ମାଟି ଉପରେ ଦିଶୁଛି ପାଣି ପାଇପ୍
ଯାଜପୁର,୧୩ା୪(ହର୍ଷବର୍ଦ୍ଧନ ବେହେରା): ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳର ୫୨ ଗ୍ରାମକୁ ପାଇପ୍ ଯୋଗେ ଜଳଯୋଗାଣ ଲକ୍ଷ୍ୟ ପଥଚ୍ୟୁତ ହୋଇଛି। ଏହା ଦ୍ୱିତୀୟ ପ୍ରକଳ୍ପ ଭାବେ ଓଏମ୍ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରୁ ୧୦୧.୨୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ (ଏନ୍ସିସି)କୁ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ପ୍ରଦର୍ଶନ ଏହାର ପ୍ରମୁଖ କାରଣ ହୋଇଛି। ଏହାର ସୁଯୋଗରେ ଏନସିସି କେତେକ ପେଟି […] The post ମାଟି ଉପରେ ଦିଶୁଛି ପାଣି ପାଇପ୍ appeared first on Dharitri Odia News.
ଯାଜପୁର,୧୩ା୪(ହର୍ଷବର୍ଦ୍ଧନ ବେହେରା): ବ୍ରାହ୍ମଣୀ ନଦୀରୁ ଯାଜପୁର ଜିଲାର ସୁକିନ୍ଦା ଖଣି ଅଞ୍ଚଳର ୫୨ ଗ୍ରାମକୁ ପାଇପ୍ ଯୋଗେ ଜଳଯୋଗାଣ ଲକ୍ଷ୍ୟ ପଥଚ୍ୟୁତ ହୋଇଛି। ଏହା ଦ୍ୱିତୀୟ ପ୍ରକଳ୍ପ ଭାବେ ଓଏମ୍ବିଏଡିସିି (ଓଡ଼ିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ) ପାଣ୍ଠିରୁ ୧୦୧.୨୪ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ପ୍ରକଳ୍ପ ନିର୍ମାଣ ଦାୟିତ୍ୱରେ ଥିବା ନାଗାର୍ଜୁନ କନଷ୍ଟ୍ରକ୍ସନ କମ୍ପାନୀ (ଏନ୍ସିସି)କୁ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା ପ୍ରଦର୍ଶନ ଏହାର ପ୍ରମୁଖ କାରଣ ହୋଇଛି। ଏହାର ସୁଯୋଗରେ ଏନସିସି କେତେକ ପେଟି କଣ୍ଟ୍ରାକ୍ଟରଙ୍କ ଜରିଆରେ ଅତି ନିମ୍ନମାନର ନିର୍ମାଣ ସାମଗ୍ରୀ ବ୍ୟବହାର କରି ଏବଂ ଆବଶ୍ୟକ ଗାତ ନ ଖୋଳି ପାଇପ୍ ବିଛାଯାଇଛି। ତେଣୁ ଏହାର ସ୍ଥାୟିତ୍ୱ ଉପରେ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। କିନ୍ତୁ ଏହାକୁ ବିଭାଗୀୟ ଅଧିକାରୀମାନେ ସନ୍ତୋଷଯୋଗ୍ୟ କାର୍ଯ୍ୟ ବୋଲି ଦର୍ଶାଇଥିବାରୁ ଠିକାସଂସ୍ଥାକୁ ବିଲ୍ ପୈଠ ହୋଇଛି। ଏଥିରେ ବିପୁଳ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଥିବା ସନ୍ଦେହ ହେଉଛି। ଏହିମର୍ମରେ ସୁକିନ୍ଦାଗଡ଼ ପଞ୍ଚାୟତବାସୀଙ୍କ ପକ୍ଷରୁ ଓଏମ୍ବିଏଡିସିର ସିଇଓ, ଯାଜପୁର ଜିଲାପାଳଙ୍କ ସହ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ଶାହା କମିଶନଙ୍କ ରିପୋର୍ଟ ଆଧାରରେ ସୁପ୍ରିମକୋର୍ଟ ଖଣିଜ ପଦାର୍ଥ ଲୁଟିଥିବା ଲିଜଧାରୀଙ୍କଠାରୁ କ୍ଷତିପୁରଣ ବାବଦକୁ ୧୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅର୍ଥରେ ଓଏମ୍ବିଏଡିସି ଗଠିତ ହୋଇଥିଲା। ଓଏମବିଏଡିସି ଅର୍ଥକୁ ବୋର୍ଡ ଅଫ୍ ଡାଇରେକ୍ଟର ଏବଂ ଓଭରସାଇଟ୍ ଅଥରିଟିଙ୍କ ଅନୁମୋଦନ ନେଇ ୭ଟି କ୍ଷେତ୍ରରେ ବ୍ୟୟ କରାଯିବା ପାଇଁ ସ୍ଥିର କରାଯିବା ପରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହିକ୍ରମରେ ଯାଜପୁର ଜିଲା ଖଣି ପ୍ରଭାବିତ ସୁକିନ୍ଦା ଅଞ୍ଚଳରେ ୩ଟି ପ୍ରକଳ୍ପ ପାଇଁ ୨୩୫.୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ କାଳିଆପାଣି ଓ ଖଣି ପ୍ରଭାବିତ ୨୪ଟି ଗ୍ରାମ ପାଇଁ ସୁକିନ୍ଦା-୧ ପ୍ରକଳ୍ପରେ ୭୯.୮୫ କୋଟି, ୧୯ ଗ୍ରାମ ପାଇଁ ସୁକିନ୍ଦା-୨ ପ୍ରକଳ୍ପରେ ୫୪.୮୧ ଏବଂ ୫୨ ଗ୍ରାମଗୁଡ଼ିକ ପାଇଁ ସୁକିନ୍ଦା-୩ ପ୍ରକଳ୍ପରେ ୧୦୧.୮୧ କୋଟି ବ୍ୟୟଅଟକଳ ହୋଇଥିଲା। ପ୍ରଥମ ଏବଂ ଦ୍ୱିତୀୟ ପ୍ରକଳ୍ପ ଶେଷ ହୋଇ ନିର୍ଦ୍ଧାରିତ ଗ୍ରାମଗୁଡ଼ିକୁ ପାଇପ୍ ଯୋଗେ ଶୁଦ୍ଧ ଜଳ ଯୋଗାଇ ଦିଆଯାଉଛି ବୋଲି ବିଭାଗ ପକ୍ଷରୁ ଦାବି କରାଯାଇଛି। ତୃତୀୟ ପ୍ରକଳ୍ପ ପ୍ରାୟ ଶେଷ ଅବସ୍ଥାରେ ରହିଛି। କିନ୍ତୁ ବାସ୍ତବରେ ନିର୍ଦ୍ଧାରିତ ଗ୍ରାମଗୁଡ଼ିକୁ ଏଯାଏ ଜଳଯୋଗାଣ ହୋଇ ପାରି ନଥିବା ମତପ୍ରକାଶ ପାଇଛି। ଏନ୍ସିସି ଠିକାସଂସ୍ଥା ପକ୍ଷରୁ ନିମ୍ନମାନର କାର୍ଯ୍ୟ ଏହାର ପ୍ରମୁଖ କାରଣ ବୋଲି ମତପ୍ରକାଶ ପାଇଛି।
ଲୋକାୟୁକ୍ତରେ ଗ୍ରାମବାସୀ କରିଥିବା ଅଭିଯୋଗ ଅନୁସାରେ ଏଚ୍ଡିପି ପାଇପ୍ ୯୦ ଏମ୍ଏମ୍ ଓ ୧୧୦ ଏମ୍ଏମ୍ ମାଟି ତଳେ ପୋତାଯାଇଛି। ୧ ମିଟର ମାଟି ତଳେ ଏହା ପୋତା ହେବା ସ୍ଥଳେ ବିଭିନ୍ନ ସ୍ଥାନରେ ୧ ଫୁଟ ତଳେ ପାଇପ୍ ପୋତି ନିଆଯାଇଛି। ଫଳରେ ବିଭିନ୍ନ ସ୍ଥାନରେ ବାହାରକୁ ପାଇପ୍ ଦିଶୁଛି। କିନ୍ତୁ ୧ ମିଟର ତଳେ ପାଇପ୍ ପୋତାଯାଇଛି ବୋଲି ସରକାରଙ୍କୁ ରିପୋର୍ଟ ଦେଇ ବିପୁଳ କୋଟି ଟଙ୍କା ବିଲ୍ ଉଠାଯାଇଛି। ଏହା ପୂର୍ବରୁ ପ୍ରଥମ ପ୍ରକଳ୍ପର କାର୍ଯ୍ୟ ଅଗ୍ରଗତି ଉପରେ ବିଭାଗୀୟ ଯନ୍ତ୍ରୀ ପ୍ରାଧିକରଣ ପକ୍ଷରୁ ନିରୀକ୍ଷଣ କରାଯାଇଥିଲା। ନିରୀକ୍ଷଣ ବେଳେ ଆବଶ୍ୟକଠାରୁ କମ ଗାତ ଖୋଳି ପାଇପ୍ ବିଛା, ପାଟନାଠାରେ ନିର୍ମାଣାଧୀନ ଇଏସଆର ସ୍ତମ୍ଭରେ ସିଧା(ଭର୍ଟିକାଲ) ଭାବେ ନିର୍ମାଣ ନ ହେବା ଇତ୍ୟାଦି ଦେଖିବାକୁ ମିଳିଥିଲା। ଏହାପରେ ଇଞ୍ଜିନିୟର୍ସ ଅଥରିଟିର ରିପୋର୍ଟକୁ ଭିତ୍ତିକରି ବିଭାଗୀୟ ଇଞ୍ଜିନିୟର-ଇନ୍-ଚିଫ୍ ତାଙ୍କ ପତ୍ରସଂଖ୍ୟା ୭୨୨୮/୨୮ା୮ା୨୦୨୯ରେ କଟକ ଆରଡବ୍ଲ୍ୟୁଏସ୍ଏସ୍ ସର୍କିଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ତୁରନ୍ତ ପ୍ରକଳ୍ପ ଅଞ୍ଚଳ ବୁଲି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଏହି ପ୍ରକଳ୍ପର ବିଭିନ୍ନ କଂକ୍ରିଟ ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର ହେବାକୁ ଥିବା ଷ୍ଟିଲ ସାମଗ୍ରୀର ଗୁଣାବତ୍ତା ଉପରେ ଯନ୍ତ୍ରୀ ପ୍ରାଧିକରଣର ଏମ୍ଏସ୍ଭି ଇଣ୍ଟରନ୍ୟାଶନାଲ ପକ୍ଷରୁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରେ ଷ୍ଟିଲ ସାମଗ୍ରୀ ବ୍ୟବହାର ଅନୁପଯୋଗୀ ବୋଲି ଅଥରିଟି ଜାଣିବାକୁ ପାଇଁ ବିଭାଗକୁ ସୂଚିତ କରିଥିଲା। ଏହି ରିପୋର୍ଟ ଆଧାରରେ ଆର୍ଡବ୍ଲ୍ୟୁଏସ୍ଏସ୍ର ଇଞ୍ଜିନିୟର-ଇନ-ଚିଫ୍ ତାଙ୍କ ପତ୍ର ସଂଖ୍ୟା ୬୦୩୩/୧୫ା୭ା୨୦୨୯ରେ ସମ୍ପୃକ୍ତ କମ୍ପାନୀରୁ କିଣାଯାଇଥିବା ସମସ୍ତ ଷ୍ଟିଲ ସାମଗ୍ରୀକୁ ହଟାଇ ଦେବାକୁ ଠିକାସଂସ୍ଥା ଏନସିସିର ସିନିୟର ମେନେଜରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ କେତେକ ବିଭାଗୀୟ ଅଧିକାରୀଙ୍କୁ ହାତ କରି ଏହି ବିପଦରୁ ମୁକୁଳିବାରେ ଏନସିସି ସଫଳ ହୋଇ ପାରିଥିଲା। ଏବେ ପୁଣି ଗ୍ରାମବାସୀଙ୍କ ପକ୍ଷରୁ ଅନୁରୂପ ଅଭିଯୋଗ ହୋଇଛି। ଠିକାସଂସ୍ଥା ଏନ୍ସିସି ଓ ବିଭାଗୀୟ ସମ୍ପୃକ୍ତ ଯନ୍ତ୍ରୀଙ୍କ ମଧ୍ୟରେ ସଲାସୁତୁରାରେ ଏଭଳି ନିମ୍ନମାନର କାମ ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଅମଳେନ୍ଦୁ ବେହୁରା, ସତ୍ୟଜିତ ଦାସ, ତୁଷାର ରଞ୍ଜନ ଦାସ, ହମିଦ ଖାନ୍, କ୍ଷୀରୋଦ ନାୟକ, ସୁଶାନ୍ତ କୁମାର ମହାନ୍ତ ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ୨ ଦିନ ତଳେ ତଦନ୍ତରେ ଆସିଥିବା ଆର୍ଡବ୍ଲ୍ୟୁଏସ୍ଏସ୍ର ଚିଫ ଇଞ୍ଜିନିୟର ମୋତିଲାଲ ତିଓ୍ବାରୀ କହିଥିଲେ, ତଦନ୍ତ ରିପୋର୍ଟ ଆସିବା ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ତେବେ ଏହି ପ୍ରକଳ୍ପ ଆରମ୍ଭ ସମୟରେ ଚିଫ୍ ଇଞ୍ଜିନିୟର ତିଓ୍ବାରି ଚଣ୍ଡିଖୋଲ ଆର୍ଡବ୍ଲ୍ୟୁଏସ୍ଏସ୍ର ନିର୍ବାହୀ ଯନ୍ତ୍ରୀ ଥିଲେ। ତେଣୁ ଉକ୍ତ ତଦନ୍ତ ରିପୋର୍ଟ କେତେ ନିରପେକ୍ଷ ହେବ ତାହା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।
The post ମାଟି ଉପରେ ଦିଶୁଛି ପାଣି ପାଇପ୍ appeared first on Dharitri Odia News.