ମାନସିକଧାରୀଙ୍କ ଆଗରେ ହାର୍‌ ମାନିଲା ପ୍ରଶାସନ

ଭବାନୀପାଟଣା,୧୨ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମା’ଙ୍କ ଛତରକୁ ଦର୍ଶନକରି ଭକ୍ତମାନେ ଆନନ୍ଦଲାଭ କରିଥିଲେ। ଅନେକ ରାଜ୍ୟରେ ବଳିପ୍ରଥା ଏକପ୍ରକାର ବନ୍ଦ ହୋଇଥିବା ବେଳେ ଏହି ଯାତ୍ରାରେ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ଅନେକ ହଜାର ପଶୁ, ପକ୍ଷୀ ବଳି ଦିଆଯାଇଛି। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଞ୍ଜିତ ହୋଇଥିଲା […] The post ମାନସିକଧାରୀଙ୍କ ଆଗରେ ହାର୍‌ ମାନିଲା ପ୍ରଶାସନ appeared first on Dharitri Odia News.

ମାନସିକଧାରୀଙ୍କ ଆଗରେ ହାର୍‌ ମାନିଲା ପ୍ରଶାସନ
ଭବାନୀପାଟଣା,୧୨ା୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତରଯାତ୍ରା ଶୁକ୍ରବାର ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ମା’ଙ୍କ ଛତରକୁ ଦର୍ଶନକରି ଭକ୍ତମାନେ ଆନନ୍ଦଲାଭ କରିଥିଲେ। ଅନେକ ରାଜ୍ୟରେ ବଳିପ୍ରଥା ଏକପ୍ରକାର ବନ୍ଦ ହୋଇଥିବା ବେଳେ ଏହି ଯାତ୍ରାରେ ମା’ଙ୍କ ଛତର ସାମ୍ନାରେ ପ୍ରଶାସନ ଉପସ୍ଥିତିରେ ଅନେକ ହଜାର ପଶୁ, ପକ୍ଷୀ ବଳି ଦିଆଯାଇଛି। ଏତେ ସଂଖ୍ୟାରେ ପଶୁବଳି ଯୋଗୁ ରକ୍ତରଞ୍ଜିତ ହୋଇଥିଲା ଭବାନୀପାଟଣା ସହରର ମୁଖ୍ୟ ରାସ୍ତା। ଭକ୍ତଙ୍କ ମାନସିକ ଆଗରେ ସତେ ଯେପରି ହାର୍‌ ମାନିଥିଲା ପ୍ରଶାସନ।
    ଶାକ୍ତଭୂମି କଳାହାଣ୍ଡିରେ ଦଶହରା କହିଲେ ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରାକୁ ବୁଝାଏ। କଳାହାଣ୍ଡିର ମୂଳ ଅଧିବାସୀ ଏହି ଶକ୍ତିର ଉପାସକ। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ୱରୀଙ୍କ ପୀଠରେ ମୁଣ୍ଡବସାଠାରୁ ଆରମ୍ଭକରି ମହାଷ୍ଟମୀ ପର୍ଯ୍ୟନ୍ତ ମା’ଙ୍କୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ଶୁକ୍ରବାର ପ୍ରତ୍ୟୁଷରେ ଜେନାଖାଲରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ଗୁପ୍ତପୂଜା ସମ୍ପନ୍ନ ହୋଇଥିଲା। ପରେ ପୂଜକ ଓ ବାହୁକମାନେ ଭୋର ୫ଟା ୪୦ରେ ମା’ଙ୍କ ବିଜୟ ପ୍ରତିମା ଛତରକୁ ଧରି ମନ୍ଦିର ଅଭିମୁଖେ ବାହାରିଥିଲେ। ଏହି ଅବସରରେ ଜେନାଖାଲରୁ ମା’ଙ୍କ ମନ୍ଦିର ପର୍ଯ୍ୟନ୍ତ ୩ କି.ମି. ଦୀର୍ଘ ରାସ୍ତାରେ ଲକ୍ଷାଧିକ ଭକ୍ତ ମା’ଙ୍କୁ ଦର୍ଶନ କରିଥିଲେ। ମାନସିକଧାରୀ ପଶୁପକ୍ଷୀ ବଳି ଦେଇଥିବାବେଳେ ଆଉ କେତେଜଣ ଭକ୍ତ ଧୂପ, ଦୀପ, ନଡ଼ିଆ ଭାଙ୍ଗି ମା’ଙ୍କୁ ସ୍ବାଗତ କରିଥିଲେ। ମା’ଙ୍କ ଛତରଯାତ୍ରାରେ ୩୫ଟି ସାଂସ୍କୃତିକ ଦଳ, ଘଣ୍ଟ ଦଳ, ଘୁମୁରା ଦଳ, ସ୍ଥାନୀୟ କଳାକାର ନିଜର କଳା ପରିବେଷଣ କରିଥିଲେ। ଘଣ୍ଟ, ଢୋଲ ନିଶାନରେ ଦୁଲୁକିଉଠିଥିଲା ଭବାନୀପାଟଣା ସହର। ଚାରିଆଡ଼େ ରହିଥିଲା ଆଧ୍ୟାତ୍ମିକ ପରିବେଶ। ମଧ୍ୟାହ୍ନ ୧୨ଟାରେ ମା’ଙ୍କ ଛତର ମାଣିକେଶ୍ୱରୀ ମନ୍ଦିରରେ ପହଞ୍ଚତ୍ଥିଲା। ଏହି ସମୟରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଉପସ୍ଥିତ ରହି ମା’ଙ୍କ ଛତରକୁ ମନ୍ଦିରକୁ ପାଛୋଟି ନେଇଥିଲେ। ଛତରଯାତ୍ରା ଦର୍ଶନ ପାଇଁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ତଥା କଳାହାଣ୍ଡି ଜିଲା ଓ ଜିଲା ବାହାରର ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଅନ୍ୟପଟେ ଶାନ୍ତିର ପ୍ରତୀକ କପୋତକୁ ମଧ୍ୟ ଯାତ୍ରା ସମୟରେ ଭକ୍ତମାନେ ଉଡ଼ାଇଥିବା ଦେଖିବାକୁ ମିଳିଥିଲା।
ଶାନ୍ତିଶୃଙ୍ଖଳା ରକ୍ଷା ସହ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୧୧ ପ୍ଲାଟୁନ ପୋଲିସ ସମେତ ଜଣେ ଅତିରିକ୍ତ ଏସ୍‌ପି, ୯ ଡିଏସ୍‌ପି, ୧୮ ଇନ୍ସପେକ୍ଟର, ୩୬ ସବ୍‌ଇନ୍ସପେକ୍ଟର, ୪୮ ଏଏସ୍‌ଆଇ, ୪୬ କନ୍‌ଷ୍ଟେବଲ, ୧୦୦ ହୋମଗାର୍ଡ ନିୟୋଜିତ ଥିଲେ। ସହର ଚାରିପଟେ ଅର୍ଥାତ୍‌ ଜୁନାଗଡ଼, ଥୁଆମୂଳ ରାମପୁର, କେସିଙ୍ଗା ଓ ନର୍ଲା ଆଦି ମୁଖ୍ୟ ରାସ୍ତାରେ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିଲା। ଛତରଯାତ୍ରା ପାଇଁ ସହରର ଜେନାଖାଲ, ଭାଗୀରଥି ହୋଟେଲ ଓ ମାଣିକେଶ୍ୱରୀ ମନ୍ଦିର ଆଦି ସ୍ଥାନରେ ପୋଲିସ କଣ୍ଟ୍ରୋଲ ରୁମ୍‌ ସହ ସିସିଟିଭି ବ୍ୟବସ୍ଥା କରାଯାଇଥିଲା। କଳାହାଣ୍ଡି ଏସ୍‌ପି ଅଭିଲାଷ ଜି, ଭବାନୀପାଟଣା ସଦର ଏସ୍‌ଡିପିଓ ସୁନାରାମ ହେମ୍ବ୍ରମ ଓ ଧର୍ମଗଡ଼ ଏସ୍‌ଡିପିଓ ମନୋଜ ବେହେରା ସୁରକ୍ଷା ଦାୟିତ୍ୱ ତଦାରଖ କରିଥିଲେ। ଯାତ୍ରା ଆରମ୍ଭରୁ ଶେଷ ଯାଏ ଭକ୍ତଙ୍କ ଗତିବିଧି ଉପରେ ନଜର ରଖିଥିଲା ସିସିଟିଭି। ପ୍ରଶାସନ ପକ୍ଷରୁ ଜିଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ତ୍ରିଲୋଚନ ପାତ୍ର, କଳାହାଣ୍ଡି ତହସିଲଦାର ଶୁଭସ୍ମିତା ମିଶ୍ର, ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜ ଦାୟିତ୍ୱ ତୁଲାଇଥିଲେ ।

The post ମାନସିକଧାରୀଙ୍କ ଆଗରେ ହାର୍‌ ମାନିଲା ପ୍ରଶାସନ appeared first on Dharitri Odia News.