ମା’ଙ୍କ ମୃତ୍ୟୁର ଦିନକ ପରେ ୧୧ଟି ରାୟ ଶୁଣାଇ ଅବସର ନେଲେ ସୁପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଏଏସ୍ ଓକା
ନୂଆଦିଲ୍ଲୀ : ସାଧାରଣତଃ ସୁପ୍ରିମକୋର୍ଟର ଜଜ୍ ମାନେ ଅବସର ଅର୍ଥାତ ତାଙ୍କର ଶେଷ କାର୍ଯ୍ୟଦିବସ ଦିନ କୌଣସି ରାୟ ଦିଅନ୍ତି ନାହିଁ। କିନ୍ତୁ ଏହି ପୁରୁଣା ପରମ୍ପରାକୁ ଭାଙ୍ଗି ଉଦାହରଣ ସୃଷ୍ଟି କରିଛନ୍ତି ଜଷ୍ଟିସ୍ ଅଭୟ ଏସ୍ ଓକା। ଆଉ ସବୁଠୁ ବଡ଼ କଥା ହେଉଛି ଗୋଟିଏ ଦିନ ପୂର୍ବରୁ ଜଷ୍ଟିସ୍ ଏଏସ୍ ଓକାଙ୍କ ମାତୃ ବିୟୋଗ ହୋଇଥିଲା । ଗୁରୁବାର ସେ ନିଜ ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ମୁମ୍ୱାଇ ଯାଇଥିଲେ। ଏହପରେ ନୂଆଦିଲ୍ଲୀ ଫେରି […]

ନୂଆଦିଲ୍ଲୀ : ସାଧାରଣତଃ ସୁପ୍ରିମକୋର୍ଟର ଜଜ୍ ମାନେ ଅବସର ଅର୍ଥାତ ତାଙ୍କର ଶେଷ କାର୍ଯ୍ୟଦିବସ ଦିନ କୌଣସି ରାୟ ଦିଅନ୍ତି ନାହିଁ। କିନ୍ତୁ ଏହି ପୁରୁଣା ପରମ୍ପରାକୁ ଭାଙ୍ଗି ଉଦାହରଣ ସୃଷ୍ଟି କରିଛନ୍ତି ଜଷ୍ଟିସ୍ ଅଭୟ ଏସ୍ ଓକା। ଆଉ ସବୁଠୁ ବଡ଼ କଥା ହେଉଛି ଗୋଟିଏ ଦିନ ପୂର୍ବରୁ ଜଷ୍ଟିସ୍ ଏଏସ୍ ଓକାଙ୍କ ମାତୃ ବିୟୋଗ ହୋଇଥିଲା । ଗୁରୁବାର ସେ ନିଜ ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ମୁମ୍ୱାଇ ଯାଇଥିଲେ। ଏହପରେ ନୂଆଦିଲ୍ଲୀ ଫେରି ଆଜି ନିଜ ଶେଷ କାର୍ଯ୍ୟ ଦିବସରେ ସେ ୧୧ଟି ମାମଲାର ରାୟ ଶୁଣାଇଛନ୍ତି। ଶନିବାର ଜଷ୍ଟିସ୍ ଏଏସ୍ ଓକା ଅବସର ଗ୍ରହଣ କରିବେ, ସୁପ୍ରିମକୋର୍ଟ ଏହି ଦିନ ବନ୍ଦ ରହୁଥିବାରୁ ଆଜି ତାଙ୍କର ଶେଷ କାର୍ଯ୍ୟଦିବସ।
ଶୁକ୍ରବାର ଦିନ ଜଷ୍ଟିସ୍ ଓକା ତାଙ୍କ ନିୟମିତ ବେଞ୍ଚରେ ବସି ୧୧ଟି ରାୟ ଶୁଣାଇଥିଲେ ଏବଂ ତା’ପରେ ଭାରତର ମୁଖ୍ୟ ବିଚାରପତି (CJI)ଙ୍କ ସହିତ ଆନୁଷ୍ଠାନିକ ବେଞ୍ଚରେ ବସିଥିଲେ। ଏହା ଏକ ନୂତନ ପରମ୍ପରା ଥିଲା। ୨୧ ମଇରେ ସୁପ୍ରିମକୋର୍ଟ ଆଡଭୋକେଟ୍ସ-ଅନ୍-ରେକର୍ଡ ଆସୋସିଏସନ୍ (SCAORA) ଦ୍ୱାରା ଆୟୋଜିତ ଏକ ବିଦାୟକାଳୀନ ସମାରୋହରେ, ଜଷ୍ଟିସ୍ ଓକା କହିଥିଲେ ଯେ ଅବସର ଗ୍ରହଣ କରୁଥିବା ବିଚାରପତିମାନେ ସେମାନଙ୍କର ଶେଷ କାର୍ଯ୍ୟ ଦିବସରେ କାମ ନକରିବା ଅଭ୍ୟାସ ସହିତ ସେ ସହମତ ନୁହଁନ୍ତି। ରିଟାୟରମେଣ୍ଟ ଶବ୍ଦକୁ ସେ ଘୃଣା କରନ୍ତି । ଏହା ବ୍ୟତୀତ ତାଙ୍କ ମତ ଥିଲା ଯେ ଶେଷ କାର୍ଯ୍ୟଦିବସରେ ବି ବିଚାରପତିମାନେ ଖଣ୍ଡପୀଠ ଅଂଶ ହୋଇ ରାୟ ଶୁଣାଇବା ଦରକାର । ଆଉ ନିଜର ଶେଷ କାର୍ଯ୍ୟଦିବସରେ ତାହା ସେ କରି ଦେଖାଇଲେ ।
