ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ

ଏହି ମାମଲାର ଖୋଳତାଡ଼ କରି ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।

ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ

ଗତକାଲି ଦିଲ୍ଲୀର ଶଙ୍କର ବିହାର ମିଲିଟାରୀ ଅଞ୍ଚଳରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏହି ଘଟଣା ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ମାମଲାର ଖୋଳତାଡ଼ କରି ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।

୮ ବର୍ଷୀୟା ନାବାଳିକାଜଣକ ସୋମବାର ସନ୍ଧ୍ୟାରୁ ନିଖୋଜ ଥିବା ବେଳେ ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ସକାଳେ ଶଙ୍କର ବିହାର ମିଲିଟାରୀ ଅଞ୍ଚଳର ଗୋଟିଏ ବିଲଡିଂର ରଡ୍‌ରେ ନାବାଳିକାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ତୁରନ୍ତ ଏହି ଘଟଣାର ତଦନ୍ତ ଆରମ୍ଭ କରି ସିସିଟିଭି ଫୁଟେଜ ଖୋଳତାଡ଼ କରିଥିଲା। ଏହାପରେ ସିସିଟିଭି ଫୁଟେଜ ଆଧାରରେ ପୁଲିସ୍‌ ଉକ୍ତ ଯୁବକଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଜଣକ ୧୯ ବର୍ଷୀୟ ଯୁବକ ଓ ସେ ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି। ପଚରାଉଚରା ବେଳେ ଅଭିଯୁକ୍ତଜଣକ କହିଛନ୍ତି, ପୂର୍ବରୁ ପରିଚିତ ହୋଇଥିବାରୁ ସେ ନାବାଳିକାଙ୍କୁ ଡାକି ଏକ ନିକାଞ୍ଚ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଜବରଦସ୍ତି କରୁଥିଲେ।

ମାତ୍ର ନାବାଳିକାଜଣକ ତାହାର ପ୍ରତିବାଦ କରିବା ସହ ଜୋରରେ ପାଟି କରିବାରୁ ସେ ତାଙ୍କ ବେକକୁ ଚିପିବା ସହ ଏକ ସ୍କାପ୍ର ଗୁଡ଼ାଇ ଦେଇଥିଲେ। ଫଳରେ ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ସେ ବିଲଡିଂର ରଡ୍‌ରେ ନାବାଳିକାଙ୍କ ମୃତଦେହକୁ ଝୁଲାଇ ଦେଇ ଫେରାର ହୋଇ ଯାଇଥିଲେ।

ମିଲିଟାରୀ କଲୋନୀରେ ଏପରି ଚାଞ୍ଚଲ୍ୟକର ଘଟଣା ଘଟିଥିବା ବେଳେ ଏହା ପ୍ରତିବାଦରେ ମୃତା ନାବାଳିକାଙ୍କ ପରିବାର ସମେତ ସ୍ଥାନୀୟ ଲୋକେ ଶଙ୍କର ବିହାର ମୁଖ୍ୟ ରାସ୍ତାରେ ଧାରଣା ଦେଇଥିଲେ। କେହି ତାଙ୍କ ଦୁଷ୍କର୍ମ ପରେ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଥିଲେ। ପୁଲିସ୍‌ ଓ ପ୍ରଶାସନର ବୁଝାସୁଝା ପରେ ରାସ୍ତାରୋକ ହଟିଥିଲା। ଆର୍ମିର ବରିଷ୍ଠ ଅଧିକାରୀମାନେ ନାବାଳିକାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।