ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ତୁରନ୍ତ ଏହି ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେପି ଦାବି ରଖିଛି।

ମିଶନଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କ ବିରୁଦ୍ଧରେ ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି

ଭୋଟରଙ୍କ ଉପରେ ଚାପ ପକାଇ ବିଜେଡି ସପକ୍ଷରେ ଭୋଟ୍ ହାତେଇବା ପାଇଁ ରାଜ୍ୟ ମିଶନ ଶକ୍ତି ବିଭାଗର ମୁଖ୍ୟ ସୁଜାତା କାର୍ତ୍ତିକେୟନ ଓ ଅନ୍ୟ ଦୁଇଜଣ ବରିଷ୍ଠ ଅଧିକାରୀ କାର୍ଯ୍ୟ କରୁଛନ୍ତି । ଏନେଇ ବିଜେପି ଆଜି ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ବିରୁଦ୍ଧରେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛି । ସେହିପରି ରାଜ୍ୟ ସଡ଼କ ପରିବହନ ନିଗମ ବସ ଯାତ୍ରୀ ଟିକେଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ରହିଥିବାରୁ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେପି କହିଛି ।

ବିଜେପି ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସରକାରୀ ଅଫିସର ଓ ଶାସକ ବିଜେଡି କିଭଳି ନିର୍ବାଚନକୁ ପ୍ରଭାବିତ କରୁଛି ସେ ନେଇ ଅଭିଯୋଗ କରିଛନ୍ତି । ବିଜେପି  ଅଭିଯୋଗ କରିଛି ଯେ, ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ମୁକ୍ତ, ଅବାଧ ଓ ନିରପେକ୍ଷ ଭାବେ ହେବା ଉଚିତ । କିନ୍ତୁ କିଛି ସରକାରୀ ଅଧିକାରୀ ଏବେ ଶାସକ ଦଳର ହାତବାରିସି ସାଜି ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାର ଅପଚେଷ୍ଟା ଚଳାଇଛନ୍ତି । ରାଜ୍ୟ  ମିଶନ ଶକ୍ତି ବିଭାଗର ଦୁଇ ବରିଷ୍ଠ ଅଧିକାରୀ ଅମ୍ବିକା ଦାସ ଓ ବିନୋଦ ଜେନା ପ୍ରତ୍ୟକ୍ଷ ଭାବେ ସରକାରୀ ଅର୍ଥରେ ମିଶନ ଶକ୍ତିର ସଦସ୍ୟାମାନଙ୍କ ମାଧ୍ୟମରେ ଶାସକ ଦଳର ରାଜନୈତିକ କାର୍ଯ୍ୟକୁ ପରିଚାଳନା କରୁଛନ୍ତି।

ମିଶନ ଶକ୍ତିର ସରକାରୀ ଅଧିକାରୀ ଅମ୍ବିକା ଦାସ ଓ ବଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମିଳିତ ଉଦ୍ୟମରେ ଏକ ହ୍ୱାଟସଅପ୍ ଗ୍ରୁପ କରାଯାଇଛି । ଯେଉଁଥିରେ ଏମବିକେ, ବ୍ୟାଙ୍କମିତ୍ରକୁ ସାମିଲ କରି ସରକାରୀ ଅର୍ଥରେ ପ୍ରଚାର କାର୍ଯ୍ୟରେ ଲଗାଯାଉଛି । ଆଉ ଏସମସ୍ତ କଥା ବିଭାଗର ମୁଖ୍ୟ ତଥା ମିଶନଶକ୍ତି ସଚିବ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ ନେତୃତ୍ୱରେ କରାଯାଉଛି । ବିଭିନ୍ନ ସମୟରେ ବିଜେଡିର ସମାବେଶକୁ ଲୋକ ପଠାଇବା ପାଇଁ ଏମାନେ ସହଯୋଗ କରୁଛନ୍ତି । ଦୀର୍ଘ ୩ବର୍ଷରୁ ଊର୍ଦ୍ଧ୍ୱ ସମୟ ଗୋଟିଏ ସ୍ଥାନରେ ରହି ଶାସକ ଦଳର ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଛନ୍ତି, ଯାହା ଆଦର୍ଶ ନିର୍ବାଚନ ଆଇନକୁ ଉଲଘଂନ କରୁଛି । ଏହା ଦଣ୍ଡନୀୟ ଅପରାଧ ।

ତେଣୁ ରାଜ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ତୁରନ୍ତ ଏହି ଅଫିସରମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବିଜେପି ଦାବି ରଖିଛି । ଓଡ଼ିଶାରେ ମହିଳାମାନେ କିଭଳିଭାବେ ସଶକ୍ତ ହେବେ ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଟି କୋଟି ଟଙ୍କା ପଠାଉଛନ୍ତି । କିନ୍ତୁ ଶାସକ ଦଳର ସଦସ୍ୟମାନେ ମିଶନଶକ୍ତିର ସଦସ୍ୟାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ ନିଜ ଦଳୀୟ ପ୍ରଚାରରେ କର୍ମୀ ଭଳି କାର୍ଯ୍ୟରେ ଲଗାଉଛନ୍ତି ।
ବିଜେପି ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ଯେଉଁ ବସ୍ ଗଡୁଛି ତା’ର ଟିକେଟ୍ ପଛପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲଘଂନ କରୁଛି । ତେଣୁ ଏହାର ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।

ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ନିୟତି ଗିରି, ପଦ୍ମଜା ଦେବତା, ଚିତ୍ରଲେଖା ମହାନ୍ତି, ସୁବାସିନୀ ପୃଷ୍ଟି, ସୁଚରିତା ଜେନାମଣି, ତୃପ୍ତିମୟୀ ମକଦ୍ଦମ ଓ ମନ୍ଦାକିନି ପାତ୍ର ପ୍ରମୁଖ ସାମିଲ ଥିଲେ ।