ସେ ଏହା ମଧ୍ୟ କହିଥିଲେ ଯେ ଜଜ୍ ମାନଙ୍କ ଶେଷ କାର୍ଯ୍ୟଦିବସରେ ଗାର୍ଡ ଅଫ୍ ଅନର ଅପରାହ୍ନ ୧:୩୦ ବଦଳରେ ପରେ ଦିଆଯିବା ଉଚିତ। ସେ କହିଥିଲେ ଯେ ମଧ୍ୟାହ୍ନ ଭୋଜନ ପରେ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ କାହିଁକି ତୁରନ୍ତ ଘରକୁ ପଠାଇ ଦିଆଯିବ? ତେଣୁ, ଏହି ପରମ୍ପରାକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିବ, ଯାହା ଦ୍ଵାରା ବିଚାରପତି ଶେଷ କାର୍ଯ୍ୟ ଦିବସରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ କାମ କରିବାର ସନ୍ତୋଷ ପାଇପାରିବେ। ଆଉ ଆଜି ତାହା ମଧ୍ୟ ହୋଇଥିଲା ଜଷ୍ଟିସ୍ ଓକା ଅନେକ ଶୁଣାଣି ପରେ ଶେଷରେ ପ୍ରତୀକାତ୍ମକ ଖଣ୍ଡପୀଠରେ ସାମିଲ ହୋଇଥିଲେ, ଯାହାର ଅଧ୍ୟକ୍ଷତା ସିଜେଆଇ ଜଷ୍ଟିସ୍ ବିଆର ଗବାଇ କରିଥିଲେ । କୌଣସି ଜଜ୍ଙ୍କ ଅବସରରେ ପ୍ରତୀକାତ୍ମକ ବେଞ୍ଚ୍ ସିଜେଆଇଙ୍କ ଅଧ୍ୟକ୍ଷତାରେ ବସିଥାଏ । ବିଚାରପତିଙ୍କୁ ସମ୍ମାନଜନକ ବିଦାୟୀ ପାଇଁ ଏହା କରାଯାଇଥାଏ । ସୁପ୍ରିମକୋର୍ଟରେ ଏହି ପରମ୍ପରା ଦୀର୍ଘ ଦଶନ୍ଧିରୁ ଚାଲିଆସିଛି।
ଜଷ୍ଟିସ୍ ଓକାଙ୍କ ଜନ୍ମ ୨୫ ମଇ ୧୯୬୦ ମସିହାରେ ହୋଇଥିଲା। ସେ ବମ୍ବେ ବିଶ୍ୱବିଦ୍ୟାଳୟରେ ଆଇନ ପାଠପଢ଼ିଥିଲେ ଏବଂ ଜୁନ୍ ୧୯୮୩ ମସିହାରେ ଜଣେ ଓକିଲ ଭାବରେ ପଞ୍ଜୀକୃତ ହୋଇଥିଲେ। ସେ ତାଙ୍କ ପିତା ଶ୍ରୀନିବାସ ଡବ୍ଲୁ ଓକାଙ୍କ ଥାନେ ଜିଲ୍ଲା କୋର୍ଟରେ ଥିବା ଚାମ୍ବରରେ ଅଭ୍ୟାସ ଆରମ୍ଭ କରିଥିଲେ। ୧୯୮୫-୮୬ ମସିହାରେ ସେ ପୂର୍ବତନ ବମ୍ବେ ହାଇକୋର୍ଟ ବିଚାରପତି ଏବଂ ପୂର୍ବତନ ଲୋକାୟୁକ୍ତ ଭିପି ଟିପନିସଙ୍କ ଚାମ୍ବରରେ କାମ କରିଥିଲେ। ସେ ୨୯ ଅଗଷ୍ଟ ୨୦୦୩ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ହୋଇଥିଲେ ଏବଂ ୧୨ ନଭେମ୍ବର ୨୦୦୫ରେ ସ୍ଥାୟୀ ବିଚାରପତି ହୋଇଥିଲେ। ସେ ୧୦ ମଇ ୨୦୧୯ରେ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ, ଯେଉଁଠାରେ ସେ ୩୧ ଅଗଷ୍ଟ ୨୦୨୧ରେ ଭାରତର ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।