ମାର୍କେଟ୍ ମଝିରେ ଭୟଙ୍କର ଅଗ୍ନିକାଣ୍ଡ, ହୁ ହୁ ହୋଇ ଜଳିଗଲା ୬ଟି ଢ଼ାବା
ନିଆଁ ଲାଗି ମାର୍କେଟ୍ ମଝିରେ ଥିବା ୬ଟି ଢ଼ାବା ଓ ଦୁଇଟି ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଯାଇଛି।
ମାର୍କେଟ୍ ମଝିରେ ଲାଗିଲା ନିଆଁ। ହୁ ହୁ ହୋଇ ଜଳିଗଲା ଢ଼ାବା। ଏହା ଏତେ ଭୟଙ୍କର ଥିଲା ଯେ, ଦେଖୁ ଦେଖୁ ଏହା ଅନ୍ୟ ଦୋକାନକୁ ମଧ୍ୟ ମାଡିଗଲା। ଗ୍ରେଟର ନୋଏଡା ଉତ୍ତର ସ୍ଥିତ ଚାରି ମୂର୍ତ୍ତି ଗୋଲଚକ୍କର ନିକଟରେ ଥିବା ମାର୍କେଟରେ ଆଜି ସକାଳୁ ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ପୁଲିସ ସୂଚନା ମୁତାବକ, ନିଆଁ ଲାଗି ମାର୍କେଟ୍ ମଝିରେ ଥିବା ୬ଟି ଢ଼ାବା ଓ ଦୁଇଟି ଦୋକାନ ଜଳି ଯାଇଛି। ପ୍ରଥମେ ସେଠାରେ ଥିବା ଏକ ଢାବାରେ ନିଆଁ ଲାଗିବା ପରେ ସଙ୍ଗେ ସଙ୍ଗେ ତାହା ଅନ୍ୟ ଦୋକାନକୁ ମଧ୍ୟ ବ୍ୟାପି ଯାଇଥିଲା। ଫଳରେ ଅନ୍ୟ ସବୁ ଢ଼ାବା ଓ ଦୋକାନରେ ନିଆଁ ଲାଗି ଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ତେବେ ମାର୍କେଟରେ ଲାଗିଥିବା ଏହି ଅଗ୍ନିକାଣ୍ଡର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଭୟଙ୍କର ଭାବେ ନିଆଁ ଲାଗି ଚାରିଆଡେଁ କଳା ଧୂଆଁ ବ୍ୟାପି ଯାଇଥିବା ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡ ଯୋଗୁ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
ग्रेटर नोएडा की मार्केट के ढाबों में लगी भीषण आग, आसमान में छाया काला धुआं#GreaterNoida #Fire #Accident pic.twitter.com/ERePZvQpo2— NDTV India (@ndtvindia) March 13, 2024
ନିଆଁକୁ ଆୟତ୍ତ କରିବା ପାଇଁ ଆଠଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚିଛି। ନିଆଁକୁ ଆୟତ୍ତ କରାଯାଇଥିବା ପୁଲିସ ସୂଚନା ଦେଇଛି। ପ୍ରାଥମିକ ତନ୍ତରୁ ଜଣାପଡିଛି ଯେ, ଢ଼ାବା ବନ୍ଦ ଥିଲା ଓ ଢ଼ାବା ଭିତରେ ପ୍ରବଳ ସଂଖ୍ୟାରେ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଭର୍ତ୍ତି ହୋଇ ରହିଥିଲା। ସର୍ଟ ସର୍କିଟ ଯୋଗୁ ସେଥିରେ ନିଆଁ ଲାଗି ଏହି ଅଗ୍ନିକାଣ୍ଡ ଘଟିଥିଲା। ଗ୍ୟାସ୍ ସିଲିଣ୍ଡର ଗୁଡିକୁ ବାହାରକୁ ଆଣିବା ପରେ ନିଆଁ ଆୟତ୍ତ ହୋଇଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି।