗଳ ରାଷ୍ଟ୍ରର ଦାୟିତ୍ୱ। କିନ୍ତୁ ଏହି ଦାୟିତ୍ୱର ରାଜନୀତିକରଣ ଯୋଗୁଁଁ ନୀତି ନିର୍ଦ୍ଧାରଣକାରୀଙ୍କ ମହତାକାଂକ୍ଷା ପରାହତ ହେଉଛି ଏବଂ ରିହାତି ଯୋଜନା ଲୋକଙ୍କୁ ସ୍ୱାବଲମ୍ବନ ଉଦ୍ୟମୀ କରିବା ପରିବର୍ତ୍ତେ ପରାନ୍ନଭୋଜୀ ମନସ୍କ ଓ କର୍ମବିମୁଖ କରୁଛି।
ଭୋଟସର୍ବସ୍ୱ ଗଣତାନ୍ତ୍ରିକ ଶାସନ ସଂସ୍କୃତିରେ ଏକ ବିଶାଳ ଜନସମୂହକୁ ମାଗଣା ବିଜୁଳି, ପାଣି, ଇନ୍ଧନ, ଘର, ରାସନ, ଏପରିକି ସବୁ କର୍ମକ୍ଷମଙ୍କୁ ନଗଦ ହସ୍ତାନ୍ତର ପ୍ରତିଶ୍ରୁତି ପ୍ରତିଯୋଗିତାରେ ଅନେକ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରି ଋଣଗ୍ରସ୍ତ ଓ ଦେବାଳିଆ ହେବାକୁ ବସିଲେଣି। ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆବଶ୍ୟକ ସମ୍ବଳ ନ ଥିବାରୁ ଋଣ କରି କିମ୍ବା ବିକାଶମୂଳକ ଯୋଜନାରୁ ଖର୍ଚ୍ଚ କାଟ କରି ରିହାତି ଓ ମାଗଣା ଯୋଜନା ଚଳାଇ ରଖିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଯୋଜନାର ସିଂହଭାଗ ବାଟମାରଣା ହେଉଥିବାରୁ ‘ଥିଲାବାଲା’ ଅଧିକ ଉପକୃତ ହେଉଛନ୍ତି ଏବଂ ‘ନଥିଲାବାଲା’ଙ୍କ ସ୍ଥିତିରେ ଉନ୍ନତି ଘଟୁନାହିଁ। ଅଧିକନ୍ତୁ ଏସବୁ ମାଗଣା ଯୋଜନାର କୁ-ପ୍ରଭାବ ସାଧାରଣ ଟିକସଦାତାଙ୍କ ଅବଦାନରେ ସମୃଦ୍ଧ ରାଜକୋଷ ଓ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଉଛି। ତେଣୁ ଟିକସଦାତା ମଧ୍ୟ ଏଭଳି ମାଗଣା ସଂସ୍କୃତି ବିରୋଧରେ ସ୍ୱର ଉଠାଉଥିବା ଦେଖାଯାଉଛି। ସର୍ବୋଚ୍ଚ ନ୍ୟାୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନିତି ଆୟୋଗ ମଧ୍ୟ ରାଜନୈତିକ ଦଳମାନଙ୍କର ଏଭଳି ମାଗଣା ଯୋଜନା ଇସ୍ତାହାରକୁ ନାପସନ୍ଦ କରିଛନ୍ତି।
ଗତ ବୁଧବାର ଏ ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ମାଗଣା ଯୋଜନାର ସମାଜ ଓ ଅର୍ଥନୀତିରେ ଉପରେ ସୁଦୂରପ୍ରସାରୀ କୁପ୍ରଭାବକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ନିକଟରେ ସମାପ୍ତ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ନଗଦ ହସ୍ତାନ୍ତର ଯୋଜନାର ସେଠାକାର କୃଷିଶ୍ରମିକଙ୍କ ଉପରେ ପ୍ରଭାବକୁ ଉଦାହରଣ ରୂପେ ନେଇ ‘ଏଭଳି ଭୋଟସର୍ବସ୍ୱ ରାଜନୀତି ଦେଶରେ ପରଜୀବୀ ସମାଜ ସୃଷ୍ଟି କରୁନାହିଁ କି?’ ବୋଲି ଖଣ୍ଠପୀଠ ରାଜନୈତିକ ଦଳମାନଙ୍କୁ ପରୋକ୍ଷରେ ପ୍ରଶ୍ନ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସରକାରଙ୍କ ମାଗଣା ଯୋଜନା ଲୋକଙ୍କୁ କର୍ମକୁଣ୍ଠ କରି ପରଜୀବୀ ସମାଜ ସୃଷ୍ଟି କରୁଛି। ଏହାର ପ୍ରଭାବ ଗ୍ରାମ୍ୟ ଶ୍ରମସଂସ୍କୃତି ଉପରେ ପଡ଼ୁଛି। ଏହାପୂର୍ବରୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳମାନଙ୍କ ଦ୍ୱାରା ଭୋଟରଙ୍କୁ ପ୍ରଭାବିତ କଲା ଭଳି ରିହାତି ବା ମାଗଣା ଯୋଜନା ଘୋଷଣାକୁ ସମାଲୋଚନା କରିଥିଲେ। ଏଥିନିମନ୍ତେ ନିର୍ବାଚନ ପ୍ରକ୍ରିୟା ଓ ଆଇନ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ନିର୍ବାଚନ ଆୟୋଗଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ନିର୍ବାଚନ ଆୟୋଗର ଆଇନ ପ୍ରଣୟନ କ୍ଷମତା ନାହିଁ କି ଅସୀମିତ କାର୍ଯ୍ୟକ୍ଷମତା ନାହିଁ। ଏଥିପାଇଁ ଜନପ୍ରତିନିଧି ଆଇନରେ ଯେଉଁ ସଂଶୋଧନ ଆବଶ୍ୟକ ତାହାର ଦାୟିତ୍ୱ ବିଧାନପାଳିକାର। ମାଗଣା ଯୋଜନା ଘୋଷଣା ଏକ ରାଜନୈତିକ ସଂସ୍କୃତିରେ ପରିଣତ ହୋଇସାରିଥିବାରୁ ରାଜନୈତିକ ଦଳମାନେ ସମ୍ପୃକ୍ତ ଆଇନ ସଂଶୋଧନ କରିବାର ସମ୍ଭାବନା ମଧ୍ୟ କ୍ଷୀଣ। ଏହାକୁ ଯଥାର୍ଥରେ ହୃଦ୍ବୋଧ କରି ସର୍ବୋଚ୍ଚ ନ୍ୟାୟାଳୟ ମାଗଣା ଯୋଜନା ଅପସଂସ୍କୃତିର ଅବସାନ ପାଇଁ ପରାମର୍ଶ ଦେବାକୁ ନିତି ଆୟୋଗ, ଅର୍ଥ ଆୟୋଗ, ନିର୍ବାଚନ ଆୟୋଗ, ଆରବିଆଇ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସଦସ୍ୟତାରେ ଏକ କମିଟି ଗଠନ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ସେହି କମିଟିର କାର୍ଯ୍ୟକାରିତା ମଧ୍ୟ ଏବେ ଅନ୍ଧାରରେ।
ନିର୍ବାଚନ ଆୟୋଗ କ୍ଷମତାସୀନ ଦଳର ହାତବାରିସୀ ହେଉଥିବା ଅଭିଯୋଗ ଆଧାରରେ ଆଇନ ପ୍ରଣୟନ ହେଲେ ମଧ୍ୟ ତାହା ଯେ ଶୃଙ୍ଖଳିତ ହେବ ସେ ସମ୍ଭାବନା ମଧ୍ୟ ଦେଖାଯାଉନାହିଁ। କେବଳ ଜନତା ଜନାର୍ଦ୍ଦନ ହାତରେ ହିଁ ଏହାର ପ୍ରତିକାର ରହିଛି। ଯଦି ମାଗଣା ଯୋଜନା ବଦଳରେ କର୍ମସଂସ୍ଥାନ ସୃଷ୍ଟି ଇସ୍ତାହାରରେ ସ୍ଥାନିତ କରିବା ପାଇଁ ଭୋଟର ସର୍ତ୍ତ ରଖନ୍ତେ ତେବେ ଏହି ସମସ୍ୟାର ଅନେକାଂଶରେ ସମାଧାନ ହୋଇପାରିବାର ଆଶା ରହିଛି। କିନ୍ତୁ ଅଧୁନା କ୍ଷମତା ରାଜନୀତିର କୌଶଳରେ ଭୋଟରଙ୍କୁ ପରାନ୍ନଭୋଜୀ ଜରିଆରେ ବଶମ୍ବଦ କରିରଖିଲେ ସେମାନେ ଶାସନବିରୋଧୀ ପରିବେଶ ସୃଷ୍ଟି କରିବେ ନାହିଁ କି ସଚେତନଧର୍ମୀ ହେବେ ନାହିଁ। କିନ୍ତୁ ଏକ ସରକାରୀ-ଅନ୍ନଭୋଜୀ କର୍ମସଂସ୍କୃତିର ଭିତ୍ତି ଉପରେ ସ୍କିଲ୍ ଇଣ୍ଡିଆ, ମେକ୍ ଇନ୍ ଇଣ୍ଡିଆ ଆଦିର ନାରା ଦେଇ ବିଶ୍ୱଗୁରୁ ହେବାର ସ୍ୱପ୍ନ ସାକାର ହେବ ନାହିଁ- ଏହି ଆପ୍ତ ସତ୍ୟକୁ କ୍ଷମତାସୀନ ରାଜନୈତିକ ଦଳମାନେ ହେଜିବା ଦରକାର